ମସ୍କୋ,୧୨/୦୮: ରୁଷ୍ର କୁର୍ସ୍କ ଅଞ୍ଚଳରେ ଏବେ ଭାରୀ ପଡ଼ିଛି ପୁଟିନ୍ ସେନା । ୟୁକ୍ରେନ୍ରୁ ପଶିଆସିଥିବା ହଜାର ହଜାର ସୈନ୍ୟଙ୍କୁ ହଟାଇବା ପାଇଁ ଆରମ୍ଭ କରିଦେଇଛି ସାଙ୍ଘାତିକ ଅଭିଯାନ । ଏ ପର୍ଯ୍ୟନ୍ତ କୁର୍ସ୍କରେ ଚାଲିଥିବା ମୁହାଁମୁହିଁ ସଂଘର୍ଷରେ ୟୁକ୍ରେନ୍ର ୧୩୫୦ ସୈନ୍ୟ ପ୍ରାଣ ହରାଇଥିବା ପୁଟିନ୍ ସେନା ଦାବି କରିଛି । ଏଥିସହିତ ୨୯ଟି ଯୁଦ୍ଧ ଟ୍ୟାଙ୍କ ବି ପୋଡ଼ି ଦିଆଯାଇଛି । ଫଳରେ କୁର୍ସ୍କରେ ୟୁକ୍ରେନ୍ ସେନା କ୍ରମେ ଶିଥିଳ ପଡ଼ିବାରେ ଲାଗିଥିବା ମସ୍କୋ କହିଛି । ୬ ଦିନ ପୂର୍ବେ ୟୁକ୍ରେନ୍ର ସୈନ୍ୟମାନେ ରୁଷ୍ ସୀମା ଡେଇଁ ପ୍ରବେଶ କରିଥିଲେ। ସେମାନେ ୩୦ କିଲୋମିଟର ଭିତରେ ପଶି କୁର୍ସ୍କରେ ହମ୍ଲା ଆରମ୍ଭ କରିଦେଇଥିଲେ ।
ଗତ ୨୪ ଘଣ୍ଟାରେ ରୁଷ୍ର ପୁଟିନ୍ ସେନା ଜୋରଦାର ଆକ୍ରମଣ କରି ୨୩୦ ୟୁକ୍ରେନୀୟ ସୈନ୍ୟଙ୍କୁ ମାରିଥିବା ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ତେବେ କୁର୍ସ୍କ ଅଞ୍ଚଳରେ ଯୁଦ୍ଧ ଯୋଗୁ ଏଠାକାର ଲୋକମାନେ ନିଜ ଘରଦ୍ୱାର ଛାଡ଼ି ପଳାଉଛନ୍ତି । ରବିବାର ସୁଦ୍ଧା ୮୮ ହଜାର ଲୋକ ସୀମାଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ପଳାୟନ କରିଛନ୍ତି । ଗତ ୨୪ ଘଣ୍ଟାରେ ୮ ହଜାରରୁ ଅଧିକ ଘର ଛାଡ଼ିଛନ୍ତି । ସେପଟେ ୟୁକ୍ରେନ୍ର ଖାର୍କିଭ୍ରେ ରୁଷ୍ ପକ୍ଷରୁ ଜବାବୀ ହମ୍ଲା କରାଯାଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଖାର୍କିଭ୍ର ଇଜିଅମ୍ ଜିଲ୍ଲାରେ ଥିବା ଏକ ଆପାର୍ଟମେଣ୍ଟକୁ ଟାର୍ଗେଟ୍ କରିଥିଲା ରୁଷ୍।