ଭୁବନେଶ୍ୱର,୦୫/୦୮: ଆସନ୍ତା ୧୯ ତାରିଖ (ସୋମବାର) ରାଖୀ ପୂର୍ଣ୍ଣିମା । ଏଥିପାଇଁ ଏବେଠୁ ସରଗରମ ହେଲାଣି ରାଖୀ ବଜାର । ରାଜଧାନୀର ବିଭିନ୍ନ ସ୍ଥାନରେ ରାଖୀ ଷ୍ଟଲ ଖୋଲିଛି । ଚାହିଦାକୁ ଦୃଷ୍ଟିରେ ରଖି ଏଥର ଭଳିକି ଭଳି ସୁନ୍ଦର ଓ ଟ୍ରେଣ୍ଡି ରାଖୀ ବଜାରକୁ ଆସିଛି। ରାସ୍ତା କଡ଼ ଦୋକାନଠୁ ଆରମ୍ଭକରି ବଡ଼ ବଡ଼ ମଲ ପର୍ଯ୍ୟନ୍ତ ସବୁଠି ମିଳୁଛି ରାଖୀ । ବିଶେଷକରି ଚଳିତ ବର୍ଷ ବଜାରରେ ଅଧିକ ଚାହିଦା ସାଉଁଟୁଥିବା ରାଖୀ ମଧ୍ୟରେ ରହିଛି ‘ଥାଳି ରାଖୀ’, ‘ଅକ୍ସିଡାଇଜ୍ଡ୍ ମିନାକରି ରାଖୀ’ ଓ ‘ଇଭିଲ୍ ଆଇ ରାଖୀ’ ।
ଭାଇ ଭଉଣୀ ସମ୍ପର୍କର ପର୍ବ ରକ୍ଷା ବନ୍ଧନ । ଭାଇ ପାଇଁ ମନପସନ୍ଦର ରାଖୀ କିଣିବାକୁ ବର୍ଷର ଏହି ଦିନକୁ ଅପେକ୍ଷା କରିଥାଏ ଭଉଣୀ । ଯେଉଁମାନଙ୍କ ଭାଇ ଦୂରରେ ରହୁଛନ୍ତି, ସେମାନଙ୍କ ପାଇଁ ଭଉଣୀମାନେ ଆଗୁଆ ରାଖୀ କିଣି ପୋଷ୍ଟାଲରେ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ତେଣୁ ବଜାରଠାରୁ ଆରମ୍ଭ କରି ଅନଲାଇନ୍ ପର୍ଯ୍ୟନ୍ତ ଏବେ ରାଖୀ କିଣା ଚାଲିଛି ।
ଏକ ଟିକି ଥାଳିରେ ରାଖୀବାନ୍ଧିବା ସମୟରେ ବ୍ୟବହାର ହେଉଥିବା ଚାଉଳ, ସିନ୍ଦୁର, ଚନ୍ଦନ, ମିଠା ଓ ଛୋଟ ରାଖୀକୁ ନେଇ ପ୍ରସ୍ତୁତ ହୋଇଛି ‘ଥାଳି ରାଖୀ’ । ଯାହାର ମୂଲ୍ୟ ୯୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ବିଶେଷକରି ଦୂରରେ ରହୁଥିବା ଭାଇମାନଙ୍କ ପାଖକୁ ଭଉଣୀମାନେ ଏହି ରାଖୀ ପଠାଇବାକୁ ବେଶି ପସନ୍ଦ କରୁଛନ୍ତି । ସେହିପରି ବିଭିନ୍ନ ରଙ୍ଗବେରଙ୍ଗ ଷ୍ଟୋନରେ କୁଟିକାମ ହୋଇଥିବା ଅକ୍ସିଡାଇଜ୍ଡ୍ ମିନାକରି ରାଖୀର ମୂଲ୍ୟ ୧୫୦ ଟଙ୍କାରୁ ଆରମ୍ଭ ହୋଇ ୪୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ଅନଲାଇନ୍ ବଜାରରେ ଅଧିକ ପସନ୍ଦ କରାଯାଉଥିବା ରାଖୀ ଭିତରେ ରହିଛି ‘ଇଭିଲ ଆଇ ରାଖୀ’ । କେତେକଙ୍କ ବିଶ୍ୱାସ ରହିଛି କି, ଏହାକୁ ପିନ୍ଧିଲେ ନଜର ଲାଗେନି । ସେଥିପାଇଁ ଭଉଣୀମାନେ ଏହି ରାଖୀ କିଣିବାକୁ ପସନ୍ଦ କରୁଛନ୍ତି । ଯାହାର ମୂଲ୍ୟ ୧୦୦ ଟଙ୍କାରୁ ଆରମ୍ଭ ହୋଇ ୪୫୦ ଟଙ୍କା ପର୍ଯ୍ୟନ୍ତ ରହିଛି । ସେହିପରି ଛୋଟ ପିଲାମାନଙ୍କ ପାଇଁ ଡୋରେମନ୍, ନିଞ୍ଜା ହାତୋଡ଼ି, ମୋଟୁ ପତ୍ଲୁ, ଟମ୍ ଆଣ୍ଡ୍ ଜେରି ଭଳି କାର୍ଟୁନ ରାଖୀ ବଜାରକୁ ଆସିଛି, ଯାହାର ମୂଲ୍ୟ ୧୫ ଟଙ୍କାରୁ ଆରମ୍ଭ । ଷ୍ଟୋନ୍, ଓମ୍, ତ୍ରିଶୂଳ, ସ୍ୱସ୍ତିକ୍ ଚିହ୍ନ, ଭଗବାନଙ୍କ ପ୍ରତିଛବି, ରୁଦ୍ରାକ୍ଷ, ମୟୁର ପୁଚ୍ଛ ରାଖୀ ମୂଲ୍ୟ ୨୦ ଟଙ୍କାରୁ ଆରମ୍ଭ ହୋଇ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ।
ବରମୁଣ୍ଡା, ଖଣ୍ଡଗିରି, ଜାଗମରା, ଏକ ନମ୍ବର ହାଟ, ମାଷ୍ଟରକ୍ୟାଣ୍ଟିନ୍, ପଟିଆ, ସିଆରପି, ବାଣୀବିହାର ଛକ ଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ରାଖୀର ପସରା ମେଲିଛି । ଜାଗମରାରେ ରାଖୀ ବିକ୍ରି କରୁଥିବା ସୌମ୍ୟ ରଞ୍ଜନ ପାତ୍ର କୁହନ୍ତି, ବିଶେଷକରି ଦୂରଦୁରାନ୍ତକୁ ରାଖୀ ପଠାଉଥିବା ଭଉଣୀମାନେ ଥାଳି ରାଖୀ କିଣିବାକୁ ଅଧିକ ପସନ୍ଦ କରୁଛନ୍ତି । ଯେଉଁଥିରେ ପୂଜାର ସମସ୍ତ ସାମଗ୍ରୀ ଉପଲବ୍ଧ ରହୁଛି । ମୁଖ୍ୟତଃ ଆମେ ରାଖୀଗୁଡ଼ିକୁ କୋଲକାତା, ଦିଲ୍ଲୀ ଏବଂ ଜଟଣୀରୁ ଆଣି ବିକ୍ରି କରୁଛୁ ।