ନୂଆଦିଲ୍ଲୀ,୧୯/୯ : ଆଗାମୀ ବିଶ୍ୱକପ୍ ଟ୍ରଫି ହାସଲ କରିବା ପାଇଁ ଭାରତୀୟ ଦଳ ପ୍ରସ୍ତୁତ ଥିବା ପୂର୍ବତନ ପ୍ରସିଦ୍ଧ ଖେଳାଳି କପିଳ ଦେବ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଭାରତ ବିଶ୍ୱକପ ଚାମ୍ପିଅନ ହେବ ବୋଲି ଅନ୍ଧ ଭାବେ କହିବା ଠିକ ହେବ ନାହିଁ । ମାତ୍ର ବିଶ୍ୱକପ୍ ପାଇଁ ଆମ ଦଳ ପ୍ରସ୍ତୁତ ହୋଇସାରିଥିବା ମୁଁ ଅନୁଭବ କରୁଛି । ଏସିଆ କପ୍ରେ ଦଳ ଚମତ୍କାର ପ୍ରଦର୍ଶନ କରିଛି । ତଥାପି ବିଶ୍ୱକପ୍ ଭଳିସର୍ବ ବୃହତ୍ ଟୁର୍ଣ୍ଣାମେଣ୍ଟରେ କଠିନ ପରିଶ୍ରମ କରିବାକୁ ହେବ । ସେମି ଫାଇନାଲ୍ରେ ପହଞ୍ଚି ପାରିଲେ ଟ୍ରଫି ହାତେଇବା କଷ୍ଟକର ହେବ ନାହିଁ ।
ପ୍ରତ୍ୟେକ ଖେଳାଳିଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ହେବ । ଦଳଗତ ପ୍ରଦର୍ଶନ କରିବାକୁ ପଡ଼ିବ । ପ୍ରତି ମୁହୂର୍ତ୍ତର ମଜା ଉଠାଇବା ଜରୁରୀ । ଏସିଆ କପ୍ ଫାଇନାଲ୍ରେ ମହମ୍ମଦ ସିରାଜଙ୍କ ପ୍ରଦର୍ଶନକୁ କପିଳ ପ୍ରଶଂସା କରିବାକୁ ଭୁଲି ନଥିଲେ । ସେ କହିଥିଲେ, ସିରାଜଙ୍କ ବୋଲିଂ ଦେଖି ମୁଁ ବହୁତ ଖୁସି । ଆମ ପେସ୍ ବୋଲରମାନେ ବର୍ତ୍ତମାନ ବିଶ୍ୱର ସବୁ ଗ୍ରାଉଣ୍ଡ୍ରେ ୧୦ ୱିକେଟ୍ ନେବାର କ୍ଷମତା ରଖିଛନ୍ତି । ପୂର୍ବରୁ ଆମେ ସ୍ପିନରଙ୍କ ଉପରେ ନିର୍ଭର କରୁଥିଲୁ । ବର୍ତ୍ତମାନ ପେସ୍ ବୋଲିଂ ବାହିନୀ ଶ୍ରେଷ୍ଠ ପ୍ରଦର୍ଶନ କରୁଛନ୍ତି ।