ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚୌକି ପାଇଁ ଛକାପଞ୍ଝା, ଫିଟିବ କି ନୂଆ ନେତାଙ୍କ ଭାଗ୍ୟ ? ଆଜି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ରେଡ୍ଡୀଙ୍କ ଶପଥ

ନୂଆଦିଲ୍ଲୀ,୦୭/୧୨: ବିଜେପି ସଦ୍ୟ ଜିତିଥିବା ୩ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ? ତାହା ଏବେ ବି ସସ୍‌ପେନ୍ସ । ନିର୍ବାଚନ ଫଳ ବାହାରିବାର ୪ ଦିନ ବିତିଲାଣି । ତଥାପି ସ୍ଥିତି ଅସ୍ପଷ୍ଟ । ବିଜେପି ହାଇକମାଣ୍ଡଙ୍କ ନିର୍ଣ୍ଣୟ ଉପରେଦେଶବାସୀଙ୍କ ନଜର। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ୩ ହିନ୍ଦୀଭାଷୀ ରାଜ୍ୟରେ ବିଜେପି କାହାକୁ ମୁକୁଟ ପିନ୍ଧାଇବ,ତାହାକୁ ସମସ୍ତଙ୍କ ଅପେକ୍ଷା । ତେବେ ବିଜେପି ଏଥର ନୂଆ ମୁହଁ ବାଛିବ ବୋଲି ଚର୍ଚ୍ଚା ଜୋର ଧରିଛି । ପାରିପାଶ୍ୱିର୍କ ସ୍ଥିତିରୁ ବି ଏହା ଧୀରେ ଧୀରେ ଅନୁମାନ ହେଉଛି ।

ସଦ୍ୟ ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପି ବିପୁଳ ବହୁମତ ହାସଲ କରିଛି। ତେଲଙ୍ଗାନାରେ ଜିତିଛି କଂଗ୍ରେସ ଓ ମିଜୋରାମରେ ଜେଡ୍‌ପିଏମ୍‌। ତେଲଙ୍ଗାନା ଓ ମିଜୋରାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ସ୍ପଷ୍ଟ ହୋଇସାରିଛି। କିନ୍ତୁ ବିଜେପି ଦଖଲକୁ ଯାଇଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଆସନ ପାଇଁ ଏବେ ବି ଆଲୋଚନା ଚାଲିଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ପ୍ରାୟ ୫ ଘଣ୍ଟା ଧରି ଆଲୋଚନା ହୋଇଥିବା ଏକ ସୂତ୍ରରୁ ଜଣାପଡ଼ିଛି । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଓ ବିଜେପି ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ । କିନ୍ତୁ ବୈଠକର ନିର୍ଯାସ ସାମ୍ନାକୁ ଆସିନାହିଁ । ଗୁରୁବାର ବିଜେପିର ଗୁରୁତ୍ୱପୂର୍ଣ୍ଣ ସଂସଦୀୟ ବୈଠକ ବସିବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଦଳର ସାଂସଦମାନେ ଯୋଗଦେବେ ।

ସୂତ୍ର ଦର୍ଶାଇଛି ଯେ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ନୂଆ ନେତାଙ୍କୁ ଦାୟିତ୍ୱ ଦେବା ଲାଗି ବିଜେପି ହାଇକମାଣ୍ଡ ବିଚାର କରୁଛନ୍ତି । ଏଭଳି ହେଲେ ଚୌକି ପାଇଁ ମୁଖ୍ୟ ଦାବିଦାର ଶିବରାଜ ସିଂହ ଚୌହାନ, ରମଣ ସିଂହ ଏବଂ ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ନିରାଶ ହେବାକୁ ପଡ଼ିପାରେ । ଏଥର ବିଧାନସଭା ନିର୍ବାଚନରେ ବିଜେପି କୌଣସି ନିର୍ଦ୍ଦିଷ୍ଟ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ନ ଥିଲା । କିନ୍ତୁ ବିଜୟ ପରେ ଏହି ୩ ବରିଷ୍ଠ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା । ଦଳୀୟ କର୍ମକର୍ତ୍ତାମାନେ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏଭଳି ସ୍ଥିତିରେ ଆଜି ବସୁନ୍ଧରା ରାଜେ ଦିଲ୍ଲୀ ଗସ୍ତ କରିଛନ୍ତି ।

ଏଭଳି ସ୍ଥିତିରେ ବିଧାନସଭା ନିର୍ବାଚନ ଜିତିଥିବା ବିଜେପିର ୧୨ ସାଂସଦଙ୍କ ମଧ୍ୟରୁ ୧୧ ଜଣ ବୁଧବାର ଇସ୍ତଫା ଦେଇଛନ୍ତି । ଏମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶରୁ ନରେନ୍ଦ୍ର ସିଂହ ତୋମର, ପ୍ରହ୍ଲାଦ ପଟେଲ, ରାକେଶ ସିଂହ, ଉଦୟ ପ୍ରତାପ ଓ ରୀତି ପାଠକ ଅଛନ୍ତି । ସେହିଭଳି ଛତିଶଗଡ଼ରୁ ଅରୁଣ ସାଓ, ରେଣୁକା ସିଂହ ଏବଂ ଗୋମତୀ ସାୟ ରହିଥିବା ବେଳେ ରାଜସ୍ଥାନରୁ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଦୀୟା କୁମାରୀ ଏବଂ କିରୋଡ଼ି ଲାଲ ମୀନା ଅଛନ୍ତି । ଏମାନଙ୍କ ମଧ୍ୟରୁ କାହାକୁ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ କରାଯାଇପାରେ । କିନ୍ତୁ ରାଜସ୍ଥାନରୁ ଜିତିଥିବା ବିଜେପି ସାଂସଦ ମହନ୍ତ ବାଲକନାଥ ଯୋଗୀ ଏବେ ବି ସାଂସଦ ପଦରୁ ଇସ୍ତଫା ଦେଇନାହାନ୍ତି । ଯଦି ସେ ଇସ୍ତଫା ନ ଦିଅନ୍ତି, ତେବେ ତାଙ୍କୁ ବିଧାୟକ ପଦ ଛାଡ଼ିବାକୁ ପଡ଼ିବ ଏବଂ ଉକ୍ତ ଆସନରେ ଉପନିର୍ବାଚନ କରାଯିବ ।

ବିଜେପିରେ ୩ଟି ପର୍ଯ୍ୟାୟ ଦେଇ ମୁଖ୍ୟମନ୍ତ୍ରୀ ଚୟନ କରାଯିବା ପରମ୍ପରା ରହିଛି । ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ରୀୟ ନେତୃତ୍ୱ ଜଣେ ଉପଯୁକ୍ତ ପ୍ରାର୍ଥୀ ମନୋନୀତ କରିଥାନ୍ତି । ଏହାପରେ ଦଳୀୟ ବିଧାୟକମାନେ ସେମାନଙ୍କ ନେତା ବାଛିଥାନ୍ତି । ଶେଷରେ ବିଜେପିର ଶୀର୍ଷ ନିଷ୍ପତ୍ତି ଗ୍ରହଣକାରୀ କମିଟି ସଂସଦୀୟ ବୋର୍ଡ ଏହାକୁ ଅନୁମୋଦନ ଦେଇଥାଏ ।

ମଧ୍ୟପ୍ରଦେଶରେ ଯେଉଁ ୫ ସାଂସଦ ଇସ୍ତଫା ଦେଇଛନ୍ତି, ସେମାନଙ୍କ ମଧ୍ୟରୁ ତୋମାର୍‌ ଏବଂ ପ୍ରହ୍ଲାଦ ପଟେଲ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଆଗୁଆ ଅଛନ୍ତି । ବାକି ବିଧାୟକଙ୍କୁ ରାଜ୍ୟ କ୍ୟାବିନେଟ୍‌ରେ ମନ୍ତ୍ରୀ ପଦ ମିଳିପାରେ । ରାଜସ୍ଥାନରେ ଯେଉଁ ୩ ସାଂସଦ ଇସ୍ତଫା ଦେଇଛନ୍ତି, ସେମାନେ ବିଧାନସଭା ସଦସ୍ୟତା ଗ୍ରହଣ କରିବେ । ଦଳ ସେମାନଙ୍କୁ ମନ୍ତ୍ରୀ ପଦ ଦେଇପାରେ । କିନ୍ତୁ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ନେଇ ସମ୍ଭାବନା ରହିଛି ।

ଛତିଶଗଡ଼ରେ ବିଜେପି ୪ ସାଂସଦଙ୍କୁ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା । ଏମାନଙ୍କ ମଧ୍ୟରୁ ଗୋମତୀ ସାୟ, ରେଣୁକା ସିଂହ ଏବଂ ଅରୁଣ ସାଓ ବିଜୟୀ ହୋଇଛନ୍ତି । ବିଜୟ ବାଘେଲ ହାରିଛନ୍ତି । ଗୋମତୀ, ରେଣୁକା ଓ ଅରୁଣ ଇତିମଧ୍ୟରେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେମାନଙ୍କୁ ରାଜ୍ୟ ସରକାରରେ ମନ୍ତ୍ରୀ ପଦ ମିଳିପାରେ । ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ପ୍ରମୁଖ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ରେଣୁକା ସିଂହ ଓ ପୂର୍ବତନ ମନ୍ତ୍ରୀ ବ୍ରଜମୋହନ ଅଗ୍ରୱାଲ୍‌ ରହିଛନ୍ତି । ଅଗ୍ରୱାଲ ଲଗାତର ବିଜୟ ଧ୍ୱଜା ଉଡ଼ାଇ ଆସୁଛନ୍ତି । ରାୟପୁର ଦକ୍ଷିଣ ଆସନରୁ ସେ ଅଷ୍ଟମ ଥର ପାଇଁ ନିର୍ବାଚନ ଜିତିଛନ୍ତି । ରମଣ ସିଂହ ସରକାରରେ ସେ ମନ୍ତ୍ରୀ ରହିଥିଲେ ।

ଅନ୍ୟପକ୍ଷରେ ସାଂସଦ ପଦରୁ ଇସ୍ତଫା ଦେଇଥିବା ରେଣୁକା ସିଂହ କେନ୍ଦ୍ରମନ୍ତ୍ରୀ ରହିଥିଲେ । ସେ ଆଦିବାସୀ ସମୁଦାୟରୁ ଆସୁଛନ୍ତି । ସେ କଂଗ୍ରେସର ଟାଣୁଆ ନେତା ଗୁଲାବ କମରୋଙ୍କୁ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଛତିଶଗଡ଼ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର । କୁହାଯାଉଛି ଯେ ଯଦି ରମଣ ସିଂହଙ୍କୁ ସୁଯୋଗ ମିଳି ନ ଥାନ୍ତା ତେବେ ସାଓଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥାନ୍ତା । ସାଓ ବିଳାସପୁରରୁ ସାଂସଦ ଥିଲେ । ସେ ଓବିସି ସମୁଦାୟରୁ ଆସିଛନ୍ତି ।

ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ୭ରୁ ୮ ଜଣ ଥିବା କୁହାଯାଉଛି । ପ୍ରଥମ ସ୍ଥାନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଅଛନ୍ତି । ତାଙ୍କ ପଛକୁ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସାଂସଦ ବାଲକନାଥ ଯୋଗୀ, କିରୋଡ଼ୀ ମୀନା, ଦୀୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାମ ରହିଛି । ଏମାନଙ୍କ ବ୍ୟତୀତ ବିଜେପି ପ୍ରଦେଶ ଅଧ୍ୟକ୍ଷ ଚନ୍ଦ୍ର ପ୍ରକାଶ ଯୋଶୀ ଏବଂ ଛତିଶଗଡ଼ର ନିର୍ବାଚନ ପ୍ରଭାରୀ ଓମ୍‌ ମାଥୁରଙ୍କ ନାମ ବି ଏଥିରେ ସାମିଲ ଅଛି ।

ପେପଟେ ତେଲଙ୍ଗାନା କଂଗ୍ରେସ ସଭାପତି ରେୱନ୍ତ ରେଡ୍ଡୀଙ୍କୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚୟନ କରିସାରିଛି କଂଗ୍ରେସ । ଗୁରୁବାର ସେ ହାଇଦ୍ରାବାଦର ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଅପରାହ୍ନ ୧ଟାରେ ଶପଥ ଗ୍ରହଣ କରିବେ । ତାହା ପୂର୍ବରୁ ଆଜି ସେ ନୂଆଦିଲ୍ଲୀରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, କଂଗ୍ରେସର ଲୋକସଭା ଚିଫ୍‌ ହ୍ୱିପ୍‌ କେ ସୁରେଶ ପ୍ରମୁଖଙ୍କୁ ଭେଟିଛନ୍ତି । ୫୪ ବର୍ଷୀୟ ରେୱନ୍ତ ରେଡ୍ଡୀ ଲୋକସଭାରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ତାଙ୍କୁ ତେଲଙ୍ଗାନା କଂଗ୍ରେସ ବିଧାୟକ ଦଳ ନେତା ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିବା କେ ସି ବେଣୁଗୋପାଳ କହିଛନ୍ତି । ସେହିଭଳି ମିଜୋରାମର ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡ୍‌ପିଏମ୍‌)ର ବିଧାୟକ ଦଳ ନେତା ଲାଲଦୁହୋମା ମୁଖ୍ୟମନ୍ତ୍ରୀ ଭାବେ ଶୁକ୍ରବାର ଶପଥ ନେବାକୁ ଯାଉଛନ୍ତି । ଏହାଛଡ଼ା ତାଙ୍କ ମନ୍ତ୍ରୀ ପରିଷଦର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ ଗ୍ରହଣ କରିବେ ବୋଲି ରାଜଭବନ ସୂତ୍ରରୁ ଜଣାପଡ଼ିଛି । ବୁଧବାର ଲାଲଦୁହୋମା ରାଜ୍ୟପାଳ ହରି ବାବୁ ଖମ୍ବମପତିଙ୍କୁ ରାଜଭବନରେ ଭେଟିଥିବା ଜଣାପଡ଼ିଛି । 

ଉଲ୍ଲେଖଯୋଗ୍ୟ, ୫ ରାଜ୍ୟରେ ସଦ୍ୟ ସମାପ୍ତ ନିର୍ବାଚନରେ ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଜିତିଥିବା ବେଳେ କଂଗ୍ରେସ ହାତକୁ ତେଲଙ୍ଗାନା ଯାଇଥିଲା । ଜେଡ୍‌ପିଏମ୍‌ ମିଜୋରାମରେ ଜିତିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.