ଭୋପାଳ: ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ମନ୍ତବ୍ୟ ସମଗ୍ର ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏଥିପାଇଁ ନୀତୀଶ କୁମାର ଏବଂ ବିରୋଧୀ ମେଣ୍ଟ ଇଣ୍ଡିଆ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମଧ୍ୟପ୍ରଦେଶର ଗୁନାରେ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ବିରୋଧୀ ଦଳର ନେତା ବିଧାନସଭାରେ ମା-ଭଉଣୀଙ୍କୁ ନେଇ ଯେଉଁ ମନ୍ତବ୍ୟ ଦେଉଛନ୍ତି ଲାଗୁଛି ତାଙ୍କୁ ଲଜ୍ଜା ନାହିଁ ।
ଇଣ୍ଡିଆକୁ ଇଣ୍ଡି ମେଣ୍ଟ ବୋଲି କହିବା ସହ ମୋଦୀ କହିଛନ୍ତି ଯେ, ଇଣ୍ଡି ମେଣ୍ଟର ନେତା ପତାକା ନେଇ ବିଜେପିକୁ ହରାଇବାକୁ କହୁଛନ୍ତି । ସେମାନେ ବିଧାନସଭାରେ ମା-ଭଉଣୀଙ୍କ ସାମ୍ନାରେ ଏମିତି ଭାଷାର ବ୍ୟବହାର କରିଛନ୍ତି ଯାହା କଳ୍ପନା କରିହେବ ନାହିଁ । ମୋଦୀ ଆହୁରି ମଧ୍ୟ କହିଛନ୍ତି, ‘ମେଣ୍ଟର କୌଣସି ନେତା ଏଭଳି ମନ୍ତବ୍ୟ ବିରୋଧରେ କୌଣସି ପ୍ରତିକ୍ରିୟା ଦେବାକୁ ରାଜି ନାହାନ୍ତି । ଆହୁରି କେତେ ତଳକୁ ଖସିବ ? ବିଶ୍ବରେ ଦେଶର ନାଁ ବଦନାମ କରୁଛନ୍ତି । ଆପଣଙ୍କ(ଜନତା) ସମ୍ମାନ ପାଇଁ ଯାହା ଦରକାର ମୁଁ କରିବି ।’
ସେପଟେ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସେମାନେ କେବଳ ପୁଅ ଓ ଝିଅଙ୍କ କଥା ଭାବୁଛନ୍ତି । କଂଗ୍ରେସର ଦୂରଦୁଷ୍ଟି ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ, ଜନସଂଖ୍ୟା ନିୟନ୍ତ୍ରଣ କରିବା ଲାଗି ନଭେମ୍ବର ୭ରେ ବିଧାନସଭାରେ ମନ୍ତବ୍ୟ ରଖିଥିଲେ ନୀତୀଶ କୁମାର । କିଭଳି ଜଣେ ଶିକ୍ଷିତ ମହିଳା ସ୍ବାମୀଙ୍କୁ ଶାରୀରିକ ସଂପର୍କ ରଖିବା ବେଳେ ରୋକିପାରିବେ ସେନେଇ ଖୋଲାଖୋଲି କହିଥିଲେ ନୀତୀଶ । ଏହା ପରଠାରୁ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି ।