ନୂଆଦିଲ୍ଲୀ,୧୦।୮: ହମାସର ପଲିଟିକାଲ ମୁଖ୍ୟ ଇସ୍ମାଇଲ ହାନିୟାର ହତ୍ୟା ପରେ ଇରାନ ଖୁବ୍ ଶୀଘ୍ର ଇସ୍ରାଏଲ ଉପରେ ବଡ଼ ଧରଣର ଆକ୍ରମଣ କରିପାରେ। ଇସ୍ରାଏଲର ସାହାଯ୍ୟ ପାଇଁ ଆମେରିକା ମିଡିଲ ଇଷ୍ଟରେ ବହୁ ସ୍ଥାନରେ ନିଜ ଡିଫେନ୍ସ ସିଷ୍ଟମ ମୁତୟନ କରିଛି। ଏୟାରକ୍ରାଫ୍ଟ କ୍ୟାରିୟର୍ସ, ସୈନିକ, ମିସାଇଲ ମୁତୟନ କରି ଦେଇଛି। ଇସ୍ରାଏଲ ମଧ୍ୟ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିଛି।
ଏପଟେ ଇରାନର ସାହାଯ୍ୟ ପାଇଁ ଋଷ ଓ ପାକିସ୍ତାନ ଆଗକୁ ଆସିଛନ୍ତି। ଋଷ ଏନେଇ ଇରାନକୁ ବହୁ ଏସ୍-୪୦୦ ଏୟାର ଡିଫେନ୍ସ ସିଷ୍ଟମ ଦେଇଛି। ଋଷ ଏହି କାମ ୧୫ ବର୍ଷ ପରେ କରିଛି। ଏସ୍-୪୦୦ ଦୁନିଆର ସବୁଠାରୁ ଶକ୍ତିଶାଳୀ ଆଡଭାନ୍ସ ଆଣ୍ଟି ଏୟାର ଡିଫେନ୍ସ ସିଷ୍ଟମ ରହିଛି। ସେଭଳି ପାକିସ୍ତାନ ନିଜର ସବୁଠାରୁ ଶକ୍ତିଶାଳି ନ୍ୟୁକ୍ଲିୟର ବାଲାଷ୍ଟିକ୍ ମିସାଇଲ ଶାହିନ-୩ ଇରାନକୁ ଦେବାର ଯୋଜନା ତିଆରି କରିଛି। ଆସନ୍ତୁ ଜାଣିବା ପ୍ରଥମେ ପାକିସ୍ତାନର ଶାହିନ ମିସାଇଲର ଶକ୍ତି।
ଶାହିନ-୩ ପାକିସ୍ତାନର ସବୁଠାରୁ ବିପଦଜନକ ମିସାଇଲ। ୧୯.୩ ମିଟର ଲମ୍ବା ଏହି ମିସାଇଲର ରେଞ୍ଜ ୨୭୫୦ କିଲୋମିଟର ରହିଛି। ଅର୍ଥାତ ଇସ୍ରାଏଲ କ’ଣ ତା’ର ଆଖପାଖରେ ବହୁ ବଡ଼ ଅଞ୍ଚଳ ଏହାର ପରିସରରେ ଆସିଯିବ। ଏହା ଏକ ମଲ୍ଟି ଷ୍ଟେଜ୍ ସଲିଡ୍ ଫୁଏଲ୍ ରକେଟରେ ଚାଲିଥାଏ। ଏହାର ଗତି କିମ୍ବା ଲକ୍ଷ୍ୟଭେଦ କ୍ଷମତା ବିଷୟରେ କୌଣସି ଖୁଲାସା ହୋଇନାହିଁ। ପାକିସ୍ତାନ ଏହାର ଶେଷ ପରୀକ୍ଷଣ ୯ ଅପ୍ରେଲ ୨୦୨୨ରେ କରାଯାଇଥିଲା।