ଭୁବନେଶ୍ୱର,୧୦/୧୨: ସାରା ବିଶ୍ୱ ଜଳବାୟୁ ପରିବର୍ତ୍ତନ ସମସ୍ୟାର ସମ୍ମୁଖୀନ ହେଉଛି । ଏପରି ସମୟରେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଶିଳ୍ପାନୁଷ୍ଠାନଙ୍କ ଦାୟିତ୍ୱ ବୃଦ୍ଧି ପାଇଛି । ଇସ୍ପାତ ଉତ୍ପାଦନ ପାଇଁ ଉଦ୍ଯାନ (ହାଇଡ୍ରୋଜେନ୍)ର ବ୍ୟବହାର ଦ୍ୱାରା ‘କାର୍ବନ ଫୁଟପ୍ରିଣ୍ଟ’କୁ ଉଲ୍ଲେଖନୀୟ ଭାବେ ହ୍ରାସ କରାଯାଇପାରିବ । ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟରେ ଆୟୋଜିତ ଇଣ୍ଡିଆନ୍ ନ୍ୟାସନାଲ ଏକାଡେମୀ ଅଫ୍ ଇଞ୍ଜିନିୟରିଂ (ଆଇଏନ୍ଏଇ) ସମ୍ମିଳନୀ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଟାଟା ବ୍ଲ୍ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟିଭି ନରେନ୍ଦ୍ରନ୍ ଯୋଗ ଦେଇ ଏହା କହିଛନ୍ତି । ସୋଆ, ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୁବନେଶ୍ୱର, ସିଏସ୍ଆଇଆର୍-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି ଭୁବନେଶ୍ୱର ଏବଂ ଆଇଏନ୍ଏଇ ଭୁବନେଶ୍ୱର ଚାପ୍ଟର ପକ୍ଷରୁ ଏହି ସମ୍ମିଳନୀ ୩ ଦିନ ଧରି ଚାଲିବ ।
ଶ୍ରୀ ନରେନ୍ଦ୍ରନ୍ କହିଲେ, ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମରେ ଦେଶର ବିନିର୍ମାଣ (ମାନ୍ୟୁଫାକ୍ଚରିଂ) କ୍ଷେତ୍ର ଯୋଗଦାନ ଏବେ ୧୫ ପ୍ରତିଶତ ରହିଛି । ଏହା ତ୍ୱରାନ୍ୱିତ ହେଉଛି । ଆଗକୁ ଏହି କ୍ଷେତ୍ର ଜିଡିପିକୁ ଅଧିକ ଅବଦାନ ଦେବ । ଭାରତ ରପ୍ତାନି କ୍ଷେତ୍ରରେ ଏହାର ସ୍ଥିତିକୁ ଆହୁରି ମଜଭୁତ କରିବ । ଦେଶ ଅଭିବୃଦ୍ଧି କରୁଥିବା ବେଳେ ଇସ୍ପାତ ଚାହିଦା ବଢ଼ୁଛି । ସେହିଭଳି ଅଟୋମୋଟିଭ, ବିମାନ ଚଳାଚଳ, ଇ-ଯାନ ଓ ମହାକାଶ କ୍ଷେତ୍ର ଲାଗି ଆବଶ୍ୟକ ହେଉଥିବା ହାଇ ଏଣ୍ଡ ଷ୍ଟିଲ୍ ଉତ୍ପାଦନକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡ଼ିବ ।
ଶ୍ରୀ ନରେନ୍ଦ୍ରନ୍ ଆହୁରି କହିଲେ, ଇସ୍ପାତ ପ୍ରସ୍ତୁତି ପ୍ରକ୍ରିୟାରେ ଗ୍ରୀନ୍ ହାଉସ ଗ୍ୟାସର ନିର୍ଗମନ ବିଶ୍ୱର ସମଗ୍ର କାର୍ବନ ଫୁଟଫ୍ରିଣ୍ଟର ପ୍ରାୟ ୮ ପ୍ରତିଶତ ରହିଛି । ଏହି କ୍ଷେତ୍ରରେ ଟାଟା ଷ୍ଟିଲ୍ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛି । ବିଶ୍ୱରେ ଇସ୍ପାତ ଉତ୍ପାଦନରେ ଚୀନ ପ୍ରଥମ ସ୍ଥାନରେ ରହିଥିବାବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଦେଶରେ ଇସ୍ପାତ ଉତ୍ପାଦନରେ ବୃଦ୍ଧି କେବଳ ପୂର୍ବ ଭାରତରେ ହେଉଛି । ମାତ୍ର ଏଠାରେ ଅନେକ ପରିଚାଳନାଗତ ଓ ବୈଷୟିକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଶ୍ରୀ ନରେନ୍ଦ୍ରନ୍ କହିଛନ୍ତି ।
ଆଇଏନ୍ଏଇର ସଭାପତି ପ୍ରଫେସର ଇନ୍ଦ୍ରନୀଳ ମାନ୍ନାଙ୍କ ସଭାପତିତ୍ୱ କରି କହିଲେ, ଇଞ୍ଜିନିୟରିଂ ସେକ୍ସନ୍ ସବୁ ସମୟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିର୍ବାହ କରୁଛି । ଏଥିସହ ଜାତୀୟ ଶିକ୍ଷା ନୀତି ୨୦୨୦ର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଭାରତର ଟ୍ରେସିଂ ଗ୍ରୋଥ୍ର ପାରାମିଟରକୁ ଆଲୋକପାତ କରି କହିଥିଲେ, ୧୯୪୭ ମସିହାରେ ଦେଶର ଜିଡିପି ୨.୭ ଟ୍ରିଲିୟନ ଥିବା ବେଳେ ଏହା ୧୯୯୭ ମସିହାରେ ୩୪.୩ ଟ୍ରିଲିୟନରେ ପହଞ୍ଚିଥିଲା । ବର୍ତ୍ତମାନ ଦେଶର ଜିଡିପି ୨୬୨ ଟ୍ରିଲିୟନ୍ ଥିବା ଆଗାମୀ ୨୦୪୭ ମସିହାରେ ଏହା ବୃଦ୍ଧି ପାଇ ୨୧୪୪.୮ ଟ୍ରିଲିୟନ୍ରେ ପହଞ୍ଚିବ । ଶ୍ରୀ ମାନ୍ନା ଆହୁରି କହିଲେ, ଆଇଏନ୍ଏଇ ସଂସ୍ଥାରେ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ୍ କଲାମଙ୍କ ଭଳି ବିଶିଷ୍ଟ ବୈଜ୍ଞାନିକମାନଙ୍କର ଅବଦାନ ରହିଛି । ଏହି ଅନୁଷ୍ଠାନରେ ୯୧୯ ଫେଲୋ ଥିବା ବେଳେ ୯୯ଜଣ ବିଦେଶୀ ଫେଲୋ ରହିଛନ୍ତି । ଆହୁରି ୪୮ ଜଣଙ୍କୁ ଫେଲୋ ଭାବେ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଥିଲେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସ୍ୱାଗତ ଭାଷଣ ଦେବା ଅବସରରେ ସୋଆ ବିଶ୍ୱବିଦ୍ୟାଳୟର ସଫଳତା ଉପରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଆଇଏନ୍ଏଇର ପୂର୍ବତନ ସଭାପତି ତଥା ତିରୁଭାନନ୍ତପୁରମ୍ ସ୍ଥିତ ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିର କୁଳାଧିପତି ଡ. ବିଏନ୍ ସୁରେଶଙ୍କ ଲିଖିତ ପୁସ୍ତକ ‘ଡାଇଭର୍ସ ସ୍ପେସ୍ ଆପ୍ଲିକେଶନ’ ଲୋକାର୍ପିତ ହୋଇଛି । ଆଇଏନ୍ଏଇ ଭୁବନେଶ୍ୱର ଚାପ୍ଟର ଅଧ୍ୟକ୍ଷ ପ୍ରଫେସର ଦାମୋଦର ଆଚାର୍ଯ୍ୟ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଦସ୍ୟ ସଚିବ ଲେଫ୍ଟନାଣ୍ଟ କର୍ଣ୍ଣେଲ୍ ଶୋଭିତ ରାଏ ଧନ୍ୟବାଦ ଦେଇଛନ୍ତି ।