ଧରାକୋଟ,୨୬/୦୯: ବେଠୁଆର ଗ୍ରାମର ପ୍ରଖ୍ୟାତ ମା ଘୋଡାଦେଇ ଠାକୁରାଣୀଙ୍କ ପୀଠରେ ଜଣେ ଅବସରପ୍ରାପ୍ତ ଶିକ୍ଷକ ବୁଧୁବାର ମଧ୍ୟ ରାତ୍ରରେ ମନ୍ଦିର ଭୋଜନାଳୟ ରେଲିଂରେ ଗଳାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ୬୧ବର୍ଷ ବୟସର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ବୋଲି ଜଣାପଡ଼ିଛି । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମୁ ପଞ୍ଚାୟତ ଅନ୍ତର୍ଗତ ବେଠୁଆର ଗ୍ରାମର ପ୍ରଖ୍ୟାତ ମା ଘୋଡାଦେଇ ଠାକୁରାଣୀଙ୍କ ପୀଠରେ ଏଭଳି ଅଘଟଣ ଘଟିଛି ।
ସୂଚନା ମୁତାବକ, ବୁଗୁଡ଼ା ନିକଟସ୍ଥ ନଗୁଡୁ ଗ୍ରାମର ୬୧ବର୍ଷ ବୟସର ଅବସରପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ଗତ ୨୧ ଦିନ ଧରି ନିଜର କିଛି ଅଭିଳାଷ ପୂରଣ ପାଇଁ ମା ଘୋଡାଦେଇଙ୍କ ପୀଠରେ ଗୁହାରିଆ ପଡ଼ିଥିଲେ । ଦୀର୍ଘ ଦିନ ଧରି ପୁରୁଷୋତ୍ତମ ପ୍ରଧାନ ଘରକୁ ନ ଫେରିବାରୁ ଘରଲୋକେ ବ୍ୟତିବ୍ୟସ୍ତ ହୋଇ ଖୋଜା ଖୋଜି କରିବା ପରେ ବେଠୁଆର ଗାଁ ନିକଟରେ ଥିବା ଘୋଡାଦେଇ ପୀଠରେ ତାଙ୍କର ସନ୍ଧାନ ପାଇବା ସହ କଥାବାର୍ତ୍ତା କରି ଫେରିଥିଲେ । ନିଜର ଅଭିଳାଷ ପୂରଣ ହେଲେ ଗାଁକୁ ଫେରିବେ ବୋଲି ପୁରୁଷୋତ୍ତମ ପ୍ରକାଶ କରିଥିବା ତାଙ୍କ ପରିବାର ଲୋକ କହିଛନ୍ତି । ଏହା ମଧ୍ୟରେ ବୁଧବାର ମଧ୍ୟ ରାତ୍ରରେ ମନ୍ଦିର ପରିସରରେ ଅବସରପ୍ରାପ୍ତ ଶିକ୍ଷକ ଜଣକ ଆତ୍ମହତ୍ୟା କରିବା ଘଟଣା ରହସ୍ୟମୟ ପରିବେଶ ସୃଷ୍ଟି କରିଛି । ଏହା ଦେଖି ସ୍ଥାନୀୟଲୋକେ ପୁରୁଷୋତ୍ତମଙ୍କ ପରିବାରକୁ ଖବର ଦେଇଥିଲେ । ବାପାଙ୍କ ମୃତ୍ୟୁ ଖବର ପାଇ ମନ୍ଦିରରେ ପହଞ୍ଚିଥିବା ତାଙ୍କ ବଡ ପୁଅ ଚିନ୍ତାର୍ଥ ପ୍ରଧାନଙ୍କ ସହ କଥାବାର୍ତ୍ତା ବେଳେ ବାପା ଜଣେ ମେଳାପି ବ୍ୟକ୍ତି ବୋଲି ଜଣାପଡ଼ିଥିଲା । କିନ୍ତୁ ପାରିବାରିକ ଅଶାନ୍ତି ଯୋଗୁଁ ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ପ୍ରକାଶ କରିଛନ୍ତି ପୁରୁଷୋତ୍ତମଙ୍କ ବଡ ପୁଅ ଚିନ୍ତାର୍ଥ କହିଛନ୍ତି ।
ଅନ୍ୟପଟେ ମୃତକଙ୍କ ପରିବାର ଲୋକେ ଏହି ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ଥାନା ଅଧିକାରୀ ସନ୍ଧ୍ୟାରାଣି ସିଂହ ସଦଳ ବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏ ସମ୍ପର୍କରେ ବଡଗଡ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।