ପ୍ରମୂଖ ଖବର
  • ସାଲେପୁର : ବିଦ୍ୟାଳୟରେ ପାଠ ପଢାଇଲେ ଜିଲ୍ଲାପାଳ, ବୁଲି ଦେଖିଲେ ବିଜ୍ଞାନ ଲାବୋରେଟୋରୀ
  • ||
  • ଛତ୍ରପୁର : କାରାଗାରରେ ବିଚରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ
  • ||
  • ଆଠଗଡ : ଗଣେଶ ଭସାଣରେ ଛୁରା ମାଡ; ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ଵର : ବଡ଼ବଡ଼ିଆଙ୍କ କବଜାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଆଇସିୟୁ, ସାଧାରଣ ଏବଂ ଗରିବ ରୋଗୀଙ୍କ ପାଇଁ କବାଟ ବନ୍ଦ
  • ||
  • ଭଞ୍ଜନଗର : ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • କୋଣାର୍କ : ମାନସିକ ବିକୃତ ଥିବା ବୃଦ୍ଧଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରିରେ ସୁଧୁରୁଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଦୁଇ ବରିଷ୍ଠ ଅଧିକାରୀ
  • ||

ହୀରାକୁଦ ସେଚାଞ୍ଚଳରୁ ହଜିଯାଉଛି କୃଷି ସଂସ୍କୃତିର ସନ୍ତକ, ୨୫ରୁ ଊର୍ଦ୍ଧ୍ୱ ଦେଶୀ ଧାନ ବିହନ ନିଶ୍ଚିହ

ସମ୍ବଲପୁର, ଜ୍ଞାନବ୍ରତ ଭୋଇ/୨୧।୮: ନାଁ ଯେମିତି ଥିଲା, ଗୁଣ ବି ସେମିତି ଥିଲା । କୃଷି ସଂସ୍କୃତିର ଆଦ୍ୟ ପୁରୋଧା ଥିଲା । ମାଟିର ମଣିଷକୁ କେଉଁ ଆବାହମାନ କାଳରୁ ତାର ସୁଗନ୍ଧିତ ମହକରେ ବୁଡ଼ାଇ ଦେଉଥିଲା । ପେଟର ଭୋକକୁ ଖାଲି ମେଣ୍ଟାଉ ନଥିଲା, ବରଂ ତୃପ୍ତିର ଚେନାଏ ହସ ବି ଫୁଟାଉଥିଲା । କିନ୍ତୁ ଦଶନ୍ଧି ଦଶନ୍ଧି ଧରି ଚାଷୀ ଭାଇର ସାଥୀ ସାଜି ଆସିଥିବା ସେହି ପାରମ୍ପରିକ ଧାନ ବିହନ ଆଜି ଇତିହାସ ପାଲଟି ଗଲାଣି । ଅଧିକ ଉତ୍ପାଦନ ଆଳରେ ହୀରାକୁଦ ସେଚାଞ୍ଚଳରୁ ପ୍ରାୟ ୨୫ରୁ ଊର୍ଦ୍ଧ୍ୱ କିସମର ଦେଶୀ ଧାନ ବିହନ ଏବେ ନିଶ୍ଚିହ୍ନ । ଅଧିକ ଉତ୍ପାଦନକ୍ଷମ ବିହନ ଦୁଇ ପଇସା ଅଧିକ ଦେଇଛି ସତ ହେଲେ ରୋଗ ପୋକ ସହ ଚାଷୀକୁ ଯୁଝିବାକୁ ବାଧ୍ୟ କରିଛି । ଘରକୁ କୁଣିଆ ଆସିବେ, ମାନ ସମ୍ମାନର କଥା । ସରୁ ବାସ୍ନା ଚାଉଳରେ ଦି ମୁଠା ଭାତ ସାଙ୍ଗକୁ ଚଇତୁ ମୁଗର ଚୋପା ସହ କୁଟା ଡାଲି ଟିକେ ପରସି ଦେଲେ ଆତ୍ମୀୟ ଆତ୍ମବିଭୋର । ଏଥିପାଇଁ ଖୋଜା ପଡ଼େ ସରୁ ଝିଲି, ପାରିଜାତ ବା କାବେରୀ । 

ସେହିପରି ସକାଳ ଏବଂ ସନ୍ଧ୍ୟା ଜଳଖିଆର ସବୁଠୁ ପ୍ରିୟ ଖାଦ୍ୟ ଦେଶୀ ମୁଢ଼ି ପାଇଁ ଚିନା ଚାଉଳର ଭାଉ ଅମୂଲମୂଲ । ଖାଲି ସେତିକି ନୁହେଁ, ଆଦିବାସୀ ଭାଇ ପେଟ ଥଣ୍ଡା ପାଇଁ ଢୋକେ ହାଣ୍ଡିଆ (କୁସୁନା) ଟିକେ ବନେଇବାକୁ ଚାହିଁଲେ କୁଲିହା ଡାଳୁଆ ଚାଉଳ ହିଁ ଲୋଡା ପଡ଼େ । ପୁଣି ଅରୁଆ ପାଇଁ ଜିରା ତ ଉଷୁନା ପାଇଁ ଭୋଜନା, କଲାହାଁସୁ, କରନି, ଯଯାତି, ଲଲାଟ ଆଦି ଆହୁରି କେତେ କିସମ ରହିଛି । ହେଲେ ପାରମ୍ପରିକ ଚାଷ ଟୁପା (ବାଉଁଶରେ ତିଆରି ବଡ଼ ଟୋକେଇ)ରୁ ବସ୍ତାକୁ ଉନ୍ନୀତ ପରେ ଏହି ସବୁ ଦେଶୀ କିସମର ଧାନ ଉଭାନ ହୋଇଗଲାଣି । କାହିଁ କେଉଁ କାଳରୁ ଚାଷୀ ଭାଇର ଜୀବନ ଜୀବିକାର ଅଭିନ୍ନ ଅଙ୍ଗ ଭାବେ ପରିଣତ ହୋଇଥିବା ଏହି ଦେଶୀ ବିହନ ସଂସ୍କୃତି ବି ଆଜି ଆଧୁନିକ ଚାଷ ପ୍ରଣାଳୀ ଆଳରେ ବିଲୋପ ହୋଇଗଲାଣି । ହୀରାକୁଦ ବନ୍ଧ ନିର୍ମାଣ ପୂର୍ବରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପାରମ୍ପରିକ କୃଷିର ପ୍ରୟୋଗଶାଳା ଥିଲା । ଏଠାରେ ପ୍ରାୟ ୫୦ରୁ ଊଦ୍ଧ୍ୱର୍ କିସମର ଦେଶୀ ଧାନ ବିହନ ଦଶନ୍ଧି ଦଶନ୍ଧି ଧରି ଚାଷୀ ଭାଇର ଜୀବନ ଜୀବିକାର ଅଙ୍ଗ ଭାବେ ପରିଣତ ହୋଇସାରିଥିଲା । ହେଲେ ବନ୍ଧ ନିର୍ମାଣ ପରେ ସବୁଜ ବିପ୍ଳବ ନାଁରେ ସରକାରୀ ବିହନର ବହୁଳ ପ୍ରୟୋଗ ଏବେ ଶହ ଶହ ବର୍ଷର ପାରମ୍ପରିକ ଦେଶୀ ବିହନର ସତ୍ତା ହଜାଇ ଦେଲାଣି । 

ହୀରାକୁଦ ସେଚାଞ୍ଚଳ ଭାବେ ପରିଚିତ ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାରେ କାଁ ଭାଁ କିଛି ଚାଷୀଙ୍କୁ ବାଦ୍‌ ଦେଇ ଅନ୍ୟ ସବୁ ଚାଷୀଙ୍କ ଅମାର ଘରୁ ଦେଶୀ ବିହନ ଉଭାନ ମାରିଲାଣି । ପୂର୍ବରୁ ଏହି ସେଚାଞ୍ଚଳରେ ପରସାଦୀ, କଲମ, ଚିନା, କଲାହାଁସୁ, ଝିଲି, ସରୁ, ଝିଲି, ଜିରା, କରନି, ଖରକୁଇଲି, ଭୋଜନା, କୁଲିହା ଡାଲୁଆ, ପାରିଜାତ, କାବେରୀ, ଲଲାଟ, ଯଯାତି ଆଦି ୨୫ରୁ ଊଦ୍ଧ୍ୱର୍ କିସମର ଦେଶୀ ଧାନ ବହୁଳ ଭାବେ ଚାଷ ହୋଇ ଆସୁଥିଲା । ହେଲେ ବର୍ତ୍ତମାନ ଏଥିରୁ କାଁ ଭାଁ ଗୋଟେ ଅଧେ କିସମ କେବଳ ଦେଶୀ ବିହନ ସଂରକ୍ଷକଙ୍କ ପାଖରେ ଥିବା ବେଳେ ଚାଷୀର ଅମାରରୁ ଗାଏବ ହୋଇଗଲାଣି । ପ୍ରାୟ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ହେଲା ଏହି ପାରମ୍ପରିକ ବିହନ ଆଉ ଚାଷ ହେଉନାହିଁ । ବର୍ଷିଆନ ଚାଷୀ ରାମସାଗର ସାହୁଙ୍କ କହିବା କଥା, ପୂର୍ବରୁ ଏହି କିସମର ଧାନରେ ବିଶେଷ ରୋଗ ହେଉ ନ ଥିଲା । ବର୍ତ୍ତମାନ ଉତ୍ପାଦନ ସିନା ବଢ଼ିଲା, ସେହି ଅନୁପାତରେ ଖର୍ଚ୍ଚ ବି ଅନେକ ଗୁଣରେ ବଢ଼ିଗଲା । ଏହାର ମୁଖ୍ୟ କାରଣ, ସରକାରୀ ବିହନଗୁଡ଼ିକ ଅଧିକ ରୋଗ ପୋକର ଶିକାର ହେଉଥିବାରୁ ହଜାର ହଜାର ଟଙ୍କା କୀଟନାଶକରେ ଖର୍ଚ୍ଚ ହେଉଛି । ଚାଷ ବି ଅନେକ ବର୍ଷ ହେଲା ଅନିଶ୍ଚିତତା ଦେଇ ଗତି କରୁଛି ବୋଲି ସେ କହିଛନ୍ତି । 

ପୂର୍ବରୁ ବସ୍ତାର ପ୍ରଚଳନ ନ ଥିଲା । ଟୁପାରେ ହିଁ ଧାନ ମପା ଯାଉଥିଲା । ଗୋଟିଏ ଟୁପାରେ ୨୦ ତାମ୍ବି ଧାନ ଓଜନ ହେଉଥିଲା । ଗୋଟିଏ ଏକରରେ ୨୦ ଟୁପା ଧାନ ହେଲେ ଚାଷୀ ଖୁସିରେ ଆତ୍ମହରା ହୋଇଯାଉଥିଲା । ୨୦ ଟୁପାରୁ ଅତି ବେଶିରେ ୮ରୁ ୧୦ କୁଇଣ୍ଟାଲ ହେଉଥିଲା । ବର୍ତ୍ତମାନ ତାହା ୩୫ କୁଇଣ୍ଟାଲକୁ ବୃଦ୍ଧି ପାଇବା ପରେ ବି ଖର୍ଚ୍ଚ ଅନୁପାତରେ ଲାଭ ହେଉନାହିଁ । ଅପରପକ୍ଷେ ଦୀର୍ଘ ୩ ଦଶନ୍ଧି ତଳୁ ସମଗ୍ର ଓଡ଼ିଶାରେ ଚାଷୀଙ୍କ ପ୍ରଥମ ପସନ୍ଦ ସାଜି ଆସିଥିବା ସରକାରୀ ବିହନ ସ୍ୱର୍ଣ୍ଣ କିସମ ତାର ରୋଗ ସହନଶୀଳ ଗୁଣ ହଜାଇ ସାରିଛି । ତଥାପି ଆଜି ବି ଚାଷୀ ଏହାକୁ ଛାଡ଼ି ପାରିନାହାନ୍ତି । ସରକାରୀ ସ୍ତରରେ ଯୋଗାଣ ହୋଇଥିବା ହାଇ ୟିଲଡିଙ୍ଗ (ଅଧିକ ଅମଳକ୍ଷମ) କିସମର ସିଦ୍ଧାନ୍ତ, ପ୍ରତୀକ୍ଷା, ୧୦୧୦ ପରି ଧାନ ଉତ୍ପାଦନ ସିନା ଦେଇଛି, ହେଲେ ମାଟିର ଉର୍ବରତାକୁ ହ୍ରାସ କରିବା ସହ ଏଥିରେ ରୋଗପୋକ ଚାଷୀକୁ ଅତିଷ୍ଠ କରିଦେଇଛି । ଏଭଳି ସ୍ଥିତିରେ ବର୍ତ୍ତମାନ କେନ୍ଦ୍ର ସରକାର ଦେଶୀ ବିହନକୁ ପ୍ରୋତ୍ସାହିତ କରିବା ଆରମ୍ଭ କରିଛନ୍ତି । ହେଲେ ଏହି ବିଲୁପ୍ତ ବିହନର ସନ୍ଧାନ ଆଗାମୀ ସମୟ ପାଇଁ ବଡ଼ ଆହ୍ୱାନ ପାଲଟିଛି ।

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.