ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶ୍ରମିକ ଦିବସ; ଦୁର୍ଦ୍ଦିନରେ ଘରୋଇ ସହାୟିକା, ସରକାରୀ ସହାୟତାରୁ ହେଉଛନ୍ତି ବଞ୍ଚିତ

ଭୁବନେଶ୍ୱର, ୧।୫: ଆମେ ଗରିବ ଲୋକ । ଖଟିଲେ ଖାଇବୁ । ପର ଘରେ ବାସନ ମାଜିଲେ ଦିପଇସା ପାଇବୁ । ନ ଖଟିଲେ ନଚଳେ । ଦେହ ଖରାପ ହେଉ କି ମନ, କାମରେ ଖିଲାପ ନାହିଁ । ଅଇଁଠା ବାସନ ମାଜିବା ହେଉଛି ଆମ ଭାଗ୍ୟ । ରାତି ପାହିଲେ ବାବୁ, ବ୍ୟବସାୟୀଙ୍କ ଘରେ ପାଇଟି କରୁ । ହେଲେ ଆମ କଥା କେହି ଥରେ ଭାବନ୍ତି ନାହିଁ । ୫ ମିନିଟ୍‌ ଡେରି ହୋଇଗଲେ ଅନେକ କଥା ଶୁଣିବାକୁ ପଡ଼େ । ଆମ ଘର କାମ ବରଂ ପଛରେ ପଡ଼ିଥାଉ ଆମେ ଦୌଡ଼ୁ ମାଲିକଙ୍କ ଘରକୁ । ହେଲେ ଆମ କଥା ଘର ମାଲିକ ବୁଝନ୍ତିନି କି ସରକାର ଦୃଷ୍ଟି ଦିଅନ୍ତିନି । ଏ ହେଉଛନ୍ତି ଜାଗମରାରେ ରହୁଥିବା ଘରୋଇ ସହାୟିକା କଇଁ ଭୋଇଙ୍କର କଥା । ବାବୁମାନଙ୍କ ମୁହଁରେ କଇଁ ହେଉଛନ୍ତି କାମବାଲି । ଭୁବନେଶ୍ୱର ଅଧିକାଂଶ ଘରେ କର୍ମଜୀବୀ ଦମ୍ପତି ଦେଖିବାକୁ ମିଳେ । ସେମାନଙ୍କୁ ଘର କାମସାରି କର୍ମକ୍ଷେତ୍ରକୁ ବାହାରିବା ପାଇଁ ସମୟ ହୁଏ ନାହିଁ । 

ସେଥିପାଇଁ ସେମାନେ ସମ୍ପୂର୍ଣ୍ଣରୂପେ କାମବାଲିଙ୍କ ଉପରେ ନିର୍ଭର କରନ୍ତି । ଦିନେ ଏମାନେ କାମ ବନ୍ଦ କରିଦେଲେ ମାଲିକଙ୍କର ଭାଳେଣି ପଡ଼ିଯାଏ । ସେଦିନ ଆଉ ବାବୁଙ୍କ ଘରେ ଚୁଲି ଜଳେନି । ଅନଲାଇନ୍‌ରୁ ଖାଇବା ଅର୍ଡର ଦିଆହୁଏ । ରାଜଧାନୀରେ ପ୍ରାୟ ୨୫ ହଜାରରୁ ଅଧିକ ମହିଳା ଘରୋଇ ସହାୟିକା କାମ କରୁଛନ୍ତି । ହେଲେ ଏମାନଙ୍କ ସହାୟତା ପାଇଁ କେହି ନାହାନ୍ତି । ଅନ୍ୟ ଶ୍ରମିକଙ୍କ ପରି ଏମାନଙ୍କର କୌଣସି ଯୋଜନାରେ ନାମ ପଞ୍ଜୀକରଣ ହେଉନାହିଁ । ଫଳରେ ବଡ଼ ଦୁଃଖରେ ପର ଘରେ କାମ କରି ଚଳୁଛନ୍ତି । ଡୁମୁଡୁମାର ସରିତା କୁହନ୍ତି, ପୁଅ କି ସ୍ୱାମୀଙ୍କ ଦେହ ଖରାପ ହେଲେ ବି ମୋତେ କାମକୁ ଯିବାକୁ ପଡ଼ିଥାଏ । ୮ଟା ସୁଦ୍ଧା ବାବୁଙ୍କୁ ରାନ୍ଧିକରି ଦେବାକୁ ହେବ । ବାବୁ ୯ଟାରେ ଅଫିସ୍‌ ଯିବେ । ପ୍ରତି ଘରେ ମୋତେ ୨ଘଣ୍ଟା ସମୟ ଦେବାକୁ ପଡ଼ିଥାଏ । ବାବୁଙ୍କ ଘରକୁ ଯେତେବେଳେ କୁଣିଆ ଆସନ୍ତି, ସେଦିନ ମୋ ଦୁଃଖ ବଢ଼ିଯାଏ । ମାଛ, ମାଂସ ରାନ୍ଧି ଘରକୁ ଆସିଲା ବେଳକୁ ଗୋଟାଏ ବାଜିଯାଏ । ଘରେ ଆସି ଭାତ ମୁଠାଏ ରାନ୍ଧିବାକୁ ମୋତେ ତର ହୁଏନି । ସେହିପରି ବିମଳା ବେହେରା କହନ୍ତି, ଖଟିବି ସାଆନ୍ତ ପରି ଖାଇବି । ଘରେ ବସିଲେ କିଏ ଦବ । ମୋ ଦେହରେ ଦୁନିଆ ରୋଗ । ଏପଟେ ବଟିକା ଖାଉଛି ସେପଟେ ଖଟୁଛି । 

ସରକାର ସମସ୍ତ ଶ୍ରମିକଙ୍କ ପାଇଁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ଛାତ୍ରବୃତ୍ତିଠୁ ଆରମ୍ଭ କରି ପ୍ରସୂତିକାଳୀନ ସହାୟତା ରାଶି ମିଳୁଛି ନିର୍ମାଣ ଶ୍ରମିକଙ୍କୁ । ହେଲେ ଆମେ ଘରୋଇ ସହାୟିକାଙ୍କୁ ଶ୍ରମିକ ଭାବେ ଗଣତି କରୁନାହାଁନ୍ତି । ନିର୍ମାଣ ଶ୍ରମିକ ପାଉଥିବା ସମସ୍ତ ସୁବିଧା ସୁଯୋଗରୁ ଘରୋଇ ସହାୟିକା ଶ୍ରମିକ ବଞ୍ଚିତ ହେଉଛନ୍ତି । କେବଳ କଇଁ, ବିମଳା, ସରୀତା କାହିଁକି ରାଜଧାନୀର ଅଧିକାଂଶ ମହିଳା ଘରୋଇ ସହାୟିକା ଭାବେ କାମ କରୁଥିବା ଶ୍ରମିକ କଷ୍ଟରେ ଦିନ କାଟୁଛନ୍ତି  । ବିଶେଷ କରି ଏମାନେ ବଡ଼ ସରକାରୀ ଅଫିସର, ନେତା ମନ୍ତ୍ରୀ , ବିଧାୟକ, ଶିଳ୍ପପତିଙ୍କ ଘର ସମେତ ଅନ୍ୟମାନଙ୍କ ଘରେ ମଧ୍ୟ ଘରୋଇ ସହାୟିକା କାମ କରୁଛନ୍ତି । ସେମାନେ ନଗଲେ ବାବୁ ମାନଙ୍କ ଘରେ ଚୁଲି ଜଳେନି କି ଘର ଅଳିଆ ସଫା ହୁଏନି । କାମକରୁଥିବା ଘରୋଇ ସହାୟିକାମାନେ ବହୁତ ଦୁର୍ଦ୍ଦିନରେ ରହୁଛନ୍ତି । ସେମାନଙ୍କ ପାଇଁ କେହି ଚିନ୍ତା କରନ୍ତି ନାହିଁ । ସେମାନଙ୍କୁ ନିର୍ମାଣ ଶ୍ରମିକମାନେ ପାଉଥିବା ସମସ୍ତ ସରକାରୀ ଯୋଜନାରେ ସାମିଲ କରିବାକୁ ଦାବି ହେଇଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.