ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଅନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ

ବିଗତ ଦୁଇ ଦଶନ୍ଧିରେ ଓଡ଼ିଶାର ସାମଗ୍ରିକ ପ୍ରଗତିକୁ ଦୃଷ୍ଟିରେ ରଖିଲେ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଏକ ଅନୁବାଦ ନୀତି ପ୍ରଣୟନ କରି ଭାରତବର୍ଷ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଦାନ ବ୍ୟବସ୍ଥାର ଘୋଷଣା ସମୟୋପଯୋଗୀ ପଦକ୍ଷେପ । କାରଣ, ଓଡ଼ିଆ ଭାଷାରେ ଅନୁବାଦର ସମୃଦ୍ଧ ଇତିହାସର ପୃଷ୍ଠଭୂମି ଉପରେ ଅନୁବାଦ ହେବାକୁ ଅପେକ୍ଷା କରିଥିବା ଓଡ଼ିଆ ସାହିତ୍ୟର ବିପୁଳ ଭଣ୍ଡାରକୁ ଅନ୍ୟାନ୍ୟ ଭାଷାରେ ଅନୁବାଦ ପାଇଁ ବର୍ତ୍ତମାନ ଉଭୟ ସୁଯୋଗ ଓ ସମୟ ଉପସ୍ଥିତ । ଏକ ଭଲ ଅନୁବାଦ ଏଗୁଡ଼ିକୁ ବ୍ୟାପକ ଦର୍ଶକଙ୍କ ସମ୍ମୁଖରେ ପରିଚିତ କରାଇବାରେ ଚମତ୍କାର ସୃଷ୍ଟି କରିପାରେ!

ଅନୁବାଦ ବିଶେଷକରି ଉପନ୍ୟାସ ଲେଖକମାନଙ୍କୁ ବ୍ୟବସ୍ଥା, ଜୀବନଶୈଳୀ ଏବଂ ସମୟକୁ ବାସ୍ତବବାଦୀ ଓ ଜୀବନ୍ତ ଭାବରେ ଚିତ୍ରିତ କରିବା ପାଇଁ ବ୍ୟାପକ କାନଭାସର ପର୍ଯ୍ୟାପ୍ତ ସୁଯୋଗ ପ୍ରଦାନ କରିଥାଏ । ‘ଛଅ ମାଣ ଆଠ ଗୁଣ୍ଠ’ ଏହାର ଜମିଦାରୀ ଶୋଷଣର ବାସ୍ତବ ଚିତ୍ର ସହିତ ଓଡ଼ିଶାରେ ପ୍ରବେଶ କରୁଥିବା ଔପନିବେଶିକ ମୂଲ୍ୟବୋଧ ବିଷୟରେ ଚିନ୍ତା କରିବାକୁ ଯେପରି ବାଧ୍ୟ କରିଥାଏ, ମାଟିର ମଣିଷ ସେପରି ଓଡ଼ିଆ ଗ୍ରାମ୍ୟ ଜୀବନକୁ ନିଖୁଣ ଭାବରେ ଚିତ୍ରଣ କରିଥାଏ! ପରଜା ଆଦିବାସୀ ଜୀବନର ଏକ ଗାଥା ଭାବରେ ଅବିସ୍ମରଣୀୟ । ଦେଶ-କାଳ-ପାତ୍ର ସେହିପରି ଆମକୁ ନଅଙ୍କ ଦୁର୍ଭିକ୍ଷ ଓ ପ୍ରାରମ୍ଭିକ ଓଡ଼ିଆ ଜାତୀୟତା ବିଷୟରେ ଅନ୍ତର୍ଦୃଷ୍ଟି ଦେଇଥାଏ!

ବ୍ରଜନାଥ ବଡ଼ଜେନାଙ୍କ ‘ସମର ତରଙ୍ଗ'ର ଇଂରାଜୀ ଅନୁବାଦ ‘ୱାର୍‌ ୱେଭ୍‌ସ' (ଗଣେଶ ପ୍ରସାଦ ସିଂହଦେଓ) ଏବଂ ସଚ୍ଚି ରାଉତରାୟଙ୍କ ‘ବାଜିରାଉତ ଓ ଅନ୍ୟାନ୍ୟ ଚାଳିଶିଟି କବିତା'ର ‘ଦି ବୋଟ୍‌ମ୍ୟାନ୍‌ ବୟ ଏଣ୍ଡ ଫୋର୍ଟି ପୋଏମ୍‌ସ' (ହରେନ୍ଦ୍ରନାଥ ଚଟ୍ଟୋପାଧ୍ୟାୟ) ପରେ କୁଞ୍ଜବିହାରୀ ନାୟକ ରାଧାନାଥଙ୍କ ଚିଲିକା ଓ ଗୋପବନ୍ଧୁଙ୍କ ‘ବନ୍ଦୀର ଆତ୍ମକଥା’କୁ ଇଂରାଜୀ ଗୀତି କବିତାର ରୂପ ଦେଇଥିଲେ ।

ଅନୁବାଦରେ ଆଧୁନିକ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ ପ୍ରତିଫଳନ ହୋଇଥିବା ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ସଙ୍କଳନର କିଛି ଝଲକ । ବସନ୍ତ କୁମାରୀ ପଟ୍ଟନାୟକଙ୍କ ଅଲିଭା ଚିତା ଓ ଅମଡ଼ା ବାଟକୁ ଯଥାକ୍ରମେ ଅଜୟ ମହଲ ଅନ୍‌ଡାଇଙ୍ଗ ଫାୟାର ଏବଂ ସୁପ୍ରିୟା ପ୍ରସାନ୍ତ ଅନ୍‌ଟ୍ରୋଡେନ ପାଥ୍‌ ଭାବେ, ଯତୀନ୍ଦ୍ର କୁମାର ନାୟକ ଜଗନ୍ନାଥ ପ୍ରସାଦ ଦାସଙ୍କ ଦେଶ-କାଳ-ପାତ୍ରକୁ ଏ ଟାଇମ ଏଲ୍‌ସହୁଏର ଭାବେ, ଚନ୍ଦ୍ରଶେଖର ରଥଙ୍କ ଯନ୍ତ୍ରାଋଢ଼କୁ ଏଷ୍ଟ୍ରାଇଡ ଦି ହ୍ୱିଲ ଭାବେ, ଫକୀର ମୋହନ ସେନାପତିଙ୍କ ମାମୁଁକୁ ମ୍ୟାଟର୍ନାଲ ଅଙ୍କଲ ଭାବେ, ରବି ଶଙ୍କର ମିଶ୍ର, ସତ୍ୟ ପି ମହାନ୍ତି ଓ ପଲ୍‌ ସେଣ୍ଟ-ପିଅରଙ୍କ ସହିତ ମିଶି ଛଅ ମାଣ ଆଠ ଗୁଣ୍ଠକୁ ସିକ୍ସ ଏକର୍ସ ଏଣ୍ଡ ଏ ଥାର୍ଡ ଭାବେ ଅନୁବାଦ କରିଛନ୍ତି । ଛଅ ମାଣ ଆଠ ଗୁଣ୍ଠକୁ କେ.କେ. ମହାପାତ୍ର, ପଲ୍‌ ସେଣ୍ଟ-ପିଅର, ଲୀଳାବତୀ ମହାପାତ୍ର ମଧ୍ୟ ସିକ୍ସ ଏଣ୍ଡ ଏ ଥାର୍ଡ ଏକର୍ସ ଭାବେ, ଫକୀର ମୋହନଙ୍କ ଲଛମା ଓ ପ୍ରାୟଶ୍ଚିତକୁ ଯଥାକ୍ରମେ ଚନ୍ଦନ ଦାସ ଓ ସ୍ନେହପ୍ରଭା ଦାସ ଲଛମା ଓ ଦି ପେନାନ୍‌ସ ଭାବେ, ଗୋପୀନାଥ ମହାନ୍ତିଙ୍କ ଅମୃତର ସନ୍ତାନକୁ ବିଧୁଭୂଷଣ ଦାସ, ପ୍ରଭାତ ନଳିନୀ ଦାସ ଓ ଉପାଲି ଅପରାଜିତା ଦି ଡିନାଷ୍ଟି ଅଫ ଇମ୍ମୋର୍ଟାଲ୍‌ସ ଭାବେ, ଦାନାପାଣି, ପରଜା ଓ ଲୟ ବିଲୟକୁ ବିକ୍ରମ କୁମାର ଦାସ ଯଥାକ୍ରମେ ଦି ସର୍ଭାଇବର, ପରଜା ଓ ହାଇ ଟାଇଡ୍‌, ଏବ୍‌ ଟାଇଡ୍‌ ଭାବେ, କାଳିନ୍ଦୀ ପାଣିଗ୍ରାହୀଙ୍କ ମାଟିର ମଣିଷକୁ ବର୍ଣ୍ଣ ଅଫ ଦି ସଏଲ ଭାବେ ଅନୁବାଦ କରିଛନ୍ତି ।

ସେହିପରି, କାହ୍ନୁ ଚରଣ ମହାନ୍ତିଙ୍କ ଝଞ୍ଜା ଓ ଶାସ୍ତିକୁ ଯଥାକ୍ରମେ ବିଜୟ କୁମାର ନନ୍ଦ ଷ୍ଟର୍ମ ଭାବେ, ସୁରେନ୍ଦ୍ର ସାହୁ ପନିସମେଣ୍ଟ ଭାବେ, ପ୍ରତିଭା ରାୟଙ୍କ ଶୀଳାପଦ୍ମ ଓ ଯାଜ୍ଞସେନୀକୁ ଯଥାକ୍ରମେ ମୋନାଲିସା ଜେନା ସିଟାଡେଲ ଅଫ ଲଭ୍‌ ଭାବେ ଓ ପ୍ରଦୀପ ଭଟ୍ଟାଚାର୍ଯ୍ୟ ଯାଜ୍ଞସେନୀ ଭାବେ, ପ୍ରଫୁଲ୍ଲ ସି ମହାନ୍ତି ଓ ଜୋ ୱେଷ୍ଟବ୍ରୁକ ଗଣେଶ୍ୱର ମିଶ୍ରଙ୍କ ସକାଳର ମୁହଁକୁ ଫେସ ଅଫ ଦି ମର୍ଣ୍ଣିଙ୍ଗ ଭାବେ, କୁନ୍ତଳା କୁମାରୀ ସାବତଙ୍କ ତିନିଟି ଉପନ୍ୟାସ କାଳୀ ବୋହୂ, ପରଶମଣି  ଏବଂ ରଘୁ ଅରକ୍ଷିତକୁ ମେରି ମହାନ୍ତି ଯଥାକ୍ରମେ ଡାର୍କ ବ୍ରାଇଡ, ଫିଲୋସଫର୍ସ ଷ୍ଟୋନ ଓ ରଘୁ-ଦି ଅର୍ଫାନ ଭାବେ ଏବଂ ଲୀଳାବତୀ ମହାପାତ୍ର ଓ କେ.କେ. ମହାପାତ୍ର ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କଣାମାମୁଁକୁ ୱାନ୍‌ ଆଇ ଅଙ୍କଲ ଭାବେ, ହିମାଂସୁ ଏସ୍‌ ମହାପାତ୍ର ଓ ପଲ୍‌ ସେଣ୍ଟ-ପିଅର ବାସନ୍ତୀକୁ ବାସନ୍ତୀ: ରାଇଟିଙ୍ଗ ଦି ନିଉ ଓମ୍ୟାନ ଭାବେ ଅନୁବାଦ କରିଛନ୍ତି । ସାହିତ୍ୟ ଅକାଦେମି ଅରୁଣ କୁମାର ମହାନ୍ତିଙ୍କ ଦ୍ୱାରା ‘ଦାଦୀ ବୁଢ଼ା'ର ଇଂରାଜୀ ଅନୁବାଦ ‘ଦି ଆନ୍‌ସେଷ୍ଟର' ପ୍ରକାଶ କରିଥିଲା । କାଳିନ୍ଦୀ ପାଣିଗ୍ରାହୀଙ୍କ ମାଟିର ମଣିଷକୁ ଲୀଳା ରାୟ ‘ଏ ହାଉସ୍‌ ଅନ୍‌ଡିଭାଇଡେଡ୍‌' ନାମରେ ଇଂରାଜୀରେ ଅନୁବାଦ କରିଛନ୍ତି । ଓଡ଼ିଆ ସାହିତ୍ୟର ଇଂରାଜୀ ଅନୁବାଦ କ୍ଷେତ୍ରରେ ପଲ୍‌ ସେଣ୍ଟ୍‌-ପିଅର ଏକ ଗୁରୁତ୍ୱପୂର୍ଣ୍ଣ ନାମ । ସେ ସେହି ଅନୁବାଦକମାନଙ୍କ ସହଯୋଗରେ ଅନୁବାଦ କରନ୍ତି ଯାହାର ପ୍ରଥମ ଭାଷା ହେଉଛି ଓଡ଼ିଆ । ସେ ସହଯୋଗ କରିଆସିଥିବା ଅନୂଦିତ କେତେକ ପ୍ରଶଂସିତ ରଚନାର ଶୀର୍ଷକ ହେଲା- ସିକ୍ସ ଏକର୍ସ ଏଣ୍ଡ ଏ ଥାର୍ଡ, ସିକ୍ସ ଏଣ୍ଡ ଏ ଥାର୍ଡ ଏକର୍ସ, ବାସନ୍ତୀ, ଲଛମା ଏବଂ ଲେଟର୍ସ ଟୁ ଜୋରିନା ।

ଓଡ଼ିଆ ଭାଷାରେ ଲେଖାକୁ ବିଶ୍ୱର ଅନ୍ୟ ପ୍ରାନ୍ତରେ ଲୋକପ୍ରିୟ କରିବା ଲକ୍ଷ୍ୟରେ ସଂସ୍କୃତି ବିଭାଗ ପକ୍ଷରୁ ବିଶ୍ୱର ସର୍ବାଧିକ କଥିତ ଚାରିଟି ଭାଷା- ଜାପାନୀ, ଜର୍ମାନୀ, ଫରାସୀ ଓ ସ୍ପେନୀୟ ଭାଷାରେ ଲୋକପ୍ରିୟ ଲେଖକଙ୍କ ଶହେଟି ଓଡ଼ିଆ ଗଳ୍ପଗୁଡ଼ିକୁ ପୁସ୍ତକ ଭାବେ ସଙ୍କଳନ କରାଯାଇ ବିଦେଶରେ ଉନ୍ମୋଚନ କରିବାର ପ୍ରୟାସ ଅନୁବାଦ ପ୍ରକ୍ରିୟାକୁ ନିଶ୍ଚିତ ତ୍ୱରାନ୍ୱିତ କରିବ ।  

ଯଦିଓ ଓଡ଼ିଆ ସାହିତ୍ୟ ପ୍ରାୟତଃ ମୁଖ୍ୟସ୍ରୋତର ଭାରତୀୟ ସାହିତ୍ୟ ଆଲୋଚନାରେ, ଉଭୟ ମୂଳ ଓ ଇଂରାଜୀ ଅନୁବାଦରେ, ଏକ ପରିସୀମାତ୍ମକ ସ୍ଥାନ ଅଧିକାର କରିଛି, ତଥାପି ଅଷ୍ଟମରୁ ଦ୍ୱାଦଶ ଶତାବ୍ଦୀ ମଧ୍ୟରେ ବୌଦ୍ଧ ସିଦ୍ଧମାନଙ୍କ ଦ୍ୱାରା ରଚିତ ରହସ୍ୟମୟ କବିତାର ଏକ ସଂଗ୍ରହ ବୌଦ୍ଧ ଗାନ ଓ ଦୋହାରୁ ଆରମ୍ଭ ହୋଇ ଏହାର ଏକ ସମୃଦ୍ଧ ଇତିହାସ ରହିଛି । ଓଡ଼ିଆ ସାହିତ୍ୟ ଅଧିକାଂଶ ସମୟରେ ଅଣଓଡ଼ିଆ କହୁଥିବା ଲୋକଙ୍କ ନିକଟରେ ଅପହଞ୍ଚ ହୋଇ ରହିଥିବାବେଳେ ନିକଟରେ ଭାରତୀୟ ଲେଖାକୁ ଗୁରୁତ୍ୱ ଦେବା ଫଳରେ ଓଡ଼ିଆ ସମେତ ଭାରତୀୟ ଭାଷାର ଇଂରାଜୀ ଅନୁବାଦର ଉପଲବ୍ଧତା ବୃଦ୍ଧିପାଇଛି । ଓଡ଼ିଆ ଲେଖକ ଫକୀର ମୋହନ ସେନାପତି ଯାହାଙ୍କ ପାଇଁ ଭାଷା, ପରିଚୟ ଓ ସଂସ୍କୃତି ସହିତ ଘନିଷ୍ଠ ଭାବେ ଜଡ଼ିତ ଥିଲା, ତାଙ୍କ ଗଳ୍ପ ରେବତୀର ଛତିଶଟି ଭାଷାରେ ଅନୂଦିତ ଏକ ସଙ୍କଳନ ପ୍ରକାଶ ପାଇଛି ‘ରେବତୀ: ସ୍ପିକିଙ୍ଗ ଇନ୍‌ ଟଙ୍ଗ୍‌ସ’ ଶୀର୍ଷକରେ । ଛଅଶହରୁ ଅଧିକ ପୃଷ୍ଠା ବିଶିଷ୍ଟ ଏହି ବିଶାଳ ପୁସ୍ତକରେ ଚବିଶଟି ଭାରତୀୟ ଓ ବାରଟି ବିଦେଶୀ ଭାଷାରେ ଅନୁବାଦ କରାଯାଇଛି ।

ରେବତୀ: ୧୮୯୮ ମସିହାରେ ପ୍ରଥମ ଥର ପାଇଁ ଉତ୍କଳ ସାହିତ୍ୟରେ ପ୍ରକାଶିତ ଏହି କାହାଣୀ ମହାମାରୀ (କୋଭିଡ-୧୯ ସମେତ)ବେଳେ ଘଟୁଥିବା ମାନବୀୟ ଦୁଃଖର ପରିପ୍ରକାଶରେ ଏବେ ମଧ୍ୟ ନିତ୍ୟନୂତନ । ଫକୀର ମୋହନ ସେନାପତି ଆଧୁନିକ ଓଡ଼ିଆ ସାହିତ୍ୟର ଜନକ ଭାବେ ପରିଗଣିତ ହେଉଥିବାବେଳେ ଏହା ଓଡ଼ିଆରେ ପ୍ରଥମ କ୍ଷୁଦ୍ରଗଳ୍ପ ଭାବେ ଜଣାଯାଏ । ଅନେକ କାଳଜୟୀ ଓଡ଼ିଆ ପୁସ୍ତକ ଅନୁବାଦ ହେବାକୁ ବାକି ରହିଛି, ଇଂରାଜୀ ସହିତ ଅନ୍ୟାନ୍ୟ ଭାରତୀୟ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ । ପର୍ଯ୍ୟାପ୍ତ ବର୍ଣ୍ଣନା ସହିତ ଗଦ୍ୟ ଗଳ୍ପର ଅନୁବାଦ ଆମ ମୂଲ୍ୟବୋଧ ଓ ସଂସ୍କୃତିର ଅନ୍ୟତମ ଶ୍ରେଷ୍ଠ ବାର୍ତ୍ତାବାହକ । ଭାରତବର୍ଷ ତଥା ବିଶ୍ୱର ଅନ୍ୟାନ୍ୟ ଭାଷାରେ ଓଡ଼ିଆ ପୁସ୍ତକର ଅନୁବାଦ କେବଳ ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ଥିବା ଅଜ୍ଞତା ଓ ଭ୍ରାନ୍ତ ଧାରଣାକୁ ଦୂର କରିବ ନାହିଁ, ଓଡ଼ିଶାକୁ ବିଶ୍ୱ ଦରବାରରେ ପରିଚିତ କରାଇବାରେ ସହାୟକ ହେବ । ଏହା ଆମର ସଫ୍‌ଟ ପାୱାର (ନରମ କ୍ଷମତା)କୁ ବୃଦ୍ଧି କରିବା ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, ଯାହା ଏହି ସରକାରଙ୍କ ପାଇଁ ଏକ ପ୍ରାଥମିକତା ପାଲଟିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.