ଭୁବନେଶ୍ୱର,୧୬/୦୪: ପୁଲିସ ସହାୟତା ପାଇଁ ଡାଏଲ କରନ୍ତୁ ୧୦୦.. ଅଗ୍ନିଶମ ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୮ ଡାଏଲ କରନ୍ତୁ । ଜରୁରିକାଳୀନ ସେବା ଯୋଗାଇଦେବାକୁ ରାଜ୍ୟ ସରକାର ଏମିତି ଅନେକ ନମ୍ବର ଜାରି କରିଥିଲେ । ମାତ୍ର ଲୋକଙ୍କ ସୁବିଧା ପାଇଁ ଏସବୁ ନମ୍ବରକୁ ଏକାଠି କରି ୧୧୨ ଜାରି କରାଗଲା । ମାତ୍ର ଏବେ ବି ଏପରି ଆହୁରି ଗୁଡ଼ିଏ ଜରୁରିକାଳୀନ ନମ୍ବର ରହିଛି ଯାହା ସହାୟତା ଯୋଗାଇଦେବା ବଦଳରେ ନିଜେ ସହାୟତା ଖୋଜୁଛି ।
୨୦୨୧ ମାର୍ଚ୍ଚ ୧୯ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୧୧୨ ନମ୍ବରକୁ ଲୋକାର୍ପଣ କରାଯାଇଥିଲା । ଜରୁରିକାଳୀନ ସେବା ପାଇଁ କାମ କରୁଥିବା ଏକାଧିକ ନମ୍ବରକୁ ୧୧୨ ସହିତ ସଂଯୋଗ କରାଯାଇଥିଲା । ସେଥିରେ ପୋଲିସର ୧୦୦, ଅଗ୍ନିଶମ ପାଇଁ ୧୦୧, ଆମ୍ବୁଲାନ୍ସ ପାଇଁ ୧୦୮, ମହିଳା ସହାୟତା ପାଇଁ ୧୮୧ ନମ୍ବର ପରି ବହୁ ଜରୁରୀ ନମ୍ବରକୁ ୧୧୨ ସହିତ ସଂଯୋଗ କରାଯାଇଛି । ଏହି ସବୁ ନମ୍ବରକୁ ଯୋଗାଯୋଗ କଲେ ତାହା ସିଧାସଳଖ ୧୧୨କୁ ସଂଯୋଗ ହୋଇଥାଏ । ଗୋଟିଏ ନମ୍ବର ଡାଏଲ୍ କଲେ ସବୁ ପ୍ରକାରର ସୁବିଧା ମିଳିଯାଉଛି ।
କିନ୍ତୁ ଏହା ବାଦ ଆହୁରି କିଛି ଜରୁରିକାଳୀନ ନମ୍ବରକୁ ୧୧୨ ସହିତ ଯୋଡା ଯାଇପାରି ନାହିଁ । ଫଳରେ ବିଭିନ୍ନ ସେବା ପାଇଁ ଉକ୍ତ ସ୍ୱତନ୍ତ୍ର ନମ୍ବରରେ ସହାୟତା ଲାଗି କଲ୍ କରିବାକୁ ପଡୁଛି । ମାତ୍ର ଉକ୍ତ ନମ୍ବର ସବୁ ସେବା ଯୋଗାଇଦେବା ବଦଳରେ ନିଜେ ସେବା ଖୋଜୁଛନ୍ତି । କେଉଁ ନମ୍ବର ବନ୍ଦ ହୋଇଯାଇଛି ତ ଆଉ କେଉଁ ନମ୍ବର ଅମାନ୍ୟ ଥିବା ବାର୍ତ୍ତା ଆସୁଛି । ଆଉ କିଛି ନମ୍ବରକୁ ଡାଏଲ କଲେ ଏହା ଭୁଲ୍ ବୋଲି କହୁଛି ନହେଲ ପୁନଃଯାଞ୍ଚ କରନ୍ତୁ ବୋଲି କୁହାଯାଉଛି ।
ସାହାଯ୍ୟ ଅପେକ୍ଷାରେ ଥିବା ନମ୍ବର ଗୁଡିକ ଭିତରେ ରହିଛି ଆମ୍ବୁଲାନ୍ସ ଜନନୀ (୧୦୨) । ଏହି ନମ୍ବରରେ କଲ୍ କଲେ ସେପଟୁ ଉତ୍ତର ଆସୁଛି ‘ଆପଣ ଡାଏଲ କରିଥିବା ନମ୍ବର କାହାରିକୁ ଦିଆଯାଇନାହିଁ’ । ସେହିଭଳି ଦୁର୍ନୀତି ବିରୋଧୀ (୧୦୩୧) ନମ୍ବରକୁ କଲ୍ କଲେ ନମ୍ବର ଅମାନ୍ୟ ଥିବା କୁହାଯାଉଛି। ରେଳ ଦୁର୍ଘଟଣା(୧୦୭୨) ଏବଂ ସଡ଼କ ଦୁର୍ଘଟଣା (୧୦୭୩)କୁ କଲ୍ କରାଗଲେ କୁହାଯାଉଛି ଡାଏଲ୍ କରିଥିବା ନମ୍ବର କାହାରିକୁ ଦିଆଯାଇନାହିଁ । ଏହି ଜରୁରୀକାଳୀନ ନମ୍ବର ଗୁଡ଼ିକ ଅନେକ ଦିନ ହେଲା ଅକାମୀ ହୋଇ ପଡ଼ିରହିଛି ମାତ୍ର ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କ ପାଖରେ ଖବର ନାହିଁ ।
ଭୂକମ୍ପ ପାଇଁ ଥିବା ୧୦୯୨ ନମ୍ବରକୁ ଡାଏଲ କଲେ ନମ୍ବର ଯାଞ୍ଚ କରନ୍ତୁ ବୋଲି କହୁଛି । ମୁଖ୍ୟମନ୍ତ୍ରୀଙ୍କ ସହାୟତା ନମ୍ବର (୧୦୭୬)କୁ କଲ୍ କଲେ ନମ୍ବରଟି ଅମାନ୍ୟ ଥିବା କହୁଛି । ଅପରାଧ ସ୍ଥଗିତ ନମ୍ବର (୧୦୯୦)କୁ ଯୋଗାଯୋଗ କଲେ ଏହା ବୈଧ୍ୟ ନୁହେଁ ବୋଲି ଶୁଣିବାକୁ ମିଳୁଛି । ଏଲ୍ପିଜି ଲିକ୍ ନମ୍ବର(୧୯୦୬) କୁ ଯୋଗାଯୋଗ କଲେ କହୁଛି ଏହି ରୁଟ୍ର ସବୁ ଲାଇନ୍ ବ୍ୟସ୍ତ ଅଛି, କିଛି ସମୟ ପରେ ଯୋଗାଯୋଗ କରନ୍ତୁ । ନାଗରିକ କଲ୍ ସେଣ୍ଟର ନମ୍ବର(୧୫୫୩୦୦) ନମ୍ବରକୁ ଯୋଗାଯୋଗ କଲେ କହୁଛି ଆପଣ ଡାଏଲ କରିଥିବା ନମ୍ବର ଅମାନ୍ୟ ଅଟେ । ଏଭଳି ବହୁ ଜରୁରୀକାଳୀନ ନମ୍ବର ଅଛି ଯାହାକୁ କଲ କଲେ କିଛି ସମୟ ବିପ୍ ସାଉଣ୍ଡ ଆସିବା ପରେ କଲ କଟିଯାଉଛି ।