ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଦ ଦୋକାନରେ ମଦ ମିଳୁନାହିଁ...ମାଲ ଯୋଗାଇ ପାରୁନି ଓଏସ୍‌ବିସିର ନୂଆ ଡିପୋ, ସରକାରଙ୍କ ରାଜସ୍ୱ କ୍ଷତି ହେଉଛି

ଭୁବନେଶ୍ୱର,୨୩/୦୪: ମଦ ଦୋକାନରେ ମଦ ମିଳୁନାହିଁ । କଥାଟି ଅଡୁଆ ଲାଗୁଥିଲେ ବି ସତ । ଟୁଇନ୍‌ ସିଟିର ସର୍ବାଧିକ ଠିପି ବନ୍ଦ ଦୋକାନରେ ବିୟର ସହ ବିଭିନ୍ନ ପ୍ରକାର ମଦ ଅଭାବ ଦେଖା ଦେଇଛି । ଏହାର ପଛରେ କାରଣ ମୁଖ୍ୟ କାରଣ ଯେଉଛି ମେଣ୍ଢାଶାଳ ଶିଳ୍ପାଞ୍ଚଳରେ ଖୋଲିଥିବା ନୂଆ ଡିପୋ ଆବଶ୍ୟକ ପରିମାଣର ମାଲ ଯୋଗାଇ ପାରୁନାହିଁ । ଫଳରେ ଉଭୟ ସରକାର ଓ ଦୋକାନୀଙ୍କ କ୍ଷତି ହେଉଥିବା ଜଣାପଡ଼ିଛି । 

ବର୍ତ୍ତମାନ ରାଜ୍ୟରେ ୩୩ଟି ଅବକାରୀ ଜିଲ୍ଳା । ସର୍ବାଧିକ ମଦ ଭୁବନେଶ୍ୱର ଓ କଟକରେ ବିକ୍ରି ହେଉଛି । ମାର୍ଚ୍ଚ ୩୧ ତାରିଖ ପୂର୍ବରୁ କଟକ ଅବକାରୀ ଜିଲ୍ଳାରେ ଥିବା ସମସ୍ତ ଠିପି ବନ୍ଦ ଓ ଖୋଲା ଦୋକାନୀମାନେ ନରାଜ ସ୍ଥିତ ନିର୍ଗୁଣ୍ଡି ଓଏସ୍‌ବିସି ଡିପୋରୁ ମଦ ଉଠାଇବାର ନିୟମ ରହିଛି । ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଓ ପୁରୀ ଅବକାରୀ ଜିଲ୍ଳାରେ ଥିବା ଦୋକାନ ଗୁଡିକ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ଡିପୋରୁ ମାଲ ଉଠାନ୍ତି । ମାଲ ଉଠାଇବାରର ନିୟମ ହେଲା ଯେଉଁ କମ୍ପାନୀର ମଦ ଆବଶ୍ୟକ ସେ ସବୁ କିଣିବା ପାଇଁ ଓଏସ୍‌ବିସି ୱେବ୍‌ସାଇଟ୍‌ରେ ତଥ୍ୟ ଦେବା ସହ ଟଙ୍କା ଦାଖଲ କରିବାକୁ ପଡ଼ିବ । ଅନ୍‌ଲାଇନ୍‌ ମାଧ୍ୟମରେ ଯେଉଁ ରସିଦ ବାହାରେ ତାକୁ ଦେଖାଇବା ପରେ ଡିପୋରୁ ମାଲ୍‌ ମିଳିଥାଏ । ୨୦୨୨ ଠାରୁ ଭୁବନେଶ୍ୱର (ବିଏମ୍‌ସି) ଓ କଟକ (ସିଏମ୍‌ସି) ଅଞ୍ଚଳରେ ମଦ ବିକ୍ରି ହୁ ହୁ ହୋଇ ବଢ଼ିଚାଲିଛି । ଲୋକଙ୍କ ଆବଶ୍ୟକତା ଦେଖି ଦୋକାନୀମାନେ ମଦ ଉଠାଇବା ପାଇଁ ଖୋର୍ଦ୍ଧା ଓ ନିର୍ଗୁଣ୍ଡି ଡିପୋରେ ଭିଡ଼ ଜମାଇଲେ । ୨୦୨୩ ଶେଷ ବେଳକୁ ଓଏସ୍‌ବିସି ନିଷ୍ପତ୍ତି ନେଲା ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଥିବା ଦୋକାନ ଗୁଡ଼ିକ ପାଇଁ ଅଲଗା ଡିପୋ ଖୋଲିବ । 

ଗତ ଏପ୍ରିଲ୍‌ ୧ ତାରିଖ ଠାରୁ ମେଣ୍ଡାଶାଳ ଶିଳ୍ପାଞ୍ଚଳରେ ଓଏସ୍‌ବିସିର ନୂଆ ଡିପୋ  ଖୋଲିଲା । ଉକ୍ତ ଡିପୋରୁ ଭୁବନେଶ୍ୱର ଓ କଟକ ଅଞ୍ଚଳରେ ଥିବା ଠିପି ବନ୍ଦ ଓ ଖୋଲା ଦୋକାନୀ ଗୁଡ଼ିକ ମଦ ଉଠାଇବେ । ଖାଲି ସେତିକି ନୁହେଁ ୨ମହାନଗରରେ ଅଞ୍ଚଳରେ ଥିବା ଦୋକାନୀଙ୍କ ଏମ୍‌ଜିକ୍ୟୁ ମଧ୍ୟ ବଢ଼ାଇ ଦେଲା ଅବକାରୀ ବିଭାଗ । ୨୦୨୩-୨୪ ଆର୍ଥିକ ବର୍ଷରେ ଠିପି ବନ୍ଦ ଦୋକାନ ଗୁଡିକୁ ପ୍ରତି ମାସ ୧୭୩୦ ପେଟି (କେସ୍‌) ବିୟର ଓ ୧୩୧୫ ପେଟି ଅନ୍ୟ ବିଦେଶୀ ମଦ ଉଠାଇବାକୁ ନିର୍ଦ୍ଦେଶ ଥିଲା । ଗତ ଏପ୍ରିଲ୍‌ ୧ରୁ ଲାଇସେନ୍ସ ନବୀକରଣ ହେଲା ପରେ ଏମ୍‌ଜିକ୍ୟୁ ମଧ୍ୟ ବଢ଼ାଇ ଦିଆଯାଇଛି । ସହରରେ ଥିବା ଠିପି ବନ୍ଦ ଦୋକାନୀମାନେ ପ୍ରତି ମାସ ୧୯୮୦ ପେଟି ବିୟର ଓ ୧୫୦୦ ପେଟି ବିଦେଶୀ ମଦ ଓଏସ୍‌ବିସିରୁ ଉଠାଇକୁ ବାଧ୍ୟ । ଯଦି ନ ଉଠାଇାବେ ତା’ହେଲେ ବି ଟ୍ୟାକ୍ସ ଦେବେ । 

ଏପ୍ରିଲ୍‌ ମାସର କୋଟା ପୂରଣ କରିବା ପାଇଁ ଦୋକାନୀମାନେ ନୂଆ ଡିପୋରେ ଭିଡ଼ ଲଗାଇଛନ୍ତି । କିଛି ଦୋକାନୀ ତ’ ଏମ୍‌ଜିକ୍ୟୁ ଠାରୁ ଅଧିକ ଆଣିବା ପାଇଁ ଲାଗି ପଡ଼ିଛନ୍ତି । ହେଲେ ଦୋକାନୀଙ୍କ ଚାହିଦା ଅନୁସାରେ ଡିପୋରେ ମାଲ ମିଳୁ ନାହିଁ । ଯଦି କୌଣସି ଦୋକାନୀ ୫ ଶହ ପେଟି ବିୟର ପାଇଁ ଟଙ୍କା ଡିପୋଜିଟ୍‌ କରୁଛି ତାକୁ ୨ଶହରୁ କମ୍‌ ମିଳୁଥିବା ଅଭିଯୋଗ ହୋଇଛି । ତା’ଛଡା ବିଭିନ୍ନ ଦାମୀ ମଦର ନାହିଁ ନଥିବା ଅଭାବ ଦେଖା ଦେଉଛି । ଯେତେ ଅଧିକ ମଦ ବିକ୍ରି ହେବ  ସରକାରଙ୍କ ତହବିଲକୁ ସେତେ ରାଜସ୍ୱ ଆସିବ । ହେଲେ ଓଏସ୍‌ବିସିର କର୍ମଚାରୀଙ୍କ ମନମାନି ପାଇଁ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ କ୍ଷତି ହେଉଛି । ଏବେ ନିର୍ବାଚନ ପାଇଁ ମଦ ଦୋକାନରେ ଭିଡ଼ ହେଉଛି । ହେଲେ ଦୋକାନୀମାନେ ମଦ ଯୋଗାଇ ପାରୁନାହାନ୍ତି । 

ଏନେଇ ଓଏସ୍‌ବିସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୨୦-୨୨ ଦିନ ହେବ ନୂଆ ଡିପୋ ଖୋଲିଛି । କର୍ମଚାରୀଙ୍କ ଅଭାବ ରହିଛି । ମଦ ଯୋଗାଇବାରେ ସମସ୍ୟା ହେଉଛି । ଅଳ୍ପ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.