ପ୍ରମୂଖ ଖବର
  • ମାହାଙ୍ଗା: ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍, ଯୁବକଙ୍କ ମୃତ୍ୟୁ
  • ||
  • ମୋହନ ସରକାରଙ୍କ ପ୍ରଥମ ଅଧିବେଶନ, ୨୪ରେ ଉପବାଚସ୍ପତି ନିର୍ବାଚନ, ୨୫ରେ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ପ୍ୟାରିସ୍‌ ଅଲିମ୍ପିକ ୨୦୨୪: ୨୫ରୁ ତୀରନ୍ଦାଜୀ ଇଭେଣ୍ଟ, ରିକର୍ଭ ଇଭେଣ୍ଟରେ ଭାଗ ନେବେ ୬ ଭାରତୀୟ
  • ||
  • ଆସନ୍ତା ୨୬ ସୁଦ୍ଧା ଆଉ ଏକ ଲଘୁଚାପ, ତିନିଦିନ ପ୍ରବଳ ବର୍ଷା ସମ୍ଭାବନା: ଏବେ ବି ନିଅଣ୍ଟିଆ ସ୍ଥିତିରୁ ବାହାରିନି ୧୬ ଜିଲ୍ଲା
  • ||
  • ମୋଦି ୩.୦ ସରକାରର ପ୍ରଥମ ବଜେଟ୍‌, ୭ମ ଥର ପାଇଁ ବଜେଟ୍‌ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||

ଋଣଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି ନିରୀହ, ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜାଲରେ ଫସୁଛନ୍ତି

ଜଗତସିଂହପୁର, ୨୬।୬: ନିର୍ଦ୍ଦିଷ୍ଟ କିଛି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ୍‌ରେ ବହୁ ନିରୀହ ଲୋକଙ୍କ ଜୀବନ ଦୀପ ଲିଭିଯାଉଛି । କିଏ ବିଷ ଖାଇ ଜୀବନ ହାରୁଛନ୍ତି ତ’ ଆଉ କିଏ ଋଣ ବୋଝରେ ମାନସିକ ଚାପଗ୍ରସ୍ତ ରହି ପ୍ରାଣ ହରାଉଛନ୍ତି । କିନ୍ତୁ ଏଭଳି ଘଟଣା ଲୋକଲୋଚନରୁ ଲୁଚିଯାଉଛି । ଏହା ଭିତରେ ତିନୋଟି ଅଘଟଣ ସାଧାରଣରେ ବେଶ ଉଦ୍‌ବେଗ ଖେଳାଇଛି । ଅଥଚ ରାଜ୍ୟ ସରକାର ଏହାକୁ ସେତେଟା ଗୁରୁତ୍ୱ ଦେଉନାହାନ୍ତି ଏବଂ ପୁଲିସ ମଧ୍ୟ କେତେକ ସ୍ଥଳେ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୁପ୍‌ ବସିପଡୁଛି । ଫଳରେ ଅତ୍ୟଧିକ ସୁଧ ଭିଡ଼ି ଚାଲିଛନ୍ତି କିଛି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା । ଏହାର ପ୍ରଭାବରେ ଗ୍ରାମାଞ୍ଚଳର ଅର୍ଥନୀତି ଭୁଶୁଡ଼ି ପଡ଼ିଛି । ବିଶେଷକରି ନିମ୍ନ ମଧ୍ୟବିତ୍ତ ତଥା ଅନୁସୂଚିତ ଜାତି ବର୍ଗର ଲୋକେ ଋଣ ଭାରରେ ବୁଡ଼ି ଶୋଷଣର ଶିକାର ହେଉଛନ୍ତି । ନିକଟରେ ଋଣଗ୍ରସ୍ତ ହୋଇ ଜଗତସିଂହପୁର ବ୍ଲକ ପୁନଙ୍ଗ ପଞ୍ଚାୟତର ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା । ସଂପୃକ୍ତ ମହିଳା ଗ୍ରୁପ୍‌ରୁ ଋଣ ନେବା ସହ କିଛି ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ନେଇଥିଲେ । ଏମିତିକି କିଛି ହାତ ଉଧାରି ମଧ୍ୟ କରିଥିଲେ । 

ଫଳରେ ପ୍ରତି ସପ୍ତାହରେ ତାଙ୍କୁ ଏକାଧିକ କିସ୍ତି ଦେବାକୁ ପଡ଼ୁଥିଲା, ଯାହା ତାଙ୍କ ପକ୍ଷେ ସମ୍ଭବପର ନଥିଲା । କାରଣ ରୋଜଗାର ସେତିକି ନଥିଲା । ଅପରପକ୍ଷେ କିନ୍ତୁ କିସ୍ତି ଟଙ୍କା ଆଦାୟ କରିବାକୁ ଉକ୍ତ ଘରୋଇ ସଂସ୍ଥାର କର୍ମଚାରୀମାନେ ମହିଳାଙ୍କ ଘର ବାହାରେ ଡେରା ପକାଇଥିଲେ । କେବଳ ଉକ୍ତ ମହିଳା ନୁହନ୍ତି ଗ୍ରୁପ୍‌ ଋଣ ନେଇଥିବା ଅନେକ ମହିଳାଙ୍କ ଘର ଦୁଆର ମୁହଁରେ କିସ୍ତି ଟଙ୍କା ଭିଡ଼ିବାକୁ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ହାଜର ହେଉଛନ୍ତି । ଟଙ୍କା ନମିଳିବା ଯାଏ ସେଠାରୁ ହୁଙ୍କୁ ନାହାନ୍ତି, ବରଂ କେତେକ ଜାଗାରେ ଦୁର୍ବ୍ୟବହାର ମଧ୍ୟ କରୁଛନ୍ତି । ଏପ୍ରକାର ଅଭିଯୋଗ ମଧ୍ୟ ଥାନାରେ ପହଞ୍ଚୁଛି । ନିକଟରେ ସ୍ଥାନୀୟ କଣ୍ଟାବଲ୍ଳଭପୁରର ଜଣେ ଯୁବକ ଆତ୍ମହତ୍ୟା କରିଥିଲେ । ମୃତକଙ୍କ ପତ୍ନୀ ଗ୍ରୁପ୍‌ ଋଣ କରିଥିଲେ । ହେଲେ ଯେତିକି ଋଣ ହୋଇଥିଲା ତା’ର ସମସ୍ତ ସାପ୍ତାହିକ କିସ୍ତି ଦେବାକୁ ଯୁବକ ଅସମର୍ଥ ଥିଲେ । ଫଳରେ ଯେଉଁ ସଂସ୍ଥା ଋଣ ଦେଇଥିଲେ ସେମାନେ ଯୁବକଙ୍କୁ ଘେରିଥିଲେ । ତାଙ୍କ ଘର ବାହାରେ ଜଗି ବସିଥିଲେ । ଶେଷରେ ସଂପୃକ୍ତ ଯୁବକ ଆତ୍ମହତ୍ୟା କରିଥିଲେ । ବାଲିକୁଦା ଅଳାବୋଳ ପଞ୍ଚାୟତରୁ ଜଣେ ମହିଳା ମଧ୍ୟ ବିଷ ପିଇ ଜୀବନ ହାରିଥିଲେ । ମୃତ ମହିଳାଙ୍କ ବାପ ଘର ଲୋକେ ଏ ବାବଦରେ ମଧ୍ୟ ବାଲିକୁଦା ଥାନାରେ ଫେରାଦ୍‌ ହୋଇଥିଲେ । ଗ୍ରୁପ୍‌ ଋଣ କରି ସମସ୍ତ ଟଙ୍କାକୁ ନିଜର ନିକଟ ସଂପର୍କୀୟଙ୍କୁ ଦେଇଥିଲେ ସଂପୃକ୍ତ ମହିଳା । ସଂପର୍କୀୟମାନେ ଋଣ ଟଙ୍କା ଫେରସ୍ତ ନକରି ପାଲଟା ଧମକ ଦେଇଥିଲେ । ମହିଳା ଜଣଙ୍କ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରୁ ଋଣ ଉଠାଇଥିଲେ । ପରିଶୋଧ ନହେବାରୁ ଉକ୍ତ ସଂସ୍ଥା ମଧ୍ୟ ମହିଳାଙ୍କ ଉପରେ ଚାପ ପକାଇଥିଲା । 

ଶେଷରେ ଋଣ ବୋଝରେ ମହିଳା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ ସମୟରେ ଜିଲ୍ଲାର ଗ୍ରାମାଞ୍ଚଳରେ ଏକାଧିକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା ସକ୍ରିୟ ରହିଛନ୍ତି । ବହୁ ମହିଳା ଗୋଷ୍ଠୀ ଏସବୁ ସଂସ୍ଥାରୁ ଋଣ ଗ୍ରହଣ କରି ନିଜ ନିଜ ଭିତରେ ବାଣ୍ଟି ନେଇଛନ୍ତି । ହେଲେ କିଛି ମହିଳା ଗୋଷ୍ଠୀର କେତେକ ସଦସ୍ୟା ଋଣ ଟଙ୍କାକୁ ଅନ୍ୟତ୍ର ବିନିଯୋଗ କରି ଫସି ଯାଇଛନ୍ତି । କାରଣ ସେମାନଙ୍କ ଦୁଆର ମୁହଁରେ ସଂସ୍ଥାର କର୍ମକର୍ତ୍ତାମାନେ ପହଞ୍ଚି ଯାଉଛନ୍ତି । ସେହିପରି କିଛି ସଦସ୍ୟା ନିଜ ଋଣ ଟଙ୍କାକୁ ସେଇ ଗ୍ରୁପ୍‌ର ଆଉ କିଛି ସଦସ୍ୟାଙ୍କ ହାତକୁ ଟେକି ଦେଇ ଆଉ ଫେରସ୍ତ ପାଇପାରୁ ନାହାନ୍ତି । ଏହାକୁ କେନ୍ଦ୍ର କରି ମଧ୍ୟ ଅନେକ ମହିଳା ଗୋଷ୍ଠୀ ନିଜ ନିଜ ବିରୋଧରେ ଅଭିଯୋଗ ଉଠାଉଥିବା ଦେଖିବାକୁ ମିଳୁଛି । କେତେକସ୍ଥଳେ ପୁଲିସ କେସ୍‌ ମଧ୍ୟ ହୋଇଛି । ଏହାକୁ ଛାଡ଼ି କେତେକ ଅର୍ଥ ଲଗାଣକାରୀ ସଂସ୍ଥାର ଦୁର୍ନୀତିଗ୍ରସ୍ତ ଅଧିକାରୀ, କର୍ମଚାରୀ ମାନେ ହିତାଧିକାରୀଙ୍କଠାରୁ ଋଣ ଟଙ୍କା ଆଦାୟ କରି ଆତ୍ମସାତ୍‌ କରୁଥିବାର ଏକାଧିକ ଘଟଣା ପଦାକୁ ଫୁଟି ବାହାରୁଛି । 

ଅନୁରୂପ ଭାବେ ଏକ ଅର୍ଥଲଗାଣକାରୀ ସଂସ୍ଥା ପଞ୍ଚାୟତ ସ୍ତରରେ ଆର୍‌ପି ବା ରିସୋର୍ସ ପର୍ସନ ନିଯୁକ୍ତି ଆଳରେ ବ୍ୟାପକ ଟଙ୍କା ଚଳୁ କରିଥିବାର ଅଭିଯୋଗ ଉଠିସାରିଛି । ଏହିଭଳି ଠକେଇର ଶିକାର ଜଣେ ଆର୍‌ପି ମଧ୍ୟ ସେ ସମୟରେ ମହିଳା ଗ୍ରୁପ୍‌ ମାନଙ୍କୁ ଦିଆଯାଉଥିବା ଋଣ ଉପରେ କିଛି ଚାଞ୍ଚଲ୍ୟକର ତଥ୍ୟ ରଖିଥିଲେ । ଲଗାତାର ଭାବେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ୍‌ ବଢୁଥିବାରୁ ଏ ଶୋଷଣ କିପରି ବନ୍ଦ ହେବ ବୋଲି ପ୍ରଶ୍ନ ଉଠିଛି । ଜଗତସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ଜୁଲମ୍‌କୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ରାଜ୍ୟ ସରକାର ଏଭଳି ସଂସ୍ଥା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଅଙ୍କୁଶ ଲଗାଇବା ଅତ୍ୟନ୍ତ ଜରୁରି ବୋଲି ସେ କହିଛନ୍ତି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.