ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କଟକ ଲୋକସଭା ନିର୍ବାଚନ: ତିନ ଦଳରୁ ନୂଆ ଚେହେରା ! ଭର୍ତ୍ତୃହରିଙ୍କ ବଦଳରେ ନୂଆ ଆଶାୟୀଙ୍କୁ ମିଳିପାରେ ସୁଯୋଗ

କଟକ (ରବିନାରାୟଣ ଦାଶ) ୩୦/୦୧: କଟକ ଲୋକସଭା ନିର୍ବାଚନମଣ୍ଡଳୀରୁ ୬ ଥର ନିର୍ବାଚିତ ହୋଇ ସାରିଲେଣି ବିଜେଡିର ଭେଟେରାନ୍‌ ନେତା ଭର୍ତ୍ତୃହରି ମହତାବ । ୧୯୯୮ରୁ ଆଉ ପଛକୁ ଚାହିଁ ନଥିବା ଭର୍ତ୍ତୃହରି ୨୦୧୭ ମସିହା ପାଇଁ ମର୍ଯ୍ୟାଦାଜନକ ଆଉଟ୍‌ଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍‌ ଆୱାର୍ଡ ପାଇଛନ୍ତି । କିନ୍ତୁ ଗତ କିଛି ନିର୍ବାଚନରେ ଦଳୀୟ ଟିକେଟ୍‌ ବଣ୍ଟନ ବେଳେ ତାଙ୍କୁ ନେଇ ଅନିଶ୍ଚିତତା ଓ ଆଶଙ୍କା ବ୍ୟକ୍ତ କରାଯାଇ ଆସୁଛି । ଭର୍ତ୍ତୃୃହରିଙ୍କୁ ଏଥର ବିଜେଡି ଟିକେଟ୍‌ ଦେବ ନାହିଁ ବୋଲି ଚର୍ଚ୍ଚା ମଧ୍ୟ ହୁଏ । ମାତ୍ର ଶେଷକୁ ଟିକେଟ ମିଳେ ଓ ସେ ବିଜୟୀ ମଧ୍ୟ ହୁଅନ୍ତି । 

ଏଭଳି ଚର୍ଚ୍ଚା ପଛର ସବୁଠୁ ବଡ଼ କାରଣ ହେଲା ଭର୍ତ୍ତୃହରି ଅନେକ ପ୍ରସଙ୍ଗରେ ନିଜ ଅସହମତି ଖୋଲାଖୋଲି ବ୍ୟକ୍ତ କରନ୍ତି । ବିଜେଡିର ତତ୍କାଳୀନ ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର ହୁଅନ୍ତୁ କି ବର୍ତ୍ତମାନ ନିଷ୍ପତ୍ତି ନେଉଥିବା ବିଜେଡିର ଶୀର୍ଷ ନେତୃମଣ୍ଡଳୀ, ସବୁ କ୍ଷେତ୍ରରେ, ସବୁଠି ସେ ଭିନ୍ନମତ ଖୋଲାଖୋଲି ଭାବେ ରଖିଦିଅନ୍ତି । ଏଭଳି ବିରୋଧାଭାସ ସତ୍ତେ୍ୱ ବିଜେଡି ସୁପ୍ରିମୋ ନବୀନଙ୍କ ସହ ସୁସଂପର୍କ ହିଁ ତାଙ୍କୁ ସବୁ ପ୍ରତିକୂଳତା ପାର୍‌ କରାଇଦିଏ ବୋଲି କୁହାଯାଏ । ଏଥର କିନ୍ତୁ ସ୍ଥିତିରେ ପରିବର୍ତ୍ତନର ଆଭାସ ଆସୁଛି । ବିଜେପି ସହ ଭର୍ତ୍ତୃହରିଙ୍କ ଘନିଷ୍ଠତା ବି ଅନେକ କିଛି ଚର୍ଚ୍ଚାର ଖୋରାକ ଦେଉଛି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ୨୦୨୪ ନିର୍ବାଚନରେ ବିଜେଡି ତରଫରୁ ଭର୍ତ୍ତୃହରିଙ୍କ ପାଇଁ ବାଟ ବନ୍ଦ ହେବ କି ବିଜେପିରୁ ଆରମ୍ଭ ହେବ ତାହା ଏବେଠୁ ଆକଳନ କରିବା କଷ୍ଟକର । ଭର୍ତ୍ତୃହରିଙ୍କ ବଦଳରେ ବିଜେଡି ନୂଆ ଚେହେରା ଦେଇପାରେ ।

ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟୀ-କଟକ, ଚୌଦ୍ୱାର-କଟକ, କଟକ ସଦର ଓ ଖଣ୍ଡପଡ଼ା ବିଧାନସଭା କ୍ଷେତ୍ରକୁ ନେଇ କଟକ ଲୋକସଭା ଆସନ ଗଠିତ । ଅତୀତରେ ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ନିତ୍ୟାନନ୍ଦ କାନୁନ୍‌ଗୋ, ଜାନକୀ ବଲ୍ଳଭ ପଟ୍ଟନାୟକ, ଜୟନ୍ତୀ ପଟ୍ଟନାୟକ, ଶ୍ରୀକାନ୍ତ ଜେନାଙ୍କ ଭଳି ଟାଣୁଆ ନେତା କଟକ ଲୋକସଭାରୁ ପ୍ରତିନିଧିତ୍ୱ କରିଛନ୍ତି। ଜୟନ୍ତୀ ପଟ୍ଟନାୟକ ଓ ଶ୍ରୀକାନ୍ତ ଜେନା କ୍ରମାଗତ ଭାବେ ଦୁଇ ଥର ଓ ଜାନକୀ ବଲ୍ଳଭ ପଟ୍ଟନାୟକ ଭିନ୍ନ ଭିନ୍ନ ସମୟରେ ଦୁଇ ଥର ନିର୍ବାଚିତ ହୋଇଛନ୍ତି । କିନ୍ତୁ କୌଣସି ନେତା ଏଠାରୁ ତିନି ଥର ନିର୍ବାଚିତ ହେବାର ସୁଯୋଗ ପାଇନଥିବା ବେଳେ ଭର୍ତ୍ତୃହରି ମହତାବ ଲଗାତାର ଭାବେ ୬ ଥର ନିର୍ବାଚିତ ହୋଇ ଏକ ବିରଳ ରେକର୍ଡ ସ୍ଥାପନ କରିଛନ୍ତି ।

ପ୍ରତିଥର କୌଣସି ନା କୌଣସି ଏକ କାରଣ ତାଙ୍କ ବିଜୟ ପାଇଁ ପଥ ପରିଷ୍କାର କରିଥାଏ । ବିଶେଷ କରି କଟକ ଜିଲ୍ଲାରେ ପ୍ରତିଟି ବିଧାନସଭା କ୍ଷେତ୍ରରେ ବିଜେଡିର ଦୃଢ ସଂଗଠନ ଓ ବିଧାୟକମାନଙ୍କ ସମର୍ଥ ନେତୃତ୍ୱ ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଭର୍ତ୍ତୃହରିଙ୍କ ବିଜୟ ରାସ୍ତାକୁ ସହଜ କରିଥାଏ ବୋଲି କୁହାଯାଏ । କେବଳ ସେତିକି ନୁହେଁ, ବିପକ୍ଷ ଦଳମାନେ ପ୍ରତି ନିର୍ବାଚନରେ ପ୍ରାର୍ଥୀ ବଦଳ କରୁଥିବାରୁ ଭର୍ତ୍ତୃହରିଙ୍କୁ ବିଜୟ ପାଇଁ ବେଶି କସରତ ମଧ୍ୟ କରିବାକୁ ପଡ଼ିନଥାଏ । ଅବଶ୍ୟ ୨୦୧୯ ନିର୍ବାଚନରେ ଲଢେଇ କିଛିଟା ରୋଚକ ହୋଇଥିଲା, ତଥାପି ବିଜୟ ବ୍ୟବଧାନ ଏକ ଲକ୍ଷ ଭୋଟରୁ ଅଧିକ ରହିଥିଲା ।

୨୦୧୯ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ପୂର୍ବତନ ଡିଜି ପ୍ରକାଶ ମିଶ୍ର ମଇଦାନକୁ ଓହ୍ଲାଇଥିଲେ । ଡିଜି ପଦରୁ ତାଙ୍କୁ ଅଚାନକ ଅପସାରଣ କରାଯିବା ଘଟଣା ଓ ଜଣେ ସଚ୍ଚୋଟ ପୁଲିସ ଅଫିସର ଭାବେ ତାଙ୍କ ଉଜ୍ଜ୍ୱଳ ଛବି ନିର୍ବାଚନରେ ଏକ ହାୱା ସୃଷ୍ଟି କରିଥିଲା । ଗୋଟିଏପଟେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଓ ଅନ୍ୟପଟେ ପ୍ରକାଶ ମିଶ୍ରଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା କାରଣରୁ କଟକ ସଂସଦୀୟ କ୍ଷେତ୍ର ନିର୍ବାଚନ ଫଳାଫଳ ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା । ଲଢେଇ ମଧ୍ୟ ଜୋରଦାର ହୋଇଥିଲା । ପ୍ରଥମ ଥର ପାଇଁ କଟକ ଲୋକସଭା ନିର୍ବାଚନରେ ବିଜେପି ଦ୍ୱିତୀୟ ସ୍ଥାନକୁ ଆସିବା ସହ ପ୍ରକାଶ ମିଶ୍ରଙ୍କୁ ମିଳିଥିଲା ୪ ଲକ୍ଷ ୩ ହଜାର ୩୨୯ ଭୋଟ୍‌ । କଂଗ୍ରେସର ଦୁର୍ବଳ ସ୍ଥିତି ବିଜେପିକୁ ଅଧିକ ଫାଇଦା ଦେଇଥିଲା । କଟକ ସଂସଦୀୟ କ୍ଷେତ୍ରରେ ପ୍ରଥମ ଥର ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀଙ୍କ ମୋଟ୍‌ ଭୋଟ୍‌ ୧ ଲକ୍ଷ ବି ଟପି ପାରିଲା ନାହିଁ । ପୂର୍ବରୁ କୌଣସି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ଭୋଟ୍‌ ୨ ଲକ୍ଷ ତଳକୁ ଖସି ନଥିବାବେଳେ ୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ପଞ୍ଚାନନ କାନୁନ୍‌ଗୋଙ୍କୁ ମାତ୍ର ୯୯ ହଜାର ୮୪୭ ଖଣ୍ଡ ଭୋଟ୍‌ ମିଳିଥିଲା । ଏହା ସତ୍ତେ୍ୱ ଶ୍ରୀ ମହତାବଙ୍କୁ ୫ ଲକ୍ଷ ୨୪ ହଜାର ୫୯୨ ଖଣ୍ଡ ଭୋଟ୍‌ ମିଳିବା ସହ ସେ ୧ ଲକ୍ଷ ୨୧ ହଜାରରୁ ଅଧିକ ଭୋଟ୍‌ରେ ଷଷ୍ଠ ଥର ପାଇଁ ନିର୍ବାଚିତ ହେଲେ । 

 ଏହି ନିର୍ବାଚନରେ ଭର୍ତ୍ତୃହରିଙ୍କ ବିଜୟ ସହଜ କରିଥିଲା ଆଠଗଡ଼ ବିଧାନସଭା କ୍ଷେତ୍ର ଓ କଟକ ଜିଲ୍ଳା ବାହାରେ ଥିବା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀ । ଆଠଗଡ଼ ୩୩ ହଜାର ୧୩୬ ଖଣ୍ଡ ଓ ଖଣ୍ଡପଡ଼ା ୫୨ ହଜାର ୬୦୭ ଭୋଟ୍‌ ଲିଡ୍‌ ଦେଇଥିଲା ବିଜେଡି ସାଂସଦ ପ୍ରାର୍ଥୀଙ୍କୁ । ଅର୍ଥାତ୍‌ ଏହି ଦୁଇ ନିର୍ବାଚନ ମଣ୍ଡଳୀ ଭର୍ତ୍ତୃହରିଙ୍କୁ ୮୫ ହଜାର ୭୪୩ ଖଣ୍ଡ ଭୋଟରେ ଅଗ୍ରଣୀ କରାଇଥିଲା, ଯାହାକି ତାଙ୍କ ବିଜୟକୁ ସହଜ ଓ ସୁଗମ କରିଥିଲା । 

ଏବେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଭର୍ତ୍ତୃହରି ମହତାବ ବିଜେଡିଠାରୁ ଦୂରେଇ ଦୂରେଇ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି । ଅନେକ ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ନୀତିକୁ ଖୋଲାଖୋଲି ଭାବେ ସମାଲୋଚନା କରିବାର ନଜିର ଅଛି । ଭର୍ତ୍ତୃହରିଙ୍କ ମାଲିକାନାରେ ଥିବା ଖବରକାଗଜ ‘ପ୍ରଜାତନ୍ତ୍ର’ର ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବେ ଆସିବା ବି ଏ ପ୍ରକାର ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ସବୁଠୁ ବଡ଼ କଥା ହେଉଛି, ଏଇ ନିକଟରେ ବିଜେଡି ସରକାରର ଦୁଇଟି ବଡ଼ କାର୍ଯ୍ୟକ୍ରମରେ ସେ ଯୋଗ ଦେଲେ ନାହିଁ । ବାରଙ୍ଗ ରତାଗଡ଼ଠାରେ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ସ୍ଥାନୀୟ ସାଂସଦ ଭାବେ ଶ୍ରୀ ମହତାବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା କଥା । ବିଜେଡିର ମାଳମାଳ ନେତାଙ୍କ ଗହଣରେ କିନ୍ତୁ ତାଙ୍କର ଦେଖା ମିଳିନଥିଲା । ତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା ବୋଲି ଖୋଲାଖୋଲି ଗଣମାଧ୍ୟମରେ କହିଥିଲେ ଶ୍ରୀ ମହତାବ । ସେହିପରି ଏହାର କିଛି ଦିନ ପରେ ବାଲିଯାତ୍ରା ଉପର ପଡ଼ିଆରେ ଆୟୋଜିତ ହୋଇଥିଲା ଆମ ଓଡ଼ିଶା-ନବୀନ ଓଡ଼ିଶା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଉପସ୍ଥିତ ଥିବା ବେଳେ କଟକ ସାଂସଦ ଶ୍ରୀ ମହତାବ ଆସିନଥିଲେ । ହୁଏତ ଆଗାମୀ ନିର୍ବାଚନ ପୂର୍ବରୁ ଏହାର ପ୍ରଭାବ ଦେଖିବାକୁ ମିଳିପାରେ ବୋଲି କୁହାଯାଉଛି । 

ଅନ୍ୟପକ୍ଷରେ ଗତଥର ବିଜେପି ପ୍ରାର୍ଥୀ ଭାବେ ଭଲ ମୁକାବିଲା କରିଥିବା ପୂର୍ବତନ ଡିଜି ପ୍ରକାଶ ମିଶ୍ର ଗତ ନିର୍ବାଚନ ପରଠାରୁ ଆଉ ବିଶେଷ ସକ୍ରିୟ ନାହାନ୍ତି । ତେଣୁ ଶ୍ରୀ ମିଶ୍ର ଦ୍ୱିତୀୟ ବାର ଏଠାରୁ ବିଜେପି ପ୍ରାର୍ଥୀ ହେବାର ସମ୍ଭାବନା ନାହିଁ । ତେଣୁ ଏଥର ବିଜେପି ନୂଆ ମୁହଁ ଭାବେ କାହାକୁ ମଇଦାନକୁ ଆଣିବ । ପ୍ରଥମେ ବିଶିଷ୍ଟ ଚିକିତ୍ସାବିତ୍‌ ପ୍ରଫେସର ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ନାଁ ଶୁଣିବାକୁ ମିଳୁଥିବା ବେଳେ ଏବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବି ଚର୍ଚ୍ଚାରେ ଅଛନ୍ତି । ସେହିପରି ବିଜେପିର ଆଉ କିଛି ଆଶାୟୀ ବି ତାଲିକାରେ ଅଛନ୍ତି । କିନ୍ତୁ ପ୍ରାର୍ଥିତ୍ୱ ନେଇ ସ୍ପଷ୍ଟ ଚିତ୍ର ମିଳିନାହିଁ । ସେହିପରି କଂଗ୍ରେସର ପ୍ରାର୍ଥୀ କିଏ ହେବେ ତାର କିଛି ଠିକ୍‌ ଠିକଣା ବି ନାହିଁ । ଏଭଳି ସ୍ଥିତିରେ ପ୍ରମୁଖ ତିନି ଦଳର ପ୍ରାର୍ଥିତ୍ୱ ନେଇ ସାଧାରଣରେ ଅଙ୍କକଷା ଚାଲିଛି । 

Also Read :-

କିଏ ଯିବ ଦିଲ୍ଲୀ ଦରବାର, ଆରମ୍ଭ ହେଲା ଅଙ୍କକଷା: ରାଜ୍ୟସଭା ସିଟ୍ ପାଇଁ ଲବିରେ ଦୁଇ ଡଜନ ନେତା

  • prameyanews
  • PrameyaOdia
  • prameya
  • General Election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.