ନୂଆଦିଲ୍ଲୀ ୧୮/୦୯: ଅଭିନେତ୍ରୀ କୀର୍ତ୍ତି ସୁରେଶ-ସଙ୍ଗୀତକାର ଅନିରୁଦ୍ଧ ରବିଚନ୍ଦର ପରସ୍ପରକୁ ଡେଟ୍ କରୁଥିବା ଏବଂ ଖୁବ୍ଶୀଘ୍ର ସେମାନେ ବିବାହ କରିବେ ବୋଲି ଜୋରଦାର ଚର୍ଚ୍ଚା ହେଉଛି । ତେବେ ଏହାକୁ କୀର୍ତ୍ତି ଖଣ୍ଡନ କରିଛନ୍ତି । ବିଭିନ୍ନ ମିଡିଆରେ ପ୍ରକାଶିତ ହୋଇଥିବା ଏହି ଖବର ମିଛ ଏବଂ ଅନିରୁଦ୍ଧ ତାଙ୍କର ଜଣେ ଭଲ ବନ୍ଧୁ ବୋଲି କୀର୍ତ୍ତି କହିଛନ୍ତି । କୀର୍ତ୍ତିଙ୍କ ବାପା ତଥା ପ୍ରଯୋଜକ ସୁରେଶ କୁମାର ମଧ୍ୟ ଏହି ଖବରକୁ ମିଛ ବୋଲି କହି ଏପରି ଗୁଜବ ବିସ୍ତାର ନ କରିବାକୁ ମିଡିଆକୁ କହିଛନ୍ତି ।
ତେବେ ଅନିରୁଦ୍ଧଙ୍କ ସହ କୀର୍ତ୍ତିଙ୍କୁ ଯୋଡ଼ିବା ନୂଆ କଥା ନୁହେଁ । ପୂର୍ବରୁ କୀର୍ତ୍ତିଙ୍କୁ ଅନ୍ୟମାନଙ୍କ ସହ ଯୋଡ଼ି ମଧ୍ୟ ଏପରି ଖବର ପ୍ରକାଶ ପାଉଥିଲା । କିନ୍ତୁ ଏସବୁ ମିଥ୍ୟା ଏବଂ ଭିତ୍ତିହୀନ ଖବର ବୋଲି କୀର୍ତ୍ତିଙ୍କ ବାପା କହିଛନ୍ତି । କୀର୍ତ୍ତି ଏବଂ ଅନିରୁଦ୍ଧ ରେମୋ, ଥାନା ସେରନ୍ଧା କୋଟାମ୍ ସହ ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି । ସେମାନେ ବେଶ୍ ଭଲ ବନ୍ଧୁ ଭାବେ ମଧ୍ୟ ଜଣା ।
କୀର୍ତ୍ତି ନିକଟରେ ଅନିରୁଦ୍ଧଙ୍କ ବ୍ଲକ୍ବ୍ଲଷ୍ଟର ଗୀତ ‘ଚଲେୟା’(ଯବାନ)ରେ ଡ୍ୟାନ୍ସ କରିଛନ୍ତି । କିଛି ମାସ ପୂର୍ବରୁ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତ୍ରୀ କୀର୍ତ୍ତି ଦୁବାଇର ଜଣେ ବ୍ୟବସାୟୀ ଫରହାନ୍ଙ୍କ ସହ ରିଲେଶନସିପ୍ରେ ଥିବା ଚର୍ଚ୍ଚା ହୋଇଥିଲା । ଉଭୟଙ୍କ ଫଟୋ କୀର୍ତ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ସେମାନଙ୍କ ବିବାହ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା । ପରେ ଫରହାନ୍ ମଧ୍ୟ ତାଙ୍କର ଜଣେ ବନ୍ଧୁ ବୋଲି ସେତେବେଳେ କୀର୍ତ୍ତି କହିଥିଲେ । ସେ ଜଣଙ୍କ ସହ ସମ୍ପର୍କରେ ଅଛନ୍ତି ଏବଂ ଖୁବଶୀଘ୍ର ତାଙ୍କ ନାଁ ସାମ୍ନାକୁ ଆଣିବେ ବୋଲି କୀର୍ତ୍ତି କହିଥିଲେ ।