ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୨୮ରେ ୨୪ ନିଷ୍ପତ୍ତି, ଲାଲୁଙ୍କ ଫୋନ୍ ଉଠାଉ ନାହାନ୍ତି ନୀତିଶ, ରବିବାର ଜେଡିୟୁ ବିଧାୟକ ଦଳ ବୈଠକ

ପାଟଣା, ୨୬/୦୧: ବିହାର ରାଜନୀତିରେ ଭୂମିକମ୍ପ । କଣ ହେବ ଜେଡିୟୁ-ଆରଜେଡି ସରକାରର ଭାଗ୍ୟ ? କାହା ସହ ସରକାରରେ ରହିବେ ନୀତିଶ କୁମାର ? ଏନଡିଏକୁ ଫେରିବେ ନା ଇଣ୍ଡିଆ ମେଣ୍ଟରେ ରହିବେ ? ନୀତିଶଙ୍କ ନୂଆ ବର୍ଷ ଗୋଟି ଚାଳନାକୁ ନେଇ ବିହାର ରାଜନୀତିରେ ଆସିଥିବା ଝଡ଼କୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଛି ।

ଆରଜେଡି-ଜେଡିୟୁ ମେଣ୍ଟ ଭାଙ୍ଗିବାକୁ ବସିଥିବା ବେଳେ ଚୁପ୍ ରହୁଛନ୍ତି ନୀତିଶ କୁମାର । ଚର୍ଚ୍ଚା ହେଉଛି ନୀତିଶ ପୁଣି ଏନଡିଏ ସହ ସରକାର ଗଢ଼ି ପାରନ୍ତି । ନାନା ଚର୍ଚ୍ଚା ଭିତରେ ନୀତିଶ କୁଆଡ଼େ ଉଠାଉ ନାହାନ୍ତି ଲାଲୁ ଯାଦବଙ୍କ ଫୋନ୍ । ନୀତିଶଙ୍କ ମୌନବ୍ରତକୁ ନେଇ ଦ୍ୱନ୍ଦ୍ୱ ବଢ଼ୁଥିବା ବେଳେ ଆରଜେଡି ନେତା ମନୋଜ ଝା କହିଛନ୍ତି କନଫ୍ୟୁଜନ୍ ଦୂର କରନ୍ତୁ ସିଏମ୍ ।

ବିହାରରେ ନୂଆ ସରକାର ନେଇ ରାଜନୈତିକ ସମୀକ୍ଷକ ଆଶାବାଦୀ ଥିବା ବେଳେ ଜାନୁଆରୀ ୨୮ରେ ବସିବ ଜେଡିୟୁର ବିଧାୟକ ଦଳ ବୈଠକ । କୁହାଯାଉଛି ରବିବାର, ନୀତିଶ ଡାକିଥିବା ବୈଠକରେ ନେଇ ପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି । 

ଏହା ପୂର୍ବରୁ ଶୁକ୍ରବାର ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ନୀତିଶଙ୍କୁ ଦେଖିବାକୁ ମିଳିଥିଲା । ହେଲେ କାର୍ଯ୍ୟକ୍ରମକୁ ଯାଇ ନଥିଲେ ତେଜସ୍ୱୀ ଯାଦବଙ୍କ ସହ ମେଣ୍ଟର ଅନ୍ୟ ନେତା । ଯାହାକୁ ନେଇ ନୀତିଶ କୁମାର କହିଥିଲେ, ଯିଏ ରାଜଭବନ ଆସି ନାହାନ୍ତି ସେମାନଙ୍କୁ ପଚାରନ୍ତୁ ।

କୁହାଯାଉଛି, ନୀତିଶ ପୁଣି ବିଜେପି ସହ ମିଶି ସରକାର ଗଢ଼ି ପାରନ୍ତି । ସୂତ୍ର ଅନୁସାରେ, କେବଳ ଔପଚାରିକ ଘୋଷଣା ବାକି ରହିଛି । ନୀତିଶ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ବେଳେ ବିଜେପିରୁ ସୁଶୀଲ ମୋଦି ହୋଇ ପାରନ୍ତି ଉପମୁଖ୍ୟମନ୍ତ୍ରୀ । ପୂର୍ବରୁ ଜେଡିୟୁ-ବିଜେପି ସରକାରରେ ବି ଉପମୁଖ୍ୟମନ୍ତ୍ରୀ ରହିଥିଲେ ସୁଶୀଲ ମୋଦି । 

ସେପଟେ ଶନିବାର ପୂର୍ଣ୍ଣିଆରେ କଂଗ୍ରେସ ଡାକିଛି ବିଧାୟକ ଦଳ ବୈଠକ । ଜାନୁଆରୀ ୨୯ରେ କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ପୂର୍ଣ୍ଣିଆ ପହଞ୍ଚିବ । ଏଥିରେ ସାମିଲ୍ ଲାଗି କଂଗ୍ରେସ ନୀତିଶଙ୍କୁ ନିମନ୍ତ୍ରଣ କରିଥିବା ବେଳେ ସେ ମନା କରି ଦେଇଥିଲେ । ନୀତିଶଙ୍କ ଏଭଳି ରଣନୀତି ଜେଡିୟୁ ଇଣ୍ଡିଆ ମେଣ୍ଟରୁ ଦୂରେଇବାକୁ ଚାହୁଁଥିବାର ସଂକେତ ଦେଉଛି । 

ରାଜନୈତିକ ଅସ୍ଥିରତା ଭିତରେ ଆରଜେଡି, ହିନ୍ଦୁସ୍ଥାନୀ ଆୱାମ୍ ମୋର୍ଚ୍ଚାର ସଭାପତି ଜିତେନ ରାମ ମାଞ୍ଝୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ଅଫର୍ ଦେଇଛି । ତେବେ ଆରଜେଡିର ଅଫର୍ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଜିତେନ୍ ରାମ ମାଞ୍ଝୀ । ତେବେ ହିନ୍ଦୁସ୍ଥାନୀ ଆୱାମ୍ ମୋର୍ଚ୍ଚାର ନେତାଙ୍କ କହିବା କଥା ଆରଜେଡି ପ୍ରଧାନମନ୍ତ୍ରୀ ପଦ ଅଫର୍ କଲେ ବି ଆମେ ସାଙ୍ଗରେ ଯିବୁନି । ବିହାରରେ ରାଜନୈତିକ ଅସ୍ଥିରତା ଭିତରେ ଏବେ ସମସ୍ତଙ୍କ ନଜର ନୀତିଶ କୁମାରଙ୍କ ନିଷ୍ପତ୍ତି ଉପରେ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.