ଭୁବନେଶ୍ୱର: ପରିପୂର୍ଣ୍ଣ ପରିବାର । ଜୀବନ କିନ୍ତୁ ନିରୋଳା ଆଉ ନିଃସଙ୍ଗ । ଝାଉଁଳି ପଡ଼ିଛି ଝଟକୁଥିବା ସ୍ୱପ୍ନ । ଭୁଶୁଡ଼ି ଯାଇଛି ବିଶ୍ୱାସର ବାଲିବନ୍ଧ । ଭରସା ଭାଙ୍ଗିଯିବାର ଦୁଃଖକୁ ଧରି ଜୀବନ ତ ଜିଅଁନ୍ତି । ହେଲେ ନିଇତି ମରୁଥାନ୍ତି । ଦୁଃଖରେ ମନ ଛଟପଟ । ଆଖି ଲୁହ ପିଉଛି ଓଠ । ଦଶ ମାସ ଗର୍ଭରେ ଧରି ଜନ୍ମ ଦେଇଥିବା ମା’କୁ ମିଳୁନି ପଦୁଟିଏ ସ୍ନେହବୋଳା କଥା । ତମାମ ଜୀବନ ନିଜକୁ ତିଳ ତିଳ କରି ଜାଳିଥିବା ବାପାଙ୍କୁ ଦେଖିଲେ ମୁହଁ ବୁଲାଇ ନେଉଛି ପୁଅ । ଅଲୋଡ଼ା ଈଶ୍ୱର ଆଜି ଜୀବନରାସ୍ତାର କ୍ଲାନ୍ତ ପଥିକ । କ’ଣ ବା କରିପାରିବେ? କିଏ ପତ୍ନୀକୁ ହରାଇଛି, ଆଉ କିଏ ପତିଙ୍କୁ । ଭାଗବଣ୍ଟାରେ ବାପା ଯଦି ବଡ଼ପୁଅ ପାଖରେ ମା’ସାନପୁଅ ପାଖରେ । ଦହଗଞ୍ଜ ଜୀବନରେ ଏ ବିଛେଦ କଟା ଘା’ରେ ବୋଳୁଛି ଚୂନ । ନା କହି ହେଉଛି, ନା ସହି ହେଉଛି । ତୁଣ୍ଡ ଖୋଲିଲେ ମହାଭାରତ । ଶେଷ ଅବସ୍ଥାରେ ସେମାନେ ତ ଏବେ ଅପାଂକ୍ତେୟ ଆଉ ଅଲୋଡ଼ା । ଏକଲାପଣ ହିଁ ଏକମାତ୍ର ସାଥୀ । ବୃଦ୍ଧାବସ୍ଥାରେ ବାପ-ମାଆଙ୍କ ପାଇଁ ଏଇ ତ ଜୀବନ ।
ହୁଗୁଳା ହେଉଛି ସଂପର୍କ
ସମୟ ବଦଳୁଛି। ହୁଗୁଳି ଯାଉଛି ସଂପର୍କର ନିବିଡ଼ତା । ବାର୍ଦ୍ଧକ୍ୟ ପାଲଟିଯାଉଛି ବୋଝ । ହଜିଗଲାଣି ଯୌଥ ପରିବାରର ଥାଟପଟାଳି । ଜୀବନରେ ରଙ୍ଗ ନାହିଁ କି ରସ । ଯେଉଁ ପୁଅ ଝିଅଙ୍କୁ ପାଞ୍ଚ ଜଣରେ ଜଣେ ମଣିଷ କରିବାକୁ ବାପା-ମାଆ ନିଜ ଜୀବନକୁ ସମର୍ପିତ କରିଥାନ୍ତି ବୃଦ୍ଧାବସ୍ଥାରେ ସେମାନେ ଶାନ୍ତିରେ ବଞ୍ଚି ପାରୁନାହାନ୍ତି । ନା ହସହସ ମିଠା କଥା, ସେବା, ସମ୍ମାନ କିଛି ମିଳୁଛି । କିଏ ଦହଗଞ୍ଜ ହୋଇ ଘରେ ଭାଗ୍ୟକୁ ଆଦରି ପଡ଼ି ରହୁଛନ୍ତି । ଗୋଟିଏ ଛାତ ତଳେ ପୁଅ-ବୋହୂଙ୍କ ସହ ରହି ମଧ୍ୟ ଯୋଜନ ଦୂରତାରେ କଟୁଛି ଜୀବନ । ଆଉ କାହାର ଠିକଣା ପାଲଟିଛି ଜରାନିବାସ । ନିଜ ପିଲାଙ୍କ ସୁଖ, ସ୍ୱପ୍ନ ପାଇଁ ନିଜ ସ୍ୱପ୍ନକୁ ସମାଧି ଦେଇଥିବା ମଣିଷଙ୍କ ଦାନର ଏହା କ’ଣ ପ୍ରତିଦାନ? ଜଣେ ଅଧେ ନୁହଁ, ଦେଶର ୭୦ ପ୍ରତିଶତରୁ ଅଧିକ ପରିବାରରେ ଏ ଅବସ୍ଥା । ବୟସ୍କ ବାପା-ମାଆଙ୍କ ଛାତି ଭିତରର ଅସହାୟ ସ୍ୱର କେମିତି ପିଲାଙ୍କ କାନକୁ ବାଜେନି? ଭାରତୀୟ ପାରିବାରିକ ମୂଲ୍ୟବୋଧ ଆଜି ଧରାଶାୟୀ । ବୟସର ଅପରାହ୍ନରେ ନିଃଶ୍ୱାସ ଟିକକ ପାଇଁ ନାହିଁ ଥିବା ଯନ୍ତ୍ରଣା । ଜୀବନ ଜିଇଁବାକୁ ଦୁଃଖ ଓ ମନର ଭାବନା ସହ ଲଢ଼େଇ । ମାନସିକ ଯନ୍ତ୍ରଣା ଓ ରୋଗରୁ ଶରୀର ରାହା ଟେକୁଛି । ଆହା କହିବାକୁ କିଏ ବା ଅଛି ?
ବିଳାସମୟ କୋଠାରୁ ଚାଳ-ସବୁଠି ନିର୍ଯାତନା
ଭଙ୍ଗା ମନରେ ସକାଳର ସୂର୍ଯ୍ୟ ଉଏଁ । ଭଙ୍ଗା ହୃଦୟରେ ହଜିଯାଏ ରାତିର ନିଦ । ଅପାସୋରା ଅନୁଭୂତି, ଭଙ୍ଗା ସ୍ମୃତି ଛାଇ ଭଳି ଗୋଡ଼ାଏ । ହାୟ! ନିଜ ପୁଅଙ୍କୁ ନେଇ କେତେ ସ୍ୱପ୍ନ ଆଉ କେତେ ଅହଂକାର ନଥିଲା? ମାତ୍ର ସବୁ କେମିତି ମିଳେଇଗଲା । ଠିକ୍ ପାଣି ଫୋଟକା ପରି । ପରିବାରରୁ ସମ୍ମାନ, ସେବା, ସହଯୋଗ ମିଳୁନି । ସମାଜ ବି ଭିନ୍ନ ଦୃଷ୍ଟିରେ ଦେଖୁଛି । ସାରା ଦେଶରେ ଏବେ ଅଧିକାଂଶ ବୟସ୍କ ବ୍ୟକ୍ତିଙ୍କ ଏହା ହିଁ ହେଉଛି ଭାଗ୍ୟ । କିଛି ପୁଅ ଝିଅ ତ ନିଶ୍ଚୟ ବାପା-ମାଆଙ୍କୁ ବେଶ୍ ହସରେ ଖୁସିରେ ଆଉ ଯତ୍ନରେ ରଖିଛନ୍ତି । ଭଲମନ୍ଦ ବୁଝୁଛନ୍ତି । ମାତ୍ର ଆମ ଦେଶର ସିଂହଭାଗ ବାପା-ମାଆଙ୍କ ଭାଗ୍ୟରେ ଏମିତି ପୁଅ କି ଝିଅ କ’ଣ ଅଛନ୍ତି? ହେଲପ୍ ଏଜ୍ ଇଣ୍ଡିଆର ସର୍ଭେ କହୁଛି, ୭୦ ପ୍ରତିଶତ ବୟସ୍କ କଲବଲ ଜୀବନ ଜିଉଁଛନ୍ତି । ବ୍ୟାଙ୍କ ଖାତାରେ ଜମା ନାହିଁ କି ବ୍ୟକ୍ତିଗତ ସଂପତ୍ତି । ସ୍ୱାସ୍ଥ୍ୟ ବୀମା ନାହିଁ କି ପରିବାରରୁ ମିଳୁନି ମିଠା କଥା । ୪୦ ପ୍ରତିଶତ ତ ଖୋଦ ପରିବାର ଲୋକଙ୍କ ଦ୍ୱାରା ନିର୍ଯାତିତ ହେଉଛନ୍ତି ।
ବିଳାସମୟ କୋଠା ହେଉ ଅବା ଚାଳ ଘର ସବୁଠି ଏ ନିର୍ଯାତନାର କାହାଣୀ ଆଉ ଅସହାୟତାର ନିର୍ମମ ସ୍ୱର । କାଁ ଭାଁ ବାହାରକୁ ଆସୁଛି । ଅଧାରୁ ଅଧିକ ବନ୍ଦ କୋଠରୀ ଭିତରେ ଚାପି ହୋଇ ରହୁଛି । ଆମ ଦେଶରେ ପାରିବାରିକ ସଂପର୍କର ନିବିଡ଼ତା ଓ ବନ୍ଧନ ହେଉଛି ବଡ଼ ପୁଞ୍ଜି । ମାତ୍ର ସମୟ ସହ ତାଳ ଦେଇ ଏ ବନ୍ଧନ ଶିଥିଳ ହୋଇଯାଉଛି । ଭରା ଦେଇ ଉପରକୁ ଉଠିଗଲେ, ତଳ ମଣିଷ ଅଲୋଡ଼ା ହୋଇ ପଡ଼ନ୍ତି । ସେମାନଙ୍କର ଆଉ କ’ଣ ବା କାମ? ଆମ ବୟସ୍କ ମଣିଷଙ୍କ ଅବସ୍ଥା ଏବେ ଠିକ୍ ସେଇ ତଳ ମଣିଷ ଭଳି । ପିଲାମାନଙ୍କ ଭବିଷ୍ୟତ ପାଇଁ ନିଜର ବର୍ତ୍ତମାନକୁ ଭୁଲି ଯାଆନ୍ତି । ଜୀବନର ଶେଷ ଅବସ୍ଥାରେ କିନ୍ତୁ ସେଇ ପିଲାମାନେ ହାତ ଛାଡ଼ିଦିଅନ୍ତି । ସମାଜ ବି ବୟସ୍କଙ୍କ ତ୍ୟାଗ ଓ ଅଭିଜ୍ଞତାକୁ ଯେତିକି ସମ୍ମାନ ଦେବା କଥା ଦେଉନି । ବଳ ବୟସ ଯେତିକି ଗଡ଼ିଯାଏ, ସେମାନେ ସେତିକି ବୋଝ ପାଲଟି ଯାଆନ୍ତି। ପରିବାର ପାଇଁ, ସମାଜ ପାଇଁ ବି । ଦିନକୁ ଦିନ ବୟସ୍କଙ୍କ ପ୍ରତି ପରିବାର ଓ ସମାଜର ନକାରାତ୍ମକ ବ୍ୟବହାର ମହାମାରୀ ଭଳି ମାଡ଼ି ଚାଲିଛି । ଆମ ଅଜାଣତରେ ଏହା ଛିଡ଼ା କରାଇଛି ସାମାଜିକ ସଂକଟ ।
ଆଇନ ଅଛି, ସଚେତନତା ନାହିଁ
କେହି ଜଣେ କହୁଥିଲେ, ଯଦି ଶହେ ବର୍ଷର ବାପା ପୁଅକୁ ଡାକ ଛାଡ଼େ, ଆଉ ୭୦/୭୫ ବୟସର ବୃଦ୍ଧ ପୁଅ ଆଜ୍ଞା କହୁଥିବ ତେବେ ସେ ବାପା ଦଶରଥଠୁ କମ୍ ନୁହଁ କି ପୁଅ ବି ରାମଚନ୍ଦ୍ରଙ୍କଠୁ କମ୍ ନୁହଁ । ସତ ନୁହଁ କି? ହେଲେ ଆଜି ଦଶରଥ ଓ କୌଶଲ୍ୟାମାନଙ୍କ ଭାଗ୍ୟ ପଥର ତଳେ । ଆଧୁନିକ ଜୀବନ ଶୈଳୀ, କ୍ୟାରିୟରରେ ଆଗକୁ ଯିବାକୁ ତଗଡ଼ା ପ୍ରତିଯୋଗିତା, ରାତାରାତି ଧନୀ ହେବାର ମୋହ ପଛରେ ଧାଉଁଛି ଜୀବନ । ପ୍ରଥମ ହେବାର ମାୟାରେ ମଣିଷ ବାୟା । ବୃଦ୍ଧ ବାପା-ମାଆଙ୍କ ପାଇଁ ସମୟ କାହିଁ? ବୟସ୍କଙ୍କ ଭରଣପୋଷଣ ଓ ମଙ୍ଗଳ ପାଇଁ ସରକାର ଆଇନ ଆଣିଛନ୍ତି । ହେଲେ ଏ ଆଇନ ନେଇ କେତେଜଣ ସଚେତନ ଅଛନ୍ତି? ମେଣ୍ଟେନାନସ୍ ୱେଲଫେୟାର ଅଫ ପ୍ୟାରେଣ୍ଟସ୍ ଆଣ୍ଡ ସିନିୟର ସିଟିଜେନ୍ସ ଆକ୍ଟ-୨୦୦୭ ସଂପର୍କରେ ୮୦ ପ୍ରତିଶତ ବୟସ୍କ ଅଜ୍ଞ । ନିଜ ଅଧିକାର ପାଇଁ ଲଢ଼ିବା ବଦଳରେ ସହିଯିବାକୁ ଠିକ୍ ମଣନ୍ତି । ସମାଜ କ’ଣ ଭାବିବ? ଏ ଭୟରେ କିଛି ପିଲା ବି ବୃଦ୍ଧ ଅବସ୍ଥାରେ ବାପା-ମାଆଙ୍କ ଭଲମନ୍ଦ ବୁଝନ୍ତି । ମାତ୍ର ଇଛା ନଥାଏ କି ଆନ୍ତରିକତା । ଏହା ହିଁ ବୟସ୍କମାନଙ୍କୁ ବେଶୀ କଷ୍ଟ ଦିଏ । ଅସହାୟପଣରେ ବୁଡ଼ି ଯାଆନ୍ତି । ଜୀବନ ଯନ୍ତ୍ରଣାମୟ ଲାଗେ । ରୋଗଗ୍ରସ୍ତ ଶରୀର ପାଇଁ ଔଷଧ ତ ଖାଆନ୍ତି । ହେଲେ ସବୁଠାରୁ ବଡ଼ ଔଷଧ ‘ଭରସା’ ଭାଙ୍ଗି ଚୁରମାର୍ । ପୁଅ-ବୋହୂଙ୍କ ଦାଉ ସହନ୍ତି । ଭାଗ୍ୟକୁ ନିନ୍ଦନ୍ତି । କଲା କର୍ମର ଫଳ ଭାବନ୍ତି । ହେଲେ ଆଇନର କବାଟ ଠକ ଠକ କରନ୍ତିନି । ବୋଧହୁଏ ବାପା-ମାଆମାନେ ହିଁ ଏଇଆ । ଅଧା ଜୀବନ ଖଟିବେ, ବୟସର ଅପରାହ୍ନରେ ପିଲାଙ୍କଠୁ ସହିବେ ।
ବାପା-ମାଆ ବଡ଼ ସଂପତ୍ତି
ମାଆ ହେଉଛି ଦୁନିଆରେ ଶ୍ରେଷ୍ଠ ଯୋଦ୍ଧା । ତାଙ୍କ ଆଶୀର୍ବାଦ ହିଁ ପିଲା ପାଇଁ ରକ୍ଷାକବଚ । ଜୀବନ ଜିଇଁବାକୁ ବାପାଙ୍କ ସଂପତ୍ତି ନୁହେଁ, ଛାଇ ହିଁ ଯଥେଷ୍ଟ । ହେଲେ ସମୟ ଆଜି ବୁଢ଼ା ବାପା ଆଉ ବୁଢ଼ି ମାଆଙ୍କୁ ବୋଝ କରି ଦେଇଛି । ପିଲାମାନେ ବାପା-ମାଆଙ୍କୁ ଛାଡ଼ି ଦେଇଥାନ୍ତି । ହେଲେ ବାପା-ମାଆ ନିଜ ଛୁଆଙ୍କୁ ଛାଡ଼ି ପାରନ୍ତିନି । ମନରେ ସାତଭାୟାର ସମୁଦ୍ର ମନ୍ଥନ । ଆଖିରେ ଅସହାୟତାର ଲୁଣିପାଣି ।
ହତାଦର କରୁଥିବା ପୁଅମାନଙ୍କୁ ବୋଉର ଲୁହ ଡବଡବ ଆଖି, ପାଣ୍ଡୁର ମୁହଁ କେମିତି ଦେଖାଯାଏନି? କିଛି କହିବାକୁ ଚାହିଁ ମଧ୍ୟ ଅଭିମାନ ଓ ସ୍ୱାଭିମାନରେ ନିଜ ଓଠକୁ ଚାପି ରହୁଥିବା ବୃଦ୍ଧ ବାପା ଆଖିର ଭାଷାକୁ ପୁଅଟିଏ କେମିତି ମୁହଁ ମୋଡ଼େ? ଯେଉଁ ହାତ ଧରି ଜୀବନ ରାସ୍ତାରେ ବାଟ ଚାଲିବାକୁ ସକ୍ଷମ ହେଲେ, ସେଇ ପୁଅମାନେ ଅପରାହ୍ନରେ ବାପର ହାତ କେମିତି ଛାଡ଼ି ଦିଅନ୍ତି । ଇଏ କି ପୁଅପଣିଆ? କି ପ୍ରତିଦାନ?? ପ୍ରତିଟି ପୁଅଙ୍କୁ ମନେ ରଖିବାକୁ ହେବ କାଲି ସିଏ ବି ବାପା ହେବେ ଆଉ ସିଏ ବି ବୁଢ଼ା ହେବେ । ସେ ସମୟ ଆସିଲେ ହିଁ ବୁଝିପାରିବେ ପୁଅ ମୁହଁ ଛିଞ୍ଚାଡ଼ି ଦେଲେ କେମିତି ଛାତି କୋରି ହୋଇଯାଏ । ବିଶ୍ୱାସ ଓ ଭରସା ଭାଙ୍ଗିଯାଏ ।
ହଁ... ମନେ ପଡ଼ୁଛି କେହି ଜଣେ କହିଥିଲେ, ନିଜ କାମଠୁ ବଳି ବଡ଼ ଶକ୍ତି କିଛି ନାହିଁ । ଲୋକଙ୍କ ଭଲପାଇବାଠୁ ବଳି ସମ୍ମାନ ଏବଂ ପରିବାରଠୁ ବଳି ବଡ଼ ସଂପତ୍ତି ଦୁନିଆରେ କିଛି ନାହିଁ । କିଛି ବି ନାହିଁ । ମନେ ରଖିବାକୁ ହେବ, ଆପଣ ନିଜେ ପରିବାର ବାଛିନାହାନ୍ତି । ସ୍ୱୟଂ ଈଶ୍ୱରଙ୍କ ଧାର୍ଯ୍ୟ ନିଷ୍ପତ୍ତିରେ ଏକ ପରିବାରରେ ଜନ୍ମ ନେଇଛନ୍ତି । ସକାଳ ସଂଜରେ ନିଜ ପିଲାଛୁଆଙ୍କ ସୁନ୍ଦର ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛନ୍ତି । ଭବିଷ୍ୟତ ଯୋଜନା କରୁଛନ୍ତି । ମନ୍ଦିର ଯାଉଛନ୍ତି । ମାତ୍ର ଘରେ ଥିବା ଭଗବାନଙ୍କୁ ଆପଣ ନିର୍ମମ ଛଟପଟ କରୁଛନ୍ତି । ଈଶ୍ୱର ସବୁ ଦେଖୁଛନ୍ତି । ସହିବେ ତ ?