ଉତ୍ତରକାଶୀ, ୨୯।୧୧: ସୁଡ଼ଙ୍ଗରେ ଶ୍ରମିକ ଫସିଥିବା ଖବର ସାମ୍ନାକୁ ଆସିବା ପରେ ପରିବାର ଲୋକଙ୍କ ହୋସ୍ ଉଡ଼ିଯାଇଥିଲା । ଘରେ କାନ୍ଦବୋବାଳି ପଡ଼ିଥିଲା । ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅଭିଯାନ ପ୍ରସ୍ତୁତି ଆରମ୍ଭ କରିଦେଇଥିଲା । କିନ୍ତୁ ତା’ ପୂର୍ବରୁ ଶ୍ରମିକମାନଙ୍କ ସୁରକ୍ଷା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କ ପାଖକୁ ଜୀବନ ରକ୍ଷାକାରୀ ଅକ୍ସିଜେନ୍ ସହ ପାଇପ୍ ସହାୟତାରେ ଖାଦ୍ୟ ସାମଗ୍ରୀ, ଔଷଧ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଯୋଗାଇ ଦିଆଯାଇଥିଲା । ଘର ଲୋକମାନଙ୍କ ସହ କଥା ହେବା ପାଇଁ ଲ୍ୟାଣ୍ଡଲାଇନ୍ ଫୋନ୍ ସୁବିଧା ଦିଆଯାଇଥିଲା । ମନୋରଞ୍ଜନ ପାଇଁ ମୋବାଇଲ୍, ଲୁଡୋ ଓ ଚେସ୍ ଆଦି ଦିଆଯାଇଥିଲା ।
ସୋମବାର ସେମାନଙ୍କ ପାଖକୁ ବ୍ୟାଟ୍, ବଲ୍ ଓ ୱିକେଟ୍ ପଠାଯାଇଥିଲା । ଏହାପରେ ସେମାନେ ମିଶି କ୍ରିକେଟ୍ ଖେଳିଥିଲେ । ସେମାନଙ୍କ ମାନସିକ ସ୍ଥିତି ସ୍ୱାଭାବିକ ରଖିବା ପାଇଁ ଏ ସବୁ କରାଯାଇଥିଲା । ସେମାନେ ଯେ ସୁଡ଼ଙ୍ଗ ମଧ୍ୟରେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, ସେଥିଲାଗି ଭରସା ଦିଆଯାଇଥିଲା । ସୁଡ଼ଙ୍ଗ ଭିତରେ ଫସିଥିବା ଶ୍ରମିକ ଏବଂ ସେମାନଙ୍କ ପରିବାର ଲୋକଙ୍କ ମଧ୍ୟରେ ଅହରହ କଥାବାର୍ତ୍ତା ଯୋଗୁ ସେମାନଙ୍କ ମନୋବଳ କାଏମ ରହିଥିଲା । ଶ୍ରମିକ ସବା ଅହମ୍ମଦଙ୍କ ଭାଇ ନାୟର ଅହମ୍ମଦ କହିଛନ୍ତି ଯେ ଯେତେବେଳେ ସେ ସବାଙ୍କ ସହ ଫୋନ୍ରେ କଥା ହେଉଥିଲେ, ସବୁ କିଛି ଠିକ୍ ଚାଲିଛି ବୋଲି କହୁଥିଲେ । ସବାଙ୍କ ପତ୍ନୀ ଓ ତିନି ପିଲାଙ୍କ ବାବଦରେ ତାଙ୍କୁ ଜଣାଉଥିଲେ । ଏହା ଶୁଣିବା ପରେ ସବା ଆଶ୍ୱସ୍ତି ଅନୁଭବ କରୁଥିଲେ । ଡାକ୍ତରୀ ଟିମ୍ ଦୁଇଟି ପର୍ଯ୍ୟାୟରେ ୫ ଘଣ୍ଟା କଥା ଶ୍ରମିକମାନଙ୍କ ସହ କଥା ହେଉଥିଲେ ।
ଡା. ପ୍ରେମ୍ ପୋଖରିୟାଲଙ୍କ ମୁତାବକ ସେ ପ୍ରତ୍ୟେକ ଶ୍ରମିକଙ୍କ ସ୍ୱାସ୍ଥ୍ୟ କଥା ବୁଝୁଥିଲେ । ସେହି ହିସାବରେ ଭିତରକୁ ଔଷଧ ପଠାଯାଉଥିଲା । ଲଗାତର ଭାବେ ଓଆର୍ଏସ୍ ଗୋଳା ପାଣି ପିଇବାକୁ କୁହାଯାଉଥିଲା । ସେମାନଙ୍କୁ ଫିଟ୍ ରହିବା ପାଇଁ ନିୟମିତ ବ୍ୟବଧାନରେ ଏନର୍ଜି ଡ୍ରିଙ୍କ୍ ଦିଆଯାଉଥିଲା । ଶ୍ରମିକମାନେ ନିଜକୁ ଫିଟ୍ ରଖିବା ପାଇଁ ମଧ୍ୟ ନିଜ ଆଡୁ ପାରୁପର୍ଯ୍ୟନ୍ତ ଚେଷ୍ଟା ଚଳାଇଥିଲେ । ସେମାନେ ଯୋଗ, ବ୍ୟାୟାମ କରୁଥିଲେ । ସୁଡ଼ଙ୍ଗ ଭିତରେ ଦିନରାତି ଏପଟସେପଟ ହେଉଥିଲେ । ଶ୍ରମିକମାନେ ଶୋଇବାରେ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତେ । କିନ୍ତୁ ଭାଗ୍ୟବଶତଃ ସୁଡ଼ଙ୍ଗ ଭିତରେ ଜିଓ ଟେକ୍ସଟାଇଲ୍ ସିଟ୍ ରହିଥିଲା । ସେମାନେ ମୋବାଇଲ୍ ଫୋନ୍ରେ ଭିଡିଓ ଗେମ୍ ବି ଖେଳୁଥିଲେ ।