ନୂଆଦିଲ୍ଲୀ: ରେଲଓ୍ବେ ଦେଶର ଲାଇଫ ଲାଇନ ବୋଲି କୁହାଯାଏ । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରନ୍ତି । ଯାତ୍ରୀଙ୍କ ସଂଖ୍ୟାକୁ ଦେଖି ରେଳବାଇ ପକ୍ଷରୁ ମଧ୍ୟ ବିଶେଷ ସୁବିଧା କରାଯାଉଛି । ଅତ୍ୟଧିକ ଯାତ୍ରୀଙ୍କ ଲାଗି ବିଶେଷ ଟ୍ରେନ୍ ବ୍ୟବସ୍ଥା କରୁଛି ରେଲଓ୍ବେ । ତେବେ ବିଭିନ୍ନ ସମୟରେ କୌଣସି ପରିବାର ନିଜର ସଂପର୍କୀୟଙ୍କ ସହ ଟ୍ରେନ୍ରେ ଯାତ୍ରା କରନ୍ତି । ବିଶେଷ କରି ବିବାହ ଲାଗି ଦୂରସ୍ଥାନକୁ ଯିବା ଲାଗି ଟ୍ରେନ୍ର ସାହାରା ନିଅନ୍ତି ଲୋକେ । ଏଭଳି ପରିସ୍ଥିତିରେ ଟ୍ରେନ୍ର ଗୋଟିଏ କିମ୍ବା ଅଧିକ କୋଚ୍ ବୁକ୍ କରିବାର ମଧ୍ୟ ନିୟମ ରହିଛି । ଏଥିଲାଗି ରେଲଓ୍ବେ ପକ୍ଷରୁ ବିଶେଷ ନିୟମ ରହିଛି ।
ଯଦି ଆପଣ ଟ୍ରେନ୍ ପୂରା କୋଚ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ସାଧାରଣ ଭଡ଼ାଠୁ ୩୦ରୁ ୪୦ ପ୍ରତିଶତ ଅଧିକ ଭଡ଼ା ଦେବାକୁ ପଡ଼ିବ । ଏହା ସହ ସିକ୍ୟୁରିଟି ଶୁଳ୍କ ମଧ୍ୟ ଦେବାକୁ ପଡ଼ିବ । ଯାତ୍ରା ଶେଷ ହେବା ପରେ ରେଳବାଇ ଏହି ଶୁଳ୍କ ଫେରାଇ ଦେବ । ଗୋଟିଏ କୋଚ୍ ବୁକିଂ କରିବାକୁ ହେଲେ ଆଇଆରସିଟିସିର ଅଫିସିଆଲ ଓ୍ବେବସାଇଟକୁ ଯିବାକୁ ହେବ । ଏହା ପରେ ଏଫଟିଆର ସର୍ଭିସ୍ରେ କ୍ଲିକ୍ କରିବାକୁ ପଡ଼ିବ ।
ଏହା ପରେ ୟୁଜର ନିଜର ଆଇଆରସିଟିସି ଆକାଉଣ୍ଟରେ ଲଗଇନ୍ କରିବେ । ଏହା ପରେ ସମସ୍ତ ସୂଚନା ପୂରଣ କରିବା ପରେ କୋଚ୍ ବୁକିଂ ଲାଗି ଅର୍ଥ ପୈଠ କରିବାକୁ ହେବ । ଗୋଟିଏ କୋଚ୍ ବୁକ୍ କରିବାକୁ ପ୍ରାୟ ୫୦ ହଜାର ଟଙ୍କା ଅଗ୍ରୀମ ଦେବାକୁ ହେବ । ଯଦି ଆପଣ ପୂରା ଟ୍ରେନ୍ ବୁକ୍ କରିବାକୁ ଚାହୁଁଛନ୍ତି ୧୮ଟି ବଗି ହିସାବରେ ପ୍ରାୟ ୯ ଲକ୍ଷ ଟଙ୍କା ଭରିବାକୁ ପଡ଼ିବ । ଏହା ବ୍ୟତୀତ ଟ୍ରେନ୍ର ହଲ୍ଟିଂ ଚାର୍ଜ ବାବଦକୁ ଅତିରିକ୍ତ ୧୦ ହଜାର ଟଙ୍କା ଲାଗିବ । ୧୮ଟି କୋଚ୍ ବୁକିଂ ସହ ଆପଣଙ୍କୁ ୩ଟି ଏସଏଲଆର କୋଚ୍ ମଧ୍ୟ ବୁକ୍ କରିବାକୁ ହେବ ।
ସେପଟେ ଯଦି କୋଚ୍ ବୁକ୍ କରିବାକୁ ଚାହୁଁଛନ୍ତି ତେବେ ୨ ମାସ ଆଗରୁ ଆବେଦନ କରିବେ । ତେବେ କୌଣସି କାରଣରୁ ଯଦି ବୁକିଂ କ୍ୟାନସଲ କରିବାକୁ ପଡ଼େ ତେବେ ଏଥିପାଇଁ ଶୁଳ୍କ ଦେବାକୁ ପଡ଼ିବ ଏବଂ ଟ୍ରେନ୍ ଗଡ଼ିବାର ଦୁଇ ଦିନ ପୂର୍ବରୁ ବୁକିଂ ବାତିଲ କରିବାର ନିୟମ ରହିଛି।