ନୂଆଦିଲ୍ଲୀ: ବିଆରଏସ୍ ନେତ୍ରୀ କେ. କବିତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦେଇଛନ୍ତି । ଏହା ସହ ଇଡି ରିମାଣ୍ଡ ପାଇଁ ଅପିଲ୍ କରିବା ସହ କେ. କବିତାଙ୍କ ସହ ଅନ୍ୟ ଅଭିଯୁକ୍ତଙ୍କୁ ସାମ୍ନାସାମ୍ନି କରି ପଚରା ଉଚରା କରିବାକୁ ଆବେଦନ କରିଥିଲା । ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ମାଷ୍ଟରମାଇଣ୍ଡ ବୋଲି କହିଥିଲା । ଏପରିକି କେ. କବିତା, ମନୀଷ ସିସୋଦିଆ ଏବଂ କେଜ୍ରିଓ୍ବାଙ୍କ ମଧ୍ୟରେ ଏହି ମାମଲାରେ ସଂପର୍କ ଥିଲା ବୋଲି ଇଡି କହିଛି ।
ମିଳିଥିବା ସୂଚନା ଅନୁସାରେ, ଅରବିନ୍ଦ କେଜ୍ରିଓ୍ବାଲ, କେ. କବିତା ଏବଂ ମନୀଷ ସିସୋଦିଆଙ୍କୁ ଏକାଠି ବସାଇ ପଚରା ଉଚରା କରିପାରେ ଇଡି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି ଯେ, କେ. କବିତାଙ୍କ ମାଧ୍ୟମରେ ସାଉଥ ଲବି ୧୦୦ କୋଟି ଟଙ୍କା ଲାଞ୍ଚ ଦେଇ ଅବକାରୀ ନୀତିରେ ପ୍ରବେଶ କରିଥିଲେ । ଏହି ୧୦୦ କୋଟି ଟଙ୍କାରୁ ଆମ ଆଦମୀ ପାର୍ଟି (ଆପ୍) ଗୋଆ ନିର୍ବାଚନରେ ୪୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।
ଏଭଳି ସ୍ଥିତିରେ ଇଡି ପାଇଁ କବିତା ଏବଂ କେଜ୍ରିଓ୍ବାଲଙ୍କୁ ସାମ୍ନାସାମ୍ନି କରି ପଚରା ଉଚରା କରିବା ଗୁରୁତ୍ବପୂର୍ଣ୍ଣ । ରିମାଣ୍ଡରେ ନେବା ପରେ କେଜ୍ରିଓ୍ବାଲ ଏବଂ କବିତାଙ୍କୁ ଏକାଠି ଜେରା କରିବା ପାଇଁ ଇଡି ଅଧିକାରୀ ହୋମଓ୍ବାର୍କ ପୂରା କରିସାରିଥିବା କୁହାଯାଉଛି ।