ଭୁବନେଶ୍ଵର, ୧୭/୦୪ : ସବୁ ଅପେକ୍ଷାର ଅନ୍ତ। ୯ଟି ସିଟ୍ରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। କଣ୍ଟାବାଞ୍ଜିରୁ ଲଢିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ପଦ୍ମପୁରରୁ ପ୍ରାର୍ଥୀ ହୋଇଛନ୍ତି ବର୍ଷା ସିଂ ବରିହା, ଦେବଗଡ଼ରୁ ଅରୁନ୍ଧତି କୁମାରୀ ଦେବୀ, ସମ୍ଵଲପୁରରୁ ରୋହିତ ପୂଜାରୀ, ରେଢାଖୋଲରୁ ପ୍ରସନ୍ନ ଆଚାର୍ଯ୍ୟ, ଚିତ୍ରକୋଣ୍ଡାରୁ ଲକ୍ଷ୍ମୀପ୍ରିୟା ନାୟକ, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଅନୁଗୁଳରୁ ସଂଯୁକ୍ତା ସିଂ, ସାନଖେମୁଣ୍ଡିରୁ ସୁଲଗ୍ନା ଗୀତାଞ୍ଜଳି ଦେବୀ, ନିମାପଡ଼ାରୁ ଦିଲୀପ ନାୟକ, ଜୟପୁରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି ଦଳ।
ସୂଚନାନୁଯାୟୀ, ଏଥର ୨ଟି ସିଟ୍ରୁ ଲଢିବେ ନବୀନ। ହିଞ୍ଜିଳି ସହ କଣ୍ଟାବାଞ୍ଜିରୁ ନିର୍ବାଚନ ଲଢିବେ। ବିରୋଧୀଙ୍କ ଗଡ଼ ଭେଦିବାକୁ ପଶ୍ଚିମ ଓଡ଼ିଶାକୁ ଫୋକସ୍ କରିଛି ଦଳ। ଏହା ପୂର୍ବରୁ ହିଞ୍ଜିଳି ସହ ବିଜେପୁରରୁ ଲଢିଥିଲେ ନବୀନ। ଏଥର ବିଜେପୁର ଛାଡି କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି। ଏଥି ସହିତ ଦୁଇଟି ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି। ସମ୍ଵଲପୁର ଓ ରେଢାଖୋଲରେ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି। ଏହା ପୁର୍ବରୁ ସମ୍ବଲପୁରରୁ ପ୍ରସନ୍ନ ଆଚାର୍ଯ୍ୟ ଓ ରେଢାଖୋଲରୁ ରୋହିତ ପୂଜାରୀଙ୍କୁ ଟିକଟ ଦେଇଥିଲା ଦଳ। ହେଲେ ଏହାକୁ ନେଇ ଅସନ୍ତୁଷ୍ଟ ଥିଲେ ପ୍ରସନ୍ନ ଆଚାର୍ଯ୍ୟ। ଯାହା ଫଳରେ ନିଷ୍ପତ୍ତି ବଦଳାଇଛି ବିଜେଡି।