ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୈଜ୍ଞାନିକଙ୍କ ନୂଆ ଆବିଷ୍କାର, ପଶୁପକ୍ଷୀଙ୍କ ରଙ୍ଗ ଧାରଣାକୁ ଦେଖାଇବ କ୍ୟାମେରା

ନୂଆଦିଲ୍ଲୀ ୦୧/୦୨: ପଶୁପକ୍ଷୀମାନେ ଦୁନିଆକୁ କିପରି ଦେଖନ୍ତି, ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ଏକ ଅଭିନବ କ୍ୟାମେରା ପ୍ରସ୍ତୁତ କରିଛନ୍ତି । ବ୍ରିଟେନର ୟୁନିଭର୍ସିଟି ଅଫ୍‌ ସସେକ୍ସ ଓ ଆମେରିକାର ଜର୍ଜ ମାସନ୍‌ ୟୁନିଭର୍ସିଟିର ଅନୁସନ୍ଧାନକାରୀଙ୍କର ଏକ ଟିମ୍‌ ଏକ ନୂଆ କ୍ୟାମେରା ପ୍ରଣାଳୀ ଓ ସଫ୍ଟୱେର ବିକଶିତ କରିଛନ୍ତି, ଯାହା ପଶୁପକ୍ଷୀମାନେ ବୁଝିପାରୁଥିବା ରଙ୍ଗଗୁଡ଼ିକୁ କଏଦ କରିବା ସହିତ ପ୍ରଦର୍ଶନ କରିପାରିବ । ଗତିଶୀଳତା ଓ ପ୍ରାକୃତିକ ଆଲୋକର ସ୍ଥିତିରେ ଏହି କ୍ୟାମେରା କାର୍ଯ୍ୟ କରିବ । 

ଆମ ଭଳି ସବୁ ଜୀବଜନ୍ତୁ ସମାନ ରଙ୍ଗ ଦେଖନ୍ତି ନାହିଁ । ବାସ୍ତବରେ, ରଙ୍ଗକୁ ବୁଝିବାରେ ମଣିଷ ସୀମିତ, କାରଣ ଆମେ ଲାଲ୍‌, ସବୁଜ ଓ ନୀଳ ତିନି ପ୍ରକାର ଆଲୋକ ଚିହ୍ନଟ କରିପାରୁ । ଅନ୍ୟପକ୍ଷେ, ଅନେକ ପଶୁପକ୍ଷୀଙ୍କର ଆମ ସାମର୍ଥ୍ୟଠୁ ଅଧିକ ରଙ୍ଗ ଉପରେ ଧାରଣା ରହିଛି । ଉଦାହରଣ ସ୍ୱରୂପ, ଅତିବାଇଗଣି ଆଲୋକ, ଯାହାକୁ ଆମେ ଦେଖିପାରୁନା । ମହୁମାଛି ଓ ଅନ୍ୟ ପକ୍ଷୀ ଫୁଲରେ ଅତିବାଇଗଣି ପ୍ୟାଟର୍ନଗୁଡ଼ିକୁ ଦେଖିପାରନ୍ତି, ଯାହା ସେମାନଙ୍କୁ ରସ ଗ୍ରହଣ କରିବାରେ ମାର୍ଗଦର୍ଶନ କରେ । କିଛି ପଶୁପକ୍ଷୀ ଯଥା- କୁକୁର ଓ ମୂଷା ଲାଲ୍‌ ରଙ୍ଗ ଦେଖିପାରନ୍ତି ନାହିଁ । ସେମାନେ ଦୁନିଆକୁ ନୀଳ ଓ ହଳଦିଆ ରଙ୍ଗରେ ଦେଖନ୍ତି ।

ପଶୁପକ୍ଷୀ କେମିତି ରଙ୍ଗକୁ ଦେଖନ୍ତି, ତାହା ବୁଝିବା ବିଜ୍ଞାନର ଅନେକ କ୍ଷେତ୍ର ଯଥା- ପରିବେଶ, ବିବର୍ତ୍ତନ ଓ ଆଚରଣ ପାଇଁ ଗୁରୁତ୍ୱପୂର୍ଣ୍ଣ । ଡକ୍ୟୁମେଣ୍ଟାରୀ, କଳା ଓ ଶିକ୍ଷାରେ ପଶୁପକ୍ଷୀଙ୍କ ଦର୍ଶନ ଧାରଣାକୁ ଅଧିକ ସଠିକ୍‌ ରୂପେ ଉପସ୍ଥାପନ କରିବାରେ ଏହା ସାହାଯ୍ୟ କରିପାରିବ । ଅଧ୍ୟୟନକର୍ତ୍ତା ଭେରା ଭସାସ୍‌ ଓ ତାଙ୍କ ସାଥୀଙ୍କ ଦ୍ୱାରା ବିକଶିତ ଏହି ନୂଆ କ୍ୟାମେରା ପ୍ରଣାଳୀ ଏକ କମର୍ସିଆଲ କ୍ୟାମେରା ଉପରେ ପର୍ଯ୍ୟବସିତ, ଯାହା ଏକସଙ୍ଗେ ନୀଳ, ସବୁଜ, ଲାଲ୍‌ ଓ ଅତିବାଇଗଣି, ଏହି ଚାରିଟି ରଙ୍ଗରେ ଭିଡିଓ ରେକର୍ଡ କରିପାରେ । କ୍ୟାମେରାରେ ୩ଡି-ପ୍ରିଣ୍ଟେଡ୍‌ ରୁମ୍‌ ରହିଛି, ଯାହା ଭିନ୍ନ ଭିନ୍ନ ଲେନ୍ସ ଓ ଫିଲ୍‌ଟରଯୁକ୍ତ ଚିତ୍ରଗୁଡ଼ିକୁ ଯୋଡ଼େ । ସଫ୍ଟୱେର ଦ୍ୱାରା ଚାଳିତ ଏକ ଲ୍ୟାପ୍‌ଟପ୍‌ ସହ ମଧ୍ୟ ଏହା ସଂଯୁକ୍ତ ଯାହା ଭିଡିଓ ତଥ୍ୟକୁ ‘ପର୍‌ସେପ୍‌ଚୁଆଲ ୟୁନିଟ୍‌’ରେ ରୂପାନ୍ତର କରେ । ସେଗୁଡ଼ିକ ସଂଖ୍ୟା ଭାବେ ପଶୁପକ୍ଷୀଙ୍କ ରଙ୍ଗ ସମ୍ପର୍କିତ ଧାରଣାକୁ ଉପସ୍ଥାପନ କରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.