ରଣପୁର,୨୪/୧୧: ନୟାଗଡ଼ ଜିଲ୍ଲା ରଣପୁର ରାଜନୀତିରେ ପ୍ରିୟବ୍ରତ ପ୍ରହରାଜ ଓରଫ୍ ଟୁଲୁ ଏକ ଚର୍ଚ୍ଚିତ ନାମ । ଗତ ଏନ୍ଏସି ନିର୍ବାଚନ ପରେ ଟୁଲୁ ଏବେ ଚୁପ୍ ହୋଇ ବସିଛନ୍ତି । କିଛି ମାସ ପରେ ସାଧାରଣ ନିର୍ବାଚନ ଆସୁଥିବାରୁ ଟୁଲୁଙ୍କର କାହା ପ୍ରତି ସମର୍ଥନ ରହିବ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି । ରଣପୁର କଲେଜରୁ ଟୁଲୁଙ୍କ ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ରଣପୁର କଲେଜରେ ସେ ଏବିଭିପି ତରଫରୁ ସଭାପତି ପ୍ରାର୍ଥୀ ହୋଇଥିଲେ । କଲେଜରେ ଏବିଭିପିର ନେତୃତ୍ୱ ମଧ୍ୟ ନେଇଥିଲେ । ପରେ ସେ ବିଜେପିରେ ଯୋଗ ଦେଇଥିଲେ । ରଣପୁର ମଣ୍ଡଳ ବିଜେପି ସଭାପତି ହେବା ସହ ଜିଲ୍ଲା ଯୁବ ମୋର୍ଚ୍ଚାର ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏପରିକି ସେ ସ୍ୱାଧୀନ ଭାବରେ ରଣପୁର ଓ ଗୌରାଙ୍ଗପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ସେହିପରି ଅତୀତରେ ସେ ସ୍ୱାଧୀନ ଭାବେ ରଣପୁର ବିଧାୟକ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ କୌଣସି କାରଣ ଯୋଗୁଁ ସେ ବିଜେପିରୁ ମନ ଫେରାଇ ନେଇଥିଲେ । ୨୦୧୨ ମସିହାରେ ତତ୍କାଳୀନ ରାଜ୍ୟ ସଭା ସାଂସଦ ରବି ନାରାୟଣ ମହାପାତ୍ର ଟୁଲୁଙ୍କୁ ବିଜେଡିରେ ମିଶିବା ପାଇଁ ପ୍ରସ୍ତାବ ଦେଇଥିଲେ । ପରେ ଟୁଲୁ ବିଜେଡିରେ ଯୋଗ ଦେଇଥିଲେ ।
୨୦୧୫ରେ ରଣପୁରରେ ପ୍ରଥମେ ଏନ୍ଏସି ନିର୍ବାଚନ ହୋଇଥିଲା । ଏନ୍ଏସି ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ଟୁଲୁ ଏନ୍ଏସି ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ । ଜଣେ ସକ୍ରିୟ କର୍ମୀ ଭାବେ ସେ ବିଜେଡିରେ ଜଣାଶୁଣା ଥିଲେ । କିନ୍ତୁ ୨୦୨୨ ଏନ୍ଏସି ନିର୍ବାଚନରେ ହୋଇ ଥିଲା ବ୍ୟତିକ୍ରମ । ଏନ୍ଏସି ନିର୍ବାଚନରେ ଅଧ୍ୟକ୍ଷା ପଦ ପାଇଁ ସିଧାସଳଖ ନିର୍ବାଚନ ହୋଇଥିଲା । ତେବେ ଅଧ୍ୟକ୍ଷ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ଟୁଲୁ ତାଙ୍କ ପତ୍ନୀ ମଧୁସ୍ମିତା ପ୍ରହରାଜଙ୍କୁ ବିଜେଡି ତରଫରୁ ପ୍ରାର୍ଥୀ କରିବା ପାଇଁ ଚାହିଁଥିଲେ । କିନ୍ତୁ ବିଜେଡି ମଧୁସ୍ମିତାଙ୍କୁ ଟିକେଟରୁ ବଞ୍ଚିତ କରିଥିଲେ । ପରେ ମଧୁସ୍ମିତା ସ୍ୱାଧୀନ ଭାବେ ଲଢ଼ିଥିଲେ । ଏହି ଏନ୍ଏସି ନିର୍ବାଚନରେ ବିଜେଡି ପାର୍ଥୀ ରଙ୍ଗିନ ମହାନ୍ତି ୪ ହଜାର ୨୧୫ ଭୋଟ ପାଇଥିଲା ବେଳେ ମଧୁସ୍ମିତା ୩ ହଜାର ୮୯୨ ଭୋଟ ପାଇଥିଲେ । ମାତ୍ର ୩୨୩ ଭୋଟରେ ମଧୁସ୍ମିତା ପଛରେ ପଡ଼ି ଯାଇଥିଲେ । ସେହି ଦିନଠାରୁ ଟୁଲୁଙ୍କୁ ଆଉ ବିଜେଡିର କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନାହିଁ । ନିର୍ବାଚନ ଆଉ ଅଳ୍ପ କିଛି ମାସ ଥିବାରୁ ଆଗାମୀ ଦିନରେ ସେ କେଉଁ ଦଳକୁ ଯିବେ, କାହାକୁ ସମର୍ଥନ ଦେବେ ସେ ନେଇ ରଣପୁରରେ ଚର୍ଚ୍ଚା ଆରମ୍ଭ ହୋଇଛି ।