ପ୍ରମୂଖ ଖବର
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବେକାରୀ ଆଉଟ୍‌ଲେଟ ଖୋଲିଛନ୍ତି ଆଇଟିଆଇ ଛାତ୍ର, ବିକ୍ରି କୌଶଳ ଶିଖିବା ସହ କରୁଛନ୍ତି ରୋଜଗାର

ଭୁବନେଶ୍ୱର, ୨୫।୫: ପାଠପଢ଼ିବା ସହ ରୋଜଗାର କରୁଛନ୍ତି । ଏହି ସମୟ ମଧ୍ୟରେ ସେମାନେ ତିଆରି କରୁଥିବା ସାମଗ୍ରୀର ବିକ୍ରି କୌଶଳ ଶିଖୁଛନ୍ତି । ଫଳରେ ସେମାନେ ଆଇଟିଆଇରୁ ପାଠପଢ଼ି ସାରିବା ପରେ ଆଉ ବେକାର ହୋଇ ଘରେ ବସୁନାହାନ୍ତି । ସେମାନେ ରୋଜଗାର କରୁଥିବା ଅର୍ଥର ୫୦ ପ୍ରତିଶତ ସରକାରଙ୍କ ପାଖରେ ଜମା ରହୁଛି । ଭବିଷ୍ୟତରେ କୌଣସି ଉପକରଣ କିଣିବା ଆବଶ୍ୟକ ପଡିଲେ ଏହି ଅର୍ଥ କାମରେ ଆସୁଛି । ବଳକା ଅର୍ଥରେ କଞ୍ଚାମାଲ୍‌ କିଣାଯାଉଛି ଓ ପିଲାଙ୍କୁ ପାରିଶ୍ରମିକ ଭାବେ କିଛି ଅର୍ଥ ଦିଆଯାଉଛି । ଭୁବନେଶ୍ୱରସ୍ଥିତ ସରକାରୀ ଆଇଟିଆଇରେ ୧୬ଟି ଟ୍ରେଡ୍‌ସରେ ଶିକ୍ଷାଦାନ କରାଯାଉଛି । ଡ୍ରେସ୍‌ ମେକିଙ୍ଗ୍‌ ଟ୍ରେଡ୍‌ରେ ୨୦ ଜଣ ଓ ଫୁଡ୍‌ ପ୍ରଡକ୍ସନ୍‌ ଟ୍ରେଡ୍‌ରେ ୪୮ ଜଣ ପିଲା ପଢ଼ୁଛନ୍ତି । 

ଡ୍ରେସ୍‌ ମେକିଙ୍ଗ୍‌ ଟ୍ରେଡ୍‌ର ପିଲାମାନଙ୍କୁ ବିଭିନ୍ନ ପ୍ରକାରର ପୋଷାକ ତିଆରି ଶିଖୁଛନ୍ତି । ସେମାନେ ବିଭିନ୍ନ ଡିଜାଇନ୍‌ର ପୋଷାକ ପ୍ରସ୍ତୁତ କରୁଛନ୍ତି । ଏହାକୁ ନେଇ ଓରମାସ କିମ୍ବା ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳାରେ ବିକ୍ରି କରୁଛନ୍ତି । ଫୁଡ୍‌ ପ୍ରଡକ୍ସନ୍‌ ଟ୍ରେଡ୍‌ର ପିଲାଙ୍କୁ ବିଭିନ୍ନ ପ୍ରକାରର ବିସ୍କୁଟ୍‌, ମିଠା, ପାଉଁରୁଟି, ମିଲେଟ୍‌ରୁ କୁକିଜ୍‌, କେକ୍‌ ତିଆରି ଆଦି ଶିଖାଯାଉଛି । ଏସବୁକୁ ଆଇଟିଆଇରେ ପ୍ରସ୍ତୁତ କରାଯାଉଥିବାବେଳେ ଏସବୁକୁ ତିଆରି ପରେ ଫିଙ୍ଗି ଦିଆଯାଉନି । ଏସବୁକୁ ଛାତ୍ରଛାତ୍ରୀ ସ୍ୱତନ୍ତ୍ର ଆଉଟ୍‌ଲେଟ୍‌ରେ ବିକ୍ରି କରୁଛନ୍ତି । ଏହାବାଦ୍‌ ବିଭିନ୍ନ ମେଳାରେ ବି ଏସବୁକୁ ବିକ୍ରି କରାଯାଉଛି । ଖାରବେଳ ଭବନରେ ସ୍କିଲ୍‌ସ ଓଡ଼ିଶାର ଏକ ଆଉଟ୍‌ଲେଟ୍‌ ରହିଛି । ସେଠାରେ ୨ ଜଣ ଆଇଟିଆଇ ଛାତ୍ର ବିକ୍ରି ପାଇଁ ରହୁଛନ୍ତି । ସେଠାରେ କେକ୍‌, ବିସ୍କୁଟ୍‌, ଲଡ଼ୁ, ବର୍ଗର, ମିଠା, ବିଭିନ୍ନ ପ୍ରକାରର ଜୁସ୍‌, ଆମ୍ବ ପଣା, ବିରି ବଡ଼ି, ପାମ୍ପଡ଼ ଆଦି ବିକ୍ରି କରୁଛନ୍ତି । ସେଠାକୁ ଆସୁଥିବା ଅଫିସରମାନେ ଏସବୁକୁ ଆଗ୍ରହର ସହ କିଣୁଛନ୍ତି । 

କେବଳ ଏତିକି ନୁହେଁ ବଡ଼ ବଡ଼ ହୋଟେଲ୍‌ରେ ମଧ୍ୟ ଆଇଟିଆଇ ପିଲାଙ୍କର ଆଉଟ୍‌ଲେଟ୍‌ ରହିଛି । ପଢ଼ିବା ସମୟରେ ଏସବୁ କରିବା ଦ୍ୱାରା ପିଲାମାନଙ୍କର ଯୋଗାଯୋଗ ଦକ୍ଷତାର ବିକାଶ ହେବା ସହ ସେମାନେ ରୋଜଗାର କରିବାର କୌଶଳ ଶିଖୁଛନ୍ତି । ଏଥିସହ ଏହି ପିଲାମାନେ ମିଶନ ଶକ୍ତି ମହିଳାଙ୍କୁ ତାଲିମ ଦେଉଛନ୍ତି । ଆଇଟିଆଇର ପ୍ରିନ୍ସିପାଲ୍‌ ଇଞ୍ଜିନିୟର ଜିତାମିତ୍ରା ଶତପଥୀଙ୍କ କହିବା କଥା, ପାଠପଢ଼ା ସହ ପିଲାମାନେ କିପରି ରୋଜଗାରକ୍ଷମ ହୋଇପାରିବେ ସେଥିପ୍ରତି ଆମେ ଧ୍ୟାନ ଦେଉଛୁ । ଏହାଦ୍ୱାରା ପିଲାମାନଙ୍କର ପ୍ରାକ୍ଟିକାଲ୍‌ ଜ୍ଞାନ ବୃଦ୍ଧି ହେଉଛି । ପିଲାମାନେ କିଛି ଶିଖିବା ଏବଂ କିଛି ଟଙ୍କା ପାଇବା ପାଇଁ ପ୍ରତିଦିନ ପ୍ରାକ୍ଟିକାଲ୍‌ କ୍ଲାସକୁ ଆସୁଛନ୍ତି ଯାହା ପଢ଼ା ଶେଷ ପରେ ସେମାନଙ୍କୁ ନିଯୁକ୍ତିର ବାଟ ଦେଖାଉଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.