ନୂଆଦିଲ୍ଲୀ, ୨୮/୪ : ସବୁ ଟିମ୍ ଟି-୨୦ ବିଶ୍ବକପକୁ ନେଇ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ମେଗା ଇଭେଣ୍ଟ ପୂର୍ବରୁ ପାକିସ୍ତାନ ଟିମ୍ ବି ବଡ଼ ପରିବର୍ତ୍ତନ କରି ଦେଇଛି । ଭାରତକୁ ବିଶ୍ବକପ ଜିତାଇଥିବା କୋଚ ଗ୍ୟାରୀ କର୍ଷ୍ଟନ ପାକିସ୍ତାନ ଟିମର କୋଚ୍ ହେବେ । ସେହିଭଳି ଟେଷ୍ଟ କ୍ରିକେଟରେ ହେଡ଼ କୋଚର ଭୂମିକା ଅଷ୍ଟେ୍ରଲିୟାର ପୂର୍ବତନ ଦ୍ରୁତ ବୋଲର ଜେସନ ଗିଲେସ୍ପିଙ୍କୁ ମିଳିଛି । ଏହା ବ୍ୟତୀତ ପୂର୍ବତନ ପାକିସ୍ତାନ ଖେଳାଳୀ ଅଜହର ମହମୁଦଙ୍କୁ ଆସିଷ୍ଟା୍ଣ୍ଟ କୋଚର ପଦ ଦିଆଯାଇଛି । ପାକିସ୍ତାନକୁ ବିଶ୍ବକପ ୨୦୨୩ ପରେ ଏକ ଭଲ କୋଚର ଆବଶ୍ୟକ ଥିଲା । କିନ୍ତୁ ପିସିବି ଗ୍ୟାରୀ କର୍ଷ୍ଟନଙ୍କ ଉପରେ ଟି ୨୦ ବିଶ୍ବକପ ପୂର୍ବରୁ ଭରଷା କରିଛି ।
ଟି୨୦ ବିଶ୍ବକପ ପୂର୍ବରୁ ଏହି ବଡ଼ ପରିବର୍ତ୍ତନକୁ ନେଇ ପିସିବିର ପ୍ରମୁଖ ମୋହସିନ ନକବୀ ପ୍ରେସ କନଫ୍ରେନ୍ସରେ କହିଛନ୍ତି, ଗ୍ୟାରି କର୍ଷ୍ଟନ ଏବଂ ଜେସନ ଗିଲେସ୍ପିଙ୍କ ନିଯୁକ୍ତି ଦେଖାଉଛି କି ପାକିସ୍ତାନ କ୍ରିକେଟ ଟିମକୁ କେତେ ଗୁରୁତ୍ବ ଦିଆଯାଇଛି । ବିଦେଶୀ କୋଚ୍ ଆମ ଖେଳାଳୀଙ୍କ ମଧ୍ୟରେ କେତେ ସମ୍ଭାବନା ଦେଖୁଛନ୍ତି । ଆମେ ଟିମକୁ ସର୍ବଶ୍ରେଷ୍ଠ ସୁବିଧା ଦେବାକୁ ଚାହୁଁଛୁ, ଏଥିଲାଗି ଆମେ କର୍ଷ୍ଟନ ଏବଂ ଗିଲେସ୍ପିଙ୍କ ନିଯୁକ୍ତ କରିଛୁ । ପାକିସ୍ତାନ ଟିମ୍ ୨୨ମଇରୁ ଇଂଲଣ୍ଡ ବିପକ୍ଷ ୪ମ୍ୟାଚର ଟି ୨୦ସିରିଜ ଖେଳିବ । ଟି ୨୦ ବିଶ୍ବକପ ଦୃଷ୍ଟିରୁ ଏହି ସିରିଜ ପାକିସ୍ତାନ ଟିମ୍ ଲାଗି ବହୁ ଗୁରୁତ୍ବପୂର୍ଣ୍ଣ ହେବ । ଇଂଲଣ୍ଡର ଏହି ପାକିସ୍ତାନ ଗସ୍ତରୁ ହିଁ ଗ୍ୟାରି କର୍ଷ୍ଟନ ଦ୍ବାରା ଦାୟିତ୍ବ ସମ୍ଭାଳିବାର ଆଶା ରହିଛି ।