ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ଚିକିତ୍ସା ପ୍ରତିଷ୍ଠାନ, ଖରାରେ ଟିଣ ଚାଦର ତଳେ କର୍କଟ ଆକ୍ରାନ୍ତ

କଟକ, ୧୫।୫: ୱାର୍ଡରେ ବେଡ୍‌ ନଥିଲେ କ୍ୟାନ୍‌ସର୍‌ ରୋଗୀଙ୍କୁ ଚିକିତ୍ସା ପାଇଁ ଟିଣ ଚାଦର ତଳ ବିଶ୍ରାମକକ୍ଷ ସାହା । କେମୋ ଥେରାପି, ରେଡିଓଥେରାପି ଆଦି ଚିକିତ୍ସିତ ହେଉଥିବା ଶହଶହ ରୋଗୀ ମାସମାସ କାଳ ଡାକ୍ତରଖାନା ପରିସରରେ ଥିବା ଟିଣ ଚାଦର ତଳେ ରହି ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଖରା ବଢ଼ିଲେ ଚିକିତ୍ସାଧୀନ କ୍ୟାନ୍‌ସର୍‌ ରୋଗୀଙ୍କ ଅବସ୍ଥା ବେହାଲ ହୋଇପଡ଼ୁଛି । ଦିନ ୧୦ଟା ପରେ ଟିଣ ଚାଦର ତଳେ ସିମେଣ୍ଟ ଚଟାଣରେ ଶୋଇଥିବା ରୋଗୀ ଗରମରେ ଛଟପଟ ହେଉଛନ୍ତି । ମଧ୍ୟାହ୍ନ ପରେ ଟିଣ ଛପର ବିଶ୍ରାମସ୍ଥଳ ଏତେ ତାତି ଯାଉଛି ଯେ, ଏଠାରେ ରହିବା ଅସମ୍ଭବ ହୋଇପଡ଼ୁଛି । ଫଳରେ ତାତି ଏବଂ ଗରମରୁ ବଞ୍ଚିବା ପାଇଁ କର୍କଟ ଆକ୍ରାନ୍ତ ରୋଗୀମାନେ ଦେହରେ ଓଦା ଲୁଗା ଗୁଡ଼ାଇ ଚଟାଣରେ ଶୋଇବାକୁ ବାଧ୍ୟ ହେଉଛନ୍ତି । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ଯୁଗଳ ବେହେରା ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଅପରେସନ୍‌ ପରେ ଏବେ ତାଙ୍କର ରେଡିଏସେନ୍‌ ଚିକିତ୍ସା ଚାଲିଛି । 

ପ୍ରାୟ ୩ ସପ୍ତାହ ହେବ ସେ ଟିଣ ଛପର ତଳେ ପଡ଼ି ରହି ରେଡିଓଥେରାପି ଚିକିତ୍ସା ପାଉଛନ୍ତି । ପୁରୀ ଚନ୍ଦନପୁର ଅଞ୍ଚଳର ଶଶୀ ଦେଈ ବୃଦ୍ଧା ଅବସ୍ଥାରେ କ୍ୟାନସର୍‌ରେ ପୀଡ଼ିତ ହୋଇ ନିୟମିତ ବ୍ୟବଧାନରେ ଆସି ଆଚାର୍ଯ୍ୟ ହରିହର କ୍ୟାନ୍‌ସର୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଏବେ ତାଙ୍କର ରେଡିଏସନ୍‌ ଚିକିତ୍ସା ତଥା ଶରୀରରେ ଲାଇଟ୍‌ ପଡ଼ୁଛି । ସେହିପରି କେମୋ କୋର୍ସ ମଧ୍ୟ ଚାଲିଛି । ମାସେରୁ ଅଧିକ ସମୟ ହେବ ସେ ରୋଗୀ ସମ୍ପର୍କୀୟଙ୍କ ବିଶ୍ରାମ ଲାଗି ଥିବା ଟିଣ ଚାଦର ତଳେ ମୁଣ୍ଡ ଗୁଞ୍ଜି ଚିକିତ୍ସିତ ହେଉଛନ୍ତି । ଏହିପରି ଶତାଧିକ ରୋଗୀ ୩ ଟି ସ୍ଥାନରେ ଟିଣ ଚାଦରରେ ନିର୍ମିତ ଅସ୍ଥାୟୀ ବିଶ୍ରାମସ୍ଥଳୀରେ ରହି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳୁଛି । ପ୍ରାୟ ୨୦ ଦିନ ତଳେ ଏକ ଟିଣ ଚାଦର ବିଶ୍ରାମସ୍ଥଳୀରେ ଆଶ୍ରୟ ନେଇଥିବା ଜଣେ କର୍କଟ ଆକ୍ରାନ୍ତ ଗରମରେ ଗୁରୁତର ହୋଇପଡ଼ିଥିଲେ । ସମ୍ପୃକ୍ତ ରୋଗୀ ଅଂଶୁଘାତରେ ଆକ୍ରାନ୍ତ ହୋଇଥିଲେ ବୋଲି ଡାକ୍ତରଖାନା କର୍ମଚାରୀ କହିଥିଲେ । 

ମାତ୍ର ଡାକ୍ତରଖାନାରେ ରୋଗୀ ଅବହେଳା ଏବଂ ବିଫଳତାକୁ ଲୁଚାଇବା ପାଇଁ ସରକାରୀ ସ୍ତରରେ ଅଂଶୁଘାତ ମୃତ୍ୟୁ ବୋଲି ଘୋଷଣା କରାଯାଇନଥିଲା । ମୃତ୍ୟୁ ଘଟଣାରେ କାଳେ ଏହି ଘଟଣା ବାହାରେ ପ୍ରଘଟ ହେବ ସେଥିଲାଗି ଡାକ୍ତରଖାନା ପକ୍ଷରୁ ତରବରିଆ ଭାବେ ଶବକୁ ନେଇ ପଳାଇ ଯିବାକୁ ମୃତକଙ୍କ ସମ୍ପର୍କୀୟଙ୍କୁ କୁହାଯାଇଥିଲା । ସୂଚନାଯୋଗ୍ୟ, କ୍ୟାନସର୍‌ ହସ୍ପିଟାଲ୍‌ରେ ଏବେ ବେଡ୍‌ ସଂଖ୍ୟା ୫ ଶହ ରହିଛି । ଏଥିରେ ଆଇସିୟୁ ଶଯ୍ୟା ସଂଖ୍ୟା ୩୦ ରହିଥିବା ବେଳେ ଡେ କେୟାର୍‌ ସେଣ୍ଟର୍‌ରେ ୩୦ଟି ବେଡ୍‌ ରହିଛି । ଅବଶିଷ୍ଟ ବେଡ୍‌ ନୂଆ ଏବଂ ପୁରୁଣା ୱାର୍ଡରେ ରହିଛି । 

ତେବେ ରୋଗୀ ସଂଖ୍ୟା ତୁଳନାରେ ବେଡ୍‌ ସଂଖ୍ୟା କମ୍‌ ଥିବାରୁ ବିଭାଗୀୟ ଡାକ୍ତରମାନେ ଦେଖିଚାହିଁ ରୋଗୀଙ୍କୁ ଆଡମିସନ୍‌ କରୁଥିବା ସୂଚନା ମିଳିଛି । ଦିନକୁ ୨୫୦ ରୋଗୀଙ୍କର ରେଡିଏସନ୍‌ ଚିକିତ୍ସା ଚାଲିଥିବା ବେଳେ ୨ ଶହରୁ ଅଧିକ ରୋଗୀଙ୍କର ନିୟମିତ କେମୋଥେରାପି ଚାଲିଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ବେଡ୍‌ ଅଭାବରୁ ନିୟମିତ କେମୋ ନେଉଥିବା ପ୍ରାୟ ୪୦ ଜଣ ରୋଗୀଙ୍କୁ ଡେକେୟାର୍‌ ସେଣ୍ଟରରେ ଉକ୍ତ ଚିକିତ୍ସା ସୁବିଧା ଦିଆଯାଉଛି ବୋଲି କ୍ୟାନସର୍‌ ହସ୍ପିଟାଲ୍‌ ନିର୍ଦ୍ଦେଶକ ଡାକ୍ତର ଦୀପକ ରାଉତରାୟ କହିଛନ୍ତି । ବେଡ୍‌ ଅଭାବ ଦୃଷ୍ଟିରୁ ଯେଉଁ ରୋଗୀମାନଙ୍କ ଅବସ୍ଥା ସେତେ ଖରାପ ନାହିଁ ସେମାନଙ୍କୁ ଆଡମିସନ୍‌ କରାନଯାଇ ନିୟମିତ ଡେ କେୟାର୍‌ ସେଣ୍ଟର୍‌ରେ ଚିକିତ୍ସା କରାଯାଇଥାଏ ବୋଲି ନିର୍ଦ୍ଦେଶକ ଡାକ୍ତର ରାଉତରାୟ କହିଛନ୍ତି । ସମ୍ପ୍ରସାରଣ ଯୋଜନାରେ କ୍ୟାନସର ହସ୍ପିଟାଲ୍‌ର ନୂତନ ଭିତ୍ତିଭୂମି ନିର୍ମାଣ ଚାଲିଛି, ଆଗକୁ ଉକ୍ତ ସମସ୍ୟା ଆଉ ରହିବ ନାହିଁ ବୋଲି ସେ କହିଛନ୍ତି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.