ଭୁବନେଶ୍ୱର ୨୩/୦୮: ମଧୁମେହ ଏମିତି ଏକ ରୋଗ, ଯାହାକୁ ସାରା ଜୀବନ ନିୟନ୍ତ୍ରଣ କରିବାକୁ ପଡିଥାଏ । ଏହାର ଚିକିତ୍ସା ନଥାଏ । ଏହାକୁ ଔଷଧ ଅପେକ୍ଷା ଡାଏଟ୍ ଓ ବ୍ୟାୟାମ ଦ୍ୱାରା ନିୟନ୍ତ୍ରିତ କରିବା ସହଜ । ନିକଟରେ ଏକ ସର୍ଭେରୁ ଜଣାପଡିଛି ଯେ ଆଳୁ ମଧ୍ୟ ମଧୁମେହକୁ ନିୟନ୍ତ୍ରିତ କରିପାରିବ । ମଧୁମେହ ରୋଗୀ ଆଳୁକୁ ଶତ୍ରୁ ବୋଲି ଭାବିଥାନ୍ତି । କୁହାଯାଏ ଆଳୁ ଖାଇବା ଦ୍ୱାରା ଶରୀରରେ ଶର୍କରାସ୍ତର ବଢିବା ସହ ଓଜନ ବଢିଥାଏ । କିନ୍ତୁ ଯଦି ଏହାକୁ ଖାଇବାର ଶୈଳୀ ପରିବର୍ତ୍ତନ କରି ଦିଅନ୍ତି, ତେବେ ଏହା ମଧ୍ୟ ସୁପରଫୁଡ୍ଠାରୁ କମ୍ ନୁହେଁ । ପୁରୁଣା କାଳରୁ ଆଳୁକୁ ନେଇ ରହିଆସିଥିବା ଭ୍ରାନ୍ତ ଧାରଣାକୁ ଦୂର କରିବାକୁ ନିକଟରେ ହୋଇଥିବା ସର୍ଭେ ରିପୋର୍ଟ ଯଥେଷ୍ଟ । ସର୍ଭେ ରିପୋର୍ଟ ମଧୁମେହ ରୋଗୀଙ୍କ ପାଇଁ ଖୁସି ଖବର ଆଣିଛି ।
ରିପୋର୍ଟ ଅନୁସାରେ, ଆଳୁ ରକ୍ତରେ ଶର୍କରା ସ୍ତରକୁ ବଢାଇବ କି ନାହିଁ, ତାହା ଆଳୁ ଖାଇବାର ଶୈଳୀ ଉପରେ ନିର୍ଭର କରିଥାଏ । ଲସ୍ ଭେଗାସ୍ର ନେଭାଡା ବିଶ୍ୱବିଦ୍ୟାଳୟର ସହାୟକ ପ୍ରଫେସର ନେଡା ଅଖାବନଙ୍କ ନେତୃତ୍ୱରେ ହୋଇଥିବା ସର୍ଭେ ଅନୁସାରେ ସାଧାରଣ ଲୋକଙ୍କ ଧାରଣା ପାଇଁ ଚ୍ୟାଲେଞ୍ଜ ଆଣିଛି । ଆଳୁକୁ ଅସ୍ୱାସ୍ଥ୍ୟକର ମାନି ନିଆଯାଇଛି । ଏହି ସର୍ଭେରେ ସାମିଲ ହୋଇଥିବା ଲୋକମାନଙ୍କୁ ନିୟମିତ ସେକା ଆଳୁର ଏକ ଆଇଟମ୍ ଦିଆଯାଉଥିଲା । କିଛିଦିନ ପରେ ସେମାନଙ୍କର ଫାଷ୍ଟିଂ ଶର୍କରା ସ୍ତର କମ୍ ହେବାର ଦେଖିବାକୁ ମିଳିଥିଲା । ଏହା ସହିତ ଅଣ୍ଟାର ଆକାର କମିବା ଓ ହାର୍ଟ ବିଟ୍ ମଧ୍ୟ କମିଥିବାର ଦେଖିବାକୁ ମିଳିଥିଲା ।
ଆଳୁ ଚୋପା ମଧ୍ୟ କମ୍ ଲାଭଦାୟକ ନୁହେଁ । ସର୍ଭେ ଅନୁସାରେ ଆଳୁ ଚୋପାରେ ରେସିଷ୍ଟେନ୍ସ ଷ୍ଟାର୍ଚ୍ଚ ରହିଥାଏ, ଯାହା ଗ୍ଲୁକୋଜ୍ ସ୍ତର, ଲିପିଡ୍ ପ୍ରୋଫାଇଲ୍ ଓ ପେଟ ଭରିବାର ଅନୁଭବ ଦେଇଥାଏ । ଗବେଷଣାରେ ସାମଲ୍ ହୋଇଥିବା ଲୋକମାନଙ୍କୁ ଆଳୁ ଚୋପା ମଧ୍ୟ ଦିଆଯାଇଥିଲା । ଏହା ସତ୍ତେ୍ୱ ସେମାନଙ୍କ ସ୍ୱାସ୍ଥ୍ୟରେ ସୁଧାର ପରିଲକ୍ଷିତ ହେଇଥିଲା । ନେଭାଡା ବିଶ୍ୱବିଦ୍ୟାଳୟରେ ହୋଇଥିବା ସର୍ଭେରୁ ଜଣାପଡିଛି ଯେ କଦଳୀ ଅପେକ୍ଷା ଆଳୁରେ ଅଧିକ ପୋଟାସିୟମ୍ ରହିଥାଏ । ଏହା ହୃଦୟର ସ୍ୱାସ୍ଥ୍ୟ ସହ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରିତ କରିଥାଏ । ଯଦି ବ୍ୟକ୍ତି ସେକା ଆଳୁ ଖାଆନ୍ତି, ତେବେ ଅଧିକ ସମୟ ଯାଏ ପେଟ ଭରା ରହିଥାଏ । ସେହିପରି ଯଦି ଓଜନ କମ୍ କରିବାକୁ ଚାହାନ୍ତି, ତେବେ ମଧ୍ୟ ସେକା ଆଳୁ ଖୁବ୍ ଲାଭଦାୟକ । କାରଣ ଏହା ଭୋକକୁ ନିୟନ୍ତ୍ରିତ କରିଥାଏ ।