ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରପଞ୍ଚଙ୍କ ଦାବି ମାନିନେଲେ ସରକାର, ଏଣିକି ପଞ୍ଚାୟତ ଫାଇଲ୍‌ରେ ରହିବନି ବିଡିଓଙ୍କ କାଉଣ୍ଟର ଦସ୍ତଖତ

ଭୁବନେଶ୍ୱର,୦୪/୦୨: ପଞ୍ଚାୟତର ପ୍ରତିଟି ଫାଇଲ୍‌ରେ ବିଡିଓଙ୍କ କାଉଣ୍ଟର ସାଇନ୍‌ ରହିବ । ଏଭଳି ନିୟମକୁ ସରପଞ୍ଚମାନେ ବିରୋଧ କରୁଥିଲେ । ଏହାକୁ ହଟାଇବାକୁ ଦାବି ହେଉଥିଲା । ଆସନ୍ତା ୫ ତାରିଖରେ ଏଥିପାଇଁ ହରତାଳ କରିବାକୁ ଘୋଷଣା କରିଥିଲା ରାଜ୍ୟ ସରପଞ୍ଚ ମହାସଂଘ । ତେବେ ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ସରକାର ସରପଞ୍ଚଙ୍କ ଏହି ବଡ଼ ଦାବିକୁ ମାନି ନେଇଛନ୍ତି । ତୁରନ୍ତ ଏହି କାଉଣ୍ଟର ସାଇନ୍‌ ବ୍ୟବସ୍ଥା ହଟାଇବାକୁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପଞ୍ଚାୟତର ସବୁ କ୍ଷମତା ଫେରାଇବାକୁ ଦାବିରେ ସରପଞ୍ଚମାନେ ଗତ ସେପ୍ଟେମ୍ବର ମାସରେ ୨୨ଦିନ ଆନ୍ଦୋଳନ କରିଥିଲେ । ୧୫ ଦଫା ଦାବିରେ ଗାନ୍ଧୀମାର୍ଗ ହୁଲସ୍ତୁଲ କରିଥିଲେ । ଗତ ଦୁଇ ବର୍ଷ ହେଲା ପଞ୍ଚାୟତ ହାତରୁ ସମସ୍ତ କ୍ଷମତା ହଟାଇ ନିଆଯାଇଛି । ପୂର୍ବରୁ ପଞ୍ଚାୟତର ଟଙ୍କା ଉଠାଣ ପାଇଁ ବିଡିଓଙ୍କ କାଉଣ୍ଟର ସାଇନ୍‌ର କୌଣସି ଆବଶ୍ୟକତା ନ ଥିଲା । କିନ୍ତୁ ସିଏଫ୍‌ସି ଓ ଏସ୍‌ଏଫ୍‌ସି ଅଧୀନରେ ଆସୁଥିବା ପ୍ରକଳ୍ପ ପାଇଁ ଟଙ୍କା ଉଠାଣ ପାଇଁ ବିିଡିଓଙ୍କ କାଉଣ୍ଟର ସାଇନ୍‌ ରହିବ ବୋଲି ସରକାର ୨୦୨୦ରେ ନୂଆ ନିର୍ଦ୍ଦେଶନାମା ଜାରି କରଥିଲେ । ଏହି କାଉଣ୍ଟର ସାଇନ୍‌ ବ୍ୟବସ୍ଥା ଲାଗୁ କରି ପଞ୍ଚାୟତର କ୍ଷମତା ସଙ୍କୁଚିତ କରାଯାଇଛି ବୋଲି ପଞ୍ଚାୟତ ମହାସଂଘ ଅଭିଯୋଗ କରୁଥିଲା । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଏହି କାଉଣ୍ଟର ଦସ୍ତଖତ ନିୟମାବଳୀକୁ ତୁରନ୍ତ ପ୍ରତ୍ୟାହାର କରାଗଲା ବୋଲି ଅବଗତ କରିଛନ୍ତି । 

ସରପଞ୍ଚମାନେ ମାସିକ ଦରମା ବଢ଼ାଇବାକୁ ମଧ୍ୟ ଦାବି କରୁଥିଲେ । ୱାର୍ଡମେମ୍ବରମାନେ ସରପଞ୍ଚଙ୍କ ବିରୋଧରେ ଆଣୁଥିବା ଅନାସ୍ଥା ପ୍ରସ୍ତାବ ବ୍ୟବସ୍ଥାକୁ ଉଚ୍ଛେଦ କରିବା, ସରପଞ୍ଚଙ୍କ ସ୍ୱାସ୍ଥ୍ୟବୀମା ପାଇଁ ସ୍ୱାସ୍ଥ୍ୟକାର୍ଡ ଦେବା ସହ ମୃତ୍ୟୁ ହେଲେ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଦେବା, ୨୦୧୧ ଜନଗଣନା ଅନୁସାରେ ସିଏଫ୍‌ସି/ଏସଏଫ୍‌ସି ଅନୁଦାନ ନ ଦେଇ ବର୍ତ୍ତମାନର ଜନସଂଖ୍ୟାକୁ ବିଚାର କରି ପାଣ୍ଠି ଦେବା, ପଞ୍ଚାୟତକୁ ପୂର୍ଣ୍ଣ କ୍ଷମତା ଦେବା, ପାନୀୟ ଜଳ ପ୍ରକଳ୍ପର ବିଦ୍ୟୁତ୍‌ ବିଲ୍‌ ଦେବାକୁ ସ୍ଥାୟୀ ବ୍ୟବସ୍ଥା କରିବା, ମନରେଗାରେ ରାସ୍ତା, ପୋଲ, ସ୍କୁଲ ପାଚେରୀ, ଡ୍ରେନ୍‌, କେନାଲ ଲାଇନିଂ, ଶିଶୁ ଉଦ୍ୟାନ, ଗାଁ ପୋଖରୀ ସୌନ୍ଦର୍ଯ୍ୟକରଣ ଓ ଚାଷୀଙ୍କ ଜମିର ବିକାଶ ସହ କୂଅ ଖୋଳିବା ଭଳି କାମକୁ ଅଗ୍ରାଧିକାର ଦେବା, ଆମ ଓଡ଼ିଶା ନବୀନ ଓଡ଼ିଶାରେ ଆସୁଥିବା ଅର୍ଥ ଗ୍ରାମସଭାରେ ପାରିତ ପରେ ପଞ୍ଚାୟତକୁ ତଦାରଖ ଦାୟିତ୍ୱ ଦେବା, ପିଡିଏସ୍‌ରେ ପୂର୍ବଭଳି ସରପଞ୍ଚ ଓ ପିଇଓଙ୍କ ଯୁଗ୍ମ ପାସବୁକ୍‌ରେ ଅର୍ଥ ନେଣଦେଣ କରିବା, ପଞ୍ଚାୟତରେ ଖାଲିଥିବା କନିଷ୍ଠ ଯନ୍ତ୍ରୀ ଓ ପିଇଓ ପଦବୀ ପୂରଣ ସହ ପିଇଓ ଓ ଜିଆରଏସ୍‌ଙ୍କ ଉପସ୍ଥାନ ପଞ୍ଚାୟତରେ କରିବା ସହ ପିଅନ ଓ ରାତ୍ରି ଜଗୁଆଳଙ୍କ ପାଇଁ ଦରମା ବ୍ୟବସ୍ଥା କରିବା ଭଳି ୧୫ଟି ଦାବି କରୁଥିଲେ ସରପଞ୍ଚ । ସରକାର ଦାବି ପୂରଣ ନ କରି ମିଛ ପ୍ରତିଶ୍ରୁତି ଦେଇଥିବାରୁ ଆସନ୍ତା ୫ ତାରିଖରୁ ପୁଣି ଥରେ ହରତାଳ କରିବେ ବୋଲି ଚେତାବନୀ ଦେଇଥିଲେ । ଆଗକୁ ନିର୍ବାଚନ ଥିବାରୁ ଅକଳରେ ପଡ଼ିବା ଭୟରେ ସରକାର ମୁଖ୍ୟ ଦାବିକୁ ମାନି ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.