ବୈପାରିଗୁଡା,୧୯/୦୯: କୁଲି କାମ କରିବାକୁ ଚେନ୍ନାଇ ଯାଇ ନିଖୋଜ ହେଲେ ସ୍ୱାମୀ ଭଗବାନ ଖରା । ଏହାରି ଭିତରେ ମାସେ ବିତିଗଲା । ହେଲେ ମିଳୁନି ସ୍ୱାମୀଙ୍କ ପତ୍ତା । ଶେଷରେ ଥାନାର ଦ୍ୱାରସ୍ତ ହେଲେ ସ୍ତ୍ରୀ । କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ମାଝୀଗୁଡା ଗାଁରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଭଗବାନ ଖରା ନିଜ ଗାଁର ଚାରିଜଣ ସାଥିଙ୍କ ସହ ମିଶି କାମ କରିବାକୁ ଚେନ୍ନାଇ ଯାଇଥିଲେ । ଏହାର କିଛି ଦିନ ପରେ ଗାଁକୁ ଚାରିଜଣ ଫେରିଥିବା ବେଳେ ଭଗବାନ ଖରା ଆଉ ଫେରିନାହାନ୍ତି । ଏଥିରେ ଆତ୍ମହରା ହୋଇପଡ଼ିଛନ୍ତି ଭଗବାନଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ । ନିଖୋଜ ସ୍ୱାମୀଙ୍କୁ ମାସେ କାଳ ତାଙ୍କ ସ୍ତ୍ରୀ ଏବଂ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଏହା ସତ୍ତ୍ୱେ ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ବାଧ୍ୟ ହୋଇ ସ୍ୱାମୀ ନିଖୋଜ ଘଟଣାକୁ ନେଇ ଗାଁ ଲୋକଙ୍କ ସହ ବୈପାରିଗୁଡା ଥାନାରେ ଭଗବାନଙ୍କ ସ୍ତ୍ରୀ ଅଭିଯୋଗ କରିଲେ ।