ମୁମ୍ବାଇ ୧୭/୦୯: ଫିଲ୍ମମେକର୍ ଅନୁରାଗ କଶ୍ୟପ ଏକ ସାକ୍ଷାତକାରରେ କଙ୍ଗନା ରଣାୱତଙ୍କ ସହ କାମ କରିବା ବିଷୟରେ କହିଛନ୍ତି । ସେ କଙ୍ଗନାଙ୍କୁ ଚମତ୍କାର ଅଭିନେତ୍ରୀ ବୋଲି କହିଛନ୍ତି । କାମ ମାମଲାରେ କଙ୍ଗନା ବହୁତ ସଚ୍ଚୋଟ । ତେବେ ତାଙ୍କ ସହ ଆଉ କିଛି ସମସ୍ୟା ରହିଛି । କିନ୍ତୁ ତାଙ୍କ ପ୍ରତିଭା ବିଷୟରେ ଯଦି କୁହାଯାଏ, ତାହା ତାଙ୍କଠୁ କେହି ଛଡ଼ାଇ ନେଇପାରିବେ ନାହିଁ । ଜଣେ କଳାକାର ଭାବେ ତାଙ୍କ ପାଖରେ ଯାହା ଅଛି, ବାସ୍ତବରେ ତାହା ଚମତ୍କାର । ସେ ନିଜର ଜଣେ ସଚ୍ଚୋଟ ସମାଲୋଚକ ମଧ୍ୟ । କିନ୍ତୁ ତାଙ୍କ ସହ ଡିଲ୍ କରିବା ମୁସ୍କିଲ ବୋଲି ଅନୁରାଗ କହିଛନ୍ତି ।
ଫିଲ୍ମ ‘କୁଇନ୍’ରେ ସେ କଙ୍ଗନାଙ୍କ ସହ କାମ କରିଥିଲେ । କଙ୍ଗନାଙ୍କୁ ସେ ଫିଲ୍ମ ‘ସାଣ୍ଡ୍ କି ଆଁଖ୍’ ମଧ୍ୟ ଅଫର୍ କରିଥିଲେ । କିନ୍ତୁ କଙ୍ଗନା ପ୍ରତ୍ୟାଖ୍ୟାନ କରିଥିଲେ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜୟିନୀ କଙ୍ଗନା ବଲିଉଡ୍ରେ ମାଫିଆ ରାଜ୍ ବିଷୟରେ ପ୍ରଥମେ ଚର୍ଚ୍ଚା ଆରମ୍ଭ କରିଥିଲେ । ବଲିଉଡ୍ରେ ଚାଲିଥିବା ପ୍ରିୟାପ୍ରୀତି ତୋଷଣକୁ ଖୋଲାଖୋଲି ବିରୋଧ କରିବା ସହିତ ଇଣ୍ଡଷ୍ଟ୍ରି ଭିତରର ଅନେକ ଅକୁହା କଥାକୁ ସେ ଲୋକଙ୍କ ସାମ୍ନାକୁ ଆଣିଛନ୍ତି । ସେଥିପାଇଁ କିଛି ତାଙ୍କ ବେପରୁଆ ଅନ୍ଦାଜ୍କୁ ପସନ୍ଦ କରୁଥିବାବେଳେ କିଛି ସମାଲୋଚନା ମଧ୍ୟ କରୁଛନ୍ତି । କଙ୍ଗନା କିନ୍ତୁ ଏହାକୁ ଆଦୌ ଖାତିର କରନ୍ତି ନାହିଁ । ତାଙ୍କ ଅପ୍କମିଙ୍ଗ ଫିଲ୍ମରେ ଅଛି ‘ଏମର୍ଜେନ୍ସି’ । ଏଥିରେ ସେ ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକା ନିର୍ବାହ କରିଛନ୍ତି ।