ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଭୋଟ ଗଣତି କାଉଣ୍ଟଡାଉନ୍‌: ରାଜ୍ୟରେ କାହାର ହେବ ସରକାର ? କେଉଁ ଦଳରୁ କେତେ ଏମ୍‌ପି

ଭୁବନେଶ୍ୱର,୦୨/୦୬: କାହାକୁ କେତେ ଆସନ? ଜନତା ଜନାର୍ଦ୍ଦନଙ୍କ ଆଶୀର୍ବାଦ ପାଇ କିଏ ସରକାର ଗଢ଼ିବ? କେନ୍ଦ୍ରରେ ପୁଣି ମୋଦି ନା ଆଉ କିଏ? ରାଜ୍ୟରେ ଲଗାତର ଷଷ୍ଠ ପାଳି ପାଇଁ ନବୀନ ଧରିବେ କି କ୍ଷମତା? ବିଜେପିର ମିଶନ ଡବଲ ଇଞ୍ଜିନ ସରକାର ସଫଳ ହେବ କି? କେଉଁ ଦଳରୁ କେତେ ଜଣ ଏମ୍‌ପି ଦିଲ୍ଲୀ ଯିବେ । ଏ ପ୍ରଶ୍ନର ଉତ୍ତର ପାଇବାକୁ ମଝିରେ ଆଉ ଦୁଇ ଦିନ । ଜୁନ୍‌ ୪ ଗଣତିରେ ଭୋଟ ଚବିଶର ଫଳ ବାହାରିବ । ଦଳପତି, ପ୍ରାର୍ଥୀଙ୍କ ଛାତି ଧଡ଼ପଡ଼ । ଟେନସନ ବଢ଼ି ବଢ଼ି ଚାଲିଛି । ଭୋଟ ଗଣତିକୁ ନେଇ ଜୋରଦାର ଧରିଛି କାଉଣ୍ଟ ଡାଉନ୍‌ । ଭୋଟ ଫଳ ଜାଣିବାକୁ ନିଃଶ୍ୱାସ ଅଟକାଇ ଅପେକ୍ଷା କରିଛି ସାରା ଓଡ଼ିଶା ।

ରାଜ୍ୟରେ ଶନିବାର ସରିଛି ଶେଷ ପର୍ଯ୍ୟାୟ ଭୋଟ । ଭୋଟ ସରିବା ପରେ ସନ୍ଧ୍ୟାରୁ ଆରମ୍ଭ ହୋଇଛି ଏଗଜିଟ୍‌ ପୋଲ । ସମ୍ଭାବ୍ୟ ଭୋଟ ଫଳାଫଳକୁ ନେଇ ସବୁ ଶିବିରରେ ମାନସ ମନ୍ଥନ । ଭୋଟ ମହାଲଢ଼େଇରେ ବିଜେତା କିଏ ତାହା ଜାଣିବାକୁ ସବୁ ମହଲରେ ଉତ୍ସୁକତା ଭରି ରହିଛି । ଜୁନ୍‌ ୪ରେ ଭୋଟ ଗଣତି ହିଁ କହିବ କିଏ ହେଉଛି ରାଜ୍ୟବାସୀଙ୍କର ପସନ୍ଦ ।

ପ୍ରାର୍ଥୀଙ୍କ ଭାଗ୍ୟକୁ ଭୋଟରମାନେ ଇଭିଏମ୍‌ରେ ସିଲ କରି ଦେଇଛନ୍ତି । ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ୨୧ ଲୋକସଭା ସହ ୧୪୭ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । ମତଦାନ ପରେ ଇଭିଏମ୍‌ ଓ ଭିଭିପାଟ୍‌ ଷ୍ଟ୍ରଙ୍ଗରୁମରେ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି । 

ରାଜ୍ୟର କେଉଁ ଗଡ଼ରେ କିଏ ଉଡ଼ାଇବ ବିଜୟ ବାନା ତାର ହିସାବ ଚାଲିଛି । ଏଥର ମତଦାତା ବେଶ ଚତୁରତାର ସହ ଗୋଟି ଚଳାଇଥିବାରୁ ବିଜୟ ଆକଳନର ସତ୍ୟତା ଆଶଙ୍କାରେ ମଧ୍ୟ ଝୁଲୁଛି । ଭୋଟ ଗଣତି ପୂର୍ବରୁ କିଏ ଦେବାଦେବୀଙ୍କ ଶରଣ ଗଲେଣି ତ ଆଉ କିଏ ଜ୍ୟୋତିଷଙ୍କ ପରାମର୍ଶରେ ପୂଜାପାଠ କଲେଣି । 

କେନ୍ଦ୍ରାପଡ଼ାରୁ କଳାହାଣ୍ଡି, ମୟୂରଭଞ୍ଜରୁ ମାଲକାନଗିରି ସବୁଠି ଏବେ ଭୋଟ ଚର୍ଚ୍ଚା । ଏଥର ଭୋଟରଙ୍କ ମୁଡ୍‌ ପରଖିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ ପାଇଁ ଏତେ ସହଜ ହୋଇନି । ଫଳାଫଳ କିଛି ବି ହୋଇପାରେ, ଏମିତି ଅନିଶ୍ଚିତତାର ଭୟ ମଧ୍ୟ ଗୋଡ଼ାଉଛି ।

 ଚଳିତ ନିର୍ବାଚନରେ ଯାହା ହେଲା, ଆଗରୁ ଏମିତି ହୋଇନଥିଲା । ପ୍ରଥମ ଥର ଓଡ଼ିଶା ଦେଖିଲା ଭୋଟ ମହା ଲଢ଼େଇ । ବିଜେଡି ଓ ବିଜେପି ଭୋଟ ମଇଦାନରେ ପୂରା ମୁହାଁମୁହିଁ ହୋଇଥିଲେ । ପ୍ରବଳ ଖରାରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ତଗଡ଼ା ଭୋଟ ପ୍ରଚାର ସାଙ୍ଗକୁ ବିଜ୍ଞାପନ, ହୋର୍ଡିଂ, କଟଆଉଟ୍‌ ଓ ଦଳୀୟ ପତାକାରେ ଛାଇ ହୋଇ ଯାଇଥିଲା ସାରା ଓଡ଼ିଶା ।  ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଠାରୁ ଆରମ୍ଭ କରି ପ୍ରାୟ ଡଜନେ କେନ୍ଦ୍ରମନ୍ତ୍ରୀ ଓ ବିଜେପି ମୁଖ୍ୟମନ୍ତ୍ରୀ ରାଜ୍ୟରେ ପ୍ରଚାରର ଚକ୍ରବ୍ୟୂହ ରଚିଥିଲେ । କଂଗ୍ରେସ ପାଇଁ ରାହୁଲ ଗାନ୍ଧି, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ଅନ୍ୟ ତାରକା ପ୍ରଚାରକଙ୍କ ଘନ ଘନ ଓଡ଼ିଶା ଗସ୍ତ ସହ ଭୋଟ ଭିକ୍ଷା ଏବଂ ହାଇଭୋଲଟେଜ୍‌ ପ୍ରଚାର ଏଥର ନିର୍ବାଚନକୁ ତତଲା କରିଥିଲା । 

 ବିଜେଡି ଦାବି କରୁଛି ଯେ, ଷଷ୍ଠ ଥର ପାଇଁ ପୁଣି ବିଜେଡି କ୍ଷମତାକୁ ଆସିବ । ନବୀନଙ୍କୁ ରାଜ୍ୟବାସୀ ପୁଣି ଆଶୀର୍ବାଦ କରିଛନ୍ତି । ବିଜେପି ଓ କଂଗ୍ରେସକୁ ଲୋକ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପି କ୍ୟାମ୍ପ ମଧ୍ୟ ଦର୍ଶାଉଛି, ଓଡ଼ିଶାରେ ଏଥର ପରିବର୍ତ୍ତନ ନିଶ୍ଚିତ । ରାଜ୍ୟବାସୀ ମୋଦି ଗ୍ୟାରେଣ୍ଟି ଉପରେ ଭରସା କରିଛନ୍ତି । ରାଜ୍ୟରେ ଏଥର ବିଜେପିର ଡବଲ ଇଞ୍ଜିନ ସରକାର । ଏପଟେ କଂଗ୍ରେସର ଯୁକ୍ତି ହେଲା, ବିଜେଡି ଓ ବିଜେପି ଚିତପଟାଙ୍ଗ ମାରିବେ । ରାଜ୍ୟବାସୀ ଆମ ସପକ୍ଷରେ ମତ ଦେଇଛନ୍ତି । ଇଭିଏମ୍‌ ସିଲ ଖୋଲିଲା ପରେ ହିଁ ଭାଗ୍ୟ ସ୍ପଷ୍ଟ ହେବ ।  

 ୪ରେ ଭୋଟ ଗଣତି ପାଇଁ ପ୍ରସ୍ତୁତି ଜୋର ଧରିଛି । ଏଥିପାଇଁ ରିଟର୍ଣ୍ଣିଂ ଅଫିସରମାନଙ୍କୁ ତାଲିମ ଦିଆଯାଇଛି । ନିରପେକ୍ଷ ଓ ସ୍ୱଛ ଗଣତି ପାଇଁ ବୈଷୟିକ ଦିଗକୁ ଫୋକସ୍‌ କରି ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ସକାଳ ୮ଟାରୁ ଗଣତି ଆରମ୍ଭ ହେବ । ପ୍ରଥମେ ରିଟର୍ଣ୍ଣିଂ ଅଫିସରଙ୍କ ଟେବୁଲରେ ପୋଷ୍ଟାଲ ବାଲଟର ଗଣତି ହେବ । ଓଡ଼ିଶାରେ ବିଧାନସଭା ସହ ଲୋକସଭାର ଏକାଥରକେ ଭୋଟ୍‌ ହୋଇଥିବାରୁ ଗଣତି ସମୟସାପେକ୍ଷ ହେବ । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଆମର ଅଧିକାଂଶ ଆସନର ଫଳାଫଳ ସ୍ପଷ୍ଟ ହେଲା ବେଳକୁ ବିଳମ୍ବିତ ରାତି ହୋଇଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।


  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.