ପ୍ରମୂଖ ଖବର
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଶେହବାଜ ଶରିଫଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଲେ ନଓ୍ବାଜ ଶରିଫ୍‌

Image Courtesy: ndtv

ଇସ୍ଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପାକିସ୍ତାନ ମୁସଲିମ ଲିଗ୍‌-ନଓ୍ବାଜ(ପିଏମଏଲ-ଏନ)ର ମୁଖ୍ୟ ନଓ୍ବାଜ ଶରିଫ ଭାରତର ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିବା ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନିକଟରେ ଆସିଥିବା ଲୋକସଭା ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି କିଭଳି ମୋଦୀଙ୍କ ଉପରେ ଦେଶବାସୀଙ୍କ ଭରସା ଅତୁଟ ରହିଛି ବୋଲି ନଓ୍ବାଜ ଶରିଫ କହିଛନ୍ତି । ଏହା ସହ ସେ ଇସାରାରେ ଦୁଇ ଦେଶର ସଂପର୍କ ସୁଧାରିବା ଉପରେ ଗୁରୁତ୍ବାରୋପ କରିଛନ୍ତି ।

ଏକ୍ସରେ ପୋଷ୍ଟ କରି ନଓ୍ବାଜ ଶରିଫ ଲେଖିଛନ୍ତି, ‘ତୃତୀୟ ଥର ଦାୟିତ୍ବ ସମ୍ଭାଳିଥିବା ମୋଦୀଙ୍କୁ ମୋର ଶୁଭକାମନା । ନିର୍ବାଚନ ଫଳାଫଳ ଆପଣଙ୍କ ପାର୍ଟିର ସଫଳତାକୁ ବଖାଣଛି । ଆପଣଙ୍କ ନେତୃତ୍ବ ଉପରେ ଦେଶବାସୀଙ୍କ ବିଶ୍ବାସ ଅତୁଟ ରହିଛି।  ଆସନ୍ତୁ ଘୃଣାକୁ ଆଶାରେ ପରିଣତ କରି ଦକ୍ଷିଣ ଏସିଆର ଦୁଇ ଆରବ ଲୋକଙ୍କ ଆକାଂକ୍ଷାକୁ ଆକାର ଦେବା ଲାଗି ଏହି ସମୟର ଫାଇଦା ଉଠାଇବା ।’

ନଓ୍ବାଜ ଶରିଫଙ୍କ ସମେତ ତାଙ୍କ ସାନ ଭାଇ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶେହବାଜ ଶରିଫ ଏକ୍ସରେ ପୋଷ୍ଟ କରିଥିଲେ ଯେ, ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଥିବା ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା।’ ତେବେ ୨୦୧୩ରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ନଓ୍ବାଜ ଶରିଫ ନିର୍ବାଚିତ ହେବା ପରେ ଭାରତ ସହ ସଂପର୍କ ସୁଧାରିବା ଉପରେ ଜୋର ଦେଇଥିଲେ । ଏହା ପରେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ ନରେନ୍ଦ୍ର ମୋଦୀ । ଶପଥ ଗ୍ରହଣ ଉତ୍ସବକୁ ନଓ୍ବାଜ ଶରିଫଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଇତିହାସରେ ପ୍ରଥମ ଥର ଲାଗି କୌଣସି ପାକିସ୍ତାନ ପ୍ରଧାନମନ୍ତ୍ରୀ  (ନଓ୍ବାଜ ଶରିଫ) ଭାରତର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ । 

ଏହା ପରେ ୨୦୧୫ରେ ଆଫଗାନିସ୍ତାନରୁ ଫେରୁଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହଠାତ ପାକିସ୍ତାନରେ ପହଞ୍ଚିଯାଇଥିଲେ । ଲାହୋର ଏୟାରପୋର୍ଟରେ ମୋଦୀଙ୍କୁ ସ୍ବାଗତ କରିଥିଲେ ନଓ୍ବାଜ ଶରିଫ । ଏହା ପରେ ଉଭୟ ଏକ ହେଲିକପ୍ଟର ଯୋଗେ ରାଓ୍ବଲପିଣ୍ଡି ଯାଇଥିଲେ । ସେଠାରେ ନଓ୍ବାଜ ଶରିଫଙ୍କ ଝିଅଙ୍କ ବିବାହରେ ଯୋଗ ଦେଇ ଭାରତ ଫେରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ସଂପର୍କ ସୁଧାରିବାକୁ ଏତେ ସବୁ ପ୍ରୟାସ ପରେ ବି ସ୍ଥିତି ଯଥା ପୂର୍ବଂ ତଥା ପରମ୍‌ ହୋଇ ରହିଛି । 

  • Pakistan
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.