ନୂଆଦିଲ୍ଲୀ ୧୮/୦୯: ଖୁବଶୀଘ୍ର ସୀମାରେ ମୁତୟନ ଯବାନଙ୍କୁ ପାରାସୁଟ୍ ଜରିଆରେ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟ ଜରୁରି ସାମଗ୍ରୀ ଯୋଗାଣ କରାଯିବ । ସେନାକୁ ଯୋଗାଣ କ୍ଷମତା ବଢ଼ାଇବା ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ସ୍ୱଦେଶୀ ହେଭି ଡ୍ରପ୍ ସିଷ୍ଟମ୍ (ଏଚ୍ଡିଏସ୍)ର ସଫଳ ପରୀକ୍ଷଣ କରାଯାଇଛି । କାର୍ଗୋ ବିମାନରୁ ହେଭି ଡ୍ରପ୍ ସିଷ୍ଟମ୍ ସମ୍ପୂର୍ଣ୍ଣ ଭାବେ ଭାରତରେ ବିକଶିତ ହୋଇଛି । ଏହାର ନାମ ରହିଛି ‘ଟାଇପ୍ ଭି ହେଭି ଡ୍ରପ୍ ସିଷ୍ଟମ୍’ । ଏହା ମାଧ୍ୟମରେ ବାୟୁସେନା ୨୦ ଟନ୍ ପର୍ଯ୍ୟନ୍ତ ଓଜନର ଅସ୍ତ୍ରଶସ୍ତ୍ର, ବାହନ ଓ ସରଞ୍ଜାମଗୁଡ଼ିକୁ ପାରାଡ୍ରପ୍ କରିପାରିବ ।
ବାୟୁସେନାର ଅଧିକାରୀମାନେ କହିଛନ୍ତି, ଏହି ସିଷ୍ଟମ୍କୁ ଆଗ୍ରାର ଏରିୟଲ୍ ଡେଲିଭରି ରିସର୍ଚ୍ଚ ଆଣ୍ଡ୍ ଡେଭଲପ୍ମେଣ୍ଟ ଇଷ୍ଟାବ୍ଲିଶ୍ମେଣ୍ଟ୍ (ଏଡିଆର୍ଡିଇ) ଡିଜାଇନ୍ ଓ ବିକାଶ କରିଛି । ବାୟୁସେନା ଏହା ପୂର୍ବରୁ ମଧ୍ୟ ଏ ପ୍ରକାର ସିଷ୍ଟମ୍ର ଉପଯୋଗ କରିଆସୁଛି, କିନ୍ତୁ ସେଗୁଡ଼ିକ ସ୍ୱଦେଶୀ ନୁହେଁ । ହେଭି ଡ୍ରପ୍ ସିଷ୍ଟମ୍ର ପ୍ଲାଟ୍ଫର୍ମ ଆଲୁମିନିୟମ୍ ଓ ଷ୍ଟିଲ୍ର ମିଶ୍ରଣରେ ନିର୍ମିତ ହୋଇଛି । ଏହାର ଓଜନ ପ୍ରାୟ ୧,୧୧୦ କିଲୋ । ୭ ହଜାର କିଲୋ ଓଜନ ସହିତ ଘଣ୍ଟା ପ୍ରତି ୨୬୦-୪୦୦ କିମି ଡ୍ରପ୍ ଗତିରେ କାମ କରେ ।
ହେଭି ଡ୍ରପ୍ ସିଷ୍ଟମ୍-୧୬ଟି ଓ ୨୦-ଟି’କୁ ଆଇଏଲ୍-୭୬ ହେଭି ଲିଫ୍ଟ ବିମାନ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ବିଏମ୍ପି ବାହନ, ଆବଶ୍ୟକ ଉତ୍ପାଦ ଓ ଗୋଳା ବାରୁଦ ରହିବ । ଏହା ଖୋଲା ପଡ଼ିଆ, ମରୁଭୂମି ଓ ଉଚ୍ଚ ସ୍ଥାନରେ ଅବତରଣ କରିପାରିବ । ଏଡିଆର୍ଡିଇ ଏଏନ୍-୩୨, ଆଇଏଲ୍-୭୬ ଓ ସି-୧୭ ଗ୍ଲୋବ୍ମାଷ୍ଟର ଭଳି ଟ୍ରାନ୍ସପୋର୍ଟ ବିମାନ ପାଇଁ ହେଭି ଡ୍ରପ୍ ସିଷ୍ଟମ୍ର ଭିନ୍ନ ଭିନ୍ନ ପ୍ରକାର ପ୍ରସ୍ତୁତ କରାଯାଇଛି, ଯଥା- ୩ ଟନ୍, ୭ ଟନ୍, ୧୬ ଟନ୍ ଓ ୨୦ ଟନ୍ । ୩ ଓ ୭ ଟନ୍ବିଶିଷ୍ଟ ସିଷ୍ଟମ୍ ଭାରତୀୟ ବାୟୁସେନା ଓ ନୌସେନା ପାଇଁ ରହିଛି । ପାରାସୁଟ୍ ଜରିଆରେ ସରଞ୍ଜାମଗୁଡ଼ିକୁ ତଳକୁ ପକାଇବା ପାଇଁ ହେଭି ଡ୍ରପ୍ ସିଷ୍ଟମ୍ ପ୍ରୟୋଗ କରାଯାଏ ।
ଆଇଏଲ୍-୭୬ ବିମାନ ପାଇଁ ହେଭି ଡ୍ରପ୍ ସିଷ୍ଟମ୍ (ପି-୭ ଏଚ୍ଡିଏସ୍) ରେ ଏକ ପ୍ଲାଟ୍ଫର୍ମ ଓ ବିଶେଷ ପାରାସୁଟ୍ ସିଷ୍ଟମ୍ ଥାଏ । ପାରାସୁଟ୍ ସିଷ୍ଟମ୍ରେ ୫ ମୁଖ୍ୟ କାନୋପି, ୫ ବ୍ରେକ୍ ଶୁଟ୍, ୨ ସହାୟକ ଶୁଟ୍, ଏକ ଏକ୍ସଟ୍ରାକ୍ଟର ପାରାଶୁଟ୍ ରହିଛି । ଏହି ସିଷ୍ଟମ୍କୁ ୧୦୦ ପ୍ରତିଶତ ସ୍ୱଦେଶୀ ସାଧନ ସହ ବିକଶିତ କରାଯାଇଛି । ପି-୭ ଏଚ୍ଡିଏସ୍କୁ ସୈନ୍ୟବାହିନୀରେ ସାମିଲ କରାଯାଇଛି । ପି-୭ ହେଭି ଡ୍ରପ୍ ସିଷ୍ଟମ୍ର ନିର୍ମାଣ ଚାଲିଛି । ପାରାସୁଟ୍ ଉପରେ ତେଲ ଓ ପାଣିର କୌଣସି ପ୍ରଭାବ ପଡ଼େ ନାହିଁ । ଏଗୁଡ଼ିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର ମଧ୍ୟ କରାଯାଇପାରିବ । ଡିଆର୍ଡିଓ ଦୀର୍ଘ ସମୟରୁ ଏହି ସିଷ୍ଟମ୍ର ନିର୍ମାଣ ପ୍ରସ୍ତୁତି ଚଳାଇଥିଲା । ୫ ବର୍ଷ ହେଲା ହେଭି ଡ୍ରପ୍ ସିଷ୍ଟମ୍ର ପରୀକ୍ଷା ଜାରି ରହିଛି ।