ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଗଞ୍ଜାମ ରାଜନୀତିରେ ରାଜପରିବାର; ଜଣେ ଚେନ୍ନାଇରେ, ମଇଦାନକୁ ଓହ୍ଲାଇବେ ଦୁଇ ଜଣଙ୍କ ଉତ୍ତରାଧିକାରୀ !

ଗଞ୍ଜାମ, ୩୧।୧: ଗଞ୍ଜାମ ଜିଲ୍ଲାର ରାଜନୀତିରେ ରାଜପରିବାରର ସମ୍ପୃକ୍ତି ବହୁବର୍ଷ ହେଲା ରହି ଆସିଛି । ରାଜଦରବାର ପ୍ରଥା ନ ଥିଲେ ବି ଜିଲ୍ଲାରେ ଥିବା ବିଭିନ୍ନ ଗଡ଼ରେ ଏବେ ବି ଲୋକ ରାଜପରିବାରକୁ ସମ୍ମାନ ଦେଇଆସୁଛନ୍ତି । ରାଜ ପରିବାର ଉତ୍ତରାଧିକାରୀମାନେ ରାଜନୀତିରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି । ଗଞ୍ଜାମ ଜିଲ୍ଲାରେ ଏବେ ୩ଟି ରାଜପରିବାରକୁ ରାଜନୀତିରେ ଦେଖିବାକୁ ମିଳୁଛି । ଜଣେ ଚେନ୍ନାଇରେ ଥିବା ବେଳେ ଆଉ ୨ ଜଣ ପ୍ରତ୍ୟକ୍ଷ ଭାବେ ରାଜନୀତିରେ ଅଛନ୍ତି । ଗଞ୍ଜାମ ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀରେ ବିଜେଡିର ମଙ୍ଗୁଆଳ ସାଜିଛନ୍ତି ୩ଜଣ ରାଣୀ । ଧରାକୋଟ ରାଣୀ ନନ୍ଦିନୀ ଦେବୀଙ୍କୁ ଛାଡ଼ି ଦେଲେ ଅନ୍ୟ ୨ ଜଣ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ ଏବଂ ଚିକିଟି ରାଣୀ ଉଷା ଦେବୀ ବିଜେଡି ସହିତ ୨୦୦୦ ମସିହାରୁ ଜଡ଼ିତ ରହି ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଛନ୍ତି । 

ଏବେ ଖଲ୍ଲିକୋଟ ରାଣୀ ସାହେବା ବୟସାଧିକ୍ୟ କାରଣରୁ ପ୍ରତ୍ୟକ୍ଷ ରାଜନୀତିଠାରୁ ଦୂରେଇ ରହିଛନ୍ତି । କିନ୍ତୁ ନନ୍ଦିନୀ ଦେବୀ ଓ ଉଷା ଦେବୀ ରାଜନୀତିରେ ସକ୍ରିୟ ରହିଛନ୍ତି । ୨୦୨୪ ନିର୍ବାଚନରେ ଗଞ୍ଜାମ ରାଜନୀତିରେ ଏହି ୩ଜଣ ରାଣୀଙ୍କ ଭୂମିକାକୁ ନେଇ ବେଶ୍‌ ଆଲୋଚନା ହେଉଛି । ଗଞ୍ଜାମ ରାଜନୀତିରେ ଖଲ୍ଲିକୋଟ ରାଣୀଙ୍କ ବେଶ୍‌ ପତିଆରା ରହିଛି । ସେ ଲଗାତାର ୧୦ ଥର ବିଧାୟିକା ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ନିକଟତର କୁହାଯାଉଥିବା ଖଲ୍ଲିକୋଟ ରାଣୀ ସାହେବା ଜିଲ୍ଲାର ରାଜନୀତିକୁ ନିୟନ୍ତ୍ରଣ କରୁଥିଲେ । ୧୯୬୧ରୁ ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ଖଲ୍ଲିକୋଟ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୟୀ ହୋଇ ସେ ଲୋକଲୋଚନକୁ ଆସିଥିଲେ । ଏହାପରେ ସେହି ଖଲ୍ଲିକୋଟ ବିଧାନସଭା ଆସନରୁ ୧୯୭୪ରେ ଉତ୍କଳ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ବେଳେ ୧୯୭୭ ଓ ୧୯୮୫ ଜନତା ପାର୍ଟି, ୧୯୯୦ ଓ ୧୯୯୫ରେ ଜନତା ଦଳରୁ ବିଧାୟିକା ହୋଇଥିଲେ । 

ସେହିପରି ୨୦୦୦ ଓ ୨୦୦୪ରେ ବିଜେଡିରୁ ପ୍ରାର୍ଥୀ ହୋଇ ଖଲ୍ଲିକୋଟ ବିଧାୟିକା ହୋଇଥିବା ବେଳେ ୨୦୦୯ ଓ ୨୦୧୪ରେ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀରୁ ବିଜେଡି ଟିକଟରୁ ବିଧାୟିକା ହୋଇଥିଲେ । ଏବେ ସେ ଚେନ୍ନାଇରେ ରହୁଥିଲେ ସୁଦ୍ଧା ଖଲ୍ଲିକୋଟ ଏବଂ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ଲୋକେ ଏବେ ବି ରାଣୀ ସାହେବାଙ୍କ ସହିତ ରହିଛନ୍ତି । ପ୍ରତ୍ୟେକ ନିର୍ବାଚନରେ ରାଣୀ ସାହେବାଙ୍କ ମୋହର ଚୂଡ଼ାନ୍ତ ହୋଇଥାଏ । ଆଗାମୀ ନିର୍ବାଚନରେ ସେ କାହାକୁ ଆଶୀର୍ବାଦ ଦେବେ ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଆଶାୟୀଙ୍କ ଲମ୍ବା ଧାଡ଼ି ଲାଗିଥିବା ବେଳେ କାହା ଉପରେ ତାଙ୍କର ମୋହର ବାଜିବ ତାହା ସମସ୍ତେ ଦ୍ୱନ୍ଦ୍ୱରେ ରହିଛନ୍ତି । ଚିକିଟି ରାଣୀ ଉଷା ଦେବୀ । ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ୬ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଏବେ ମଧ୍ୟ ସେ ବିଧାୟିକା ପଦବିରେ ରହିଛନ୍ତି । ସେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦରେ ରହିଥିବା ବେଳେ ବର୍ତ୍ତମାନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଦାୟିତ୍ୱରେ ଅଛନ୍ତି । ଜନତା ଦଳରୁ ସେ ୧୯୯୦ରୁ ବିଧାୟିକା ହୋଇଥିଲେ । 

୨୦୦୦ରୁ ବିଜେଡି ଚିକିଟି ନିର୍ବାଚନମଣ୍ଡଳୀରେ ଏକପାଖିଆ ଭାବେ ରାଣୀଙ୍କ ନେତୃତ୍ୱରେ ବିଜୟଧାରା ବଜାୟ ରଖିଛି । କିନ୍ତୁ ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଚିକିଟି ନିର୍ବାଚନମଣ୍ଡଳୀରେ ବିଜେଡିକୁ ଝଟ୍‌କା ଲାଗିଥିଲା । ପାତ୍ରପୁର ବ୍ଲକ୍‌ ବିଜେପି ହାତକୁ ଯାଇଥିଲା । ରାଜପରିବାରକୁ ଲୋକେ ମାନୁଥିଲେ ମଧ୍ୟ ତାଙ୍କୁ ବିରୋଧ କରିବାକୁ ମଧ୍ୟ ବଡ଼ ସଂଗଠନ ରହିଛି । ଅନ୍ୟପକ୍ଷରେ ରାଣୀ ଉଷା ଦେବୀ ତାଙ୍କ ପୁଅ ଶ୍ରୀରୂପ ଦେଓଙ୍କୁ ପ୍ରୋଜେକ୍ଟ କରୁଥିବା ମଧ୍ୟ ଚର୍ଚ୍ଚାକୁ ଆସିଛି । ଶ୍ରୀରୂପ ଦେଓଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁଛି । ରାଜପରିବାରର ମର୍ଯ୍ୟାଦା ରକ୍ଷା କରିବାରେ ସେ କେତେ ଦୂର ସକ୍ଷମ ହେବେ ତାହା ଆଗାମୀ ସାଧାରଣ ନିର୍ବାଚନରେ ସାବ୍ୟସ୍ତ ହେବ । ତାଙ୍କୁ ବିରୋଧ କରିବାକୁ ପ୍ରସ୍ତୁତ ହୋଇ ରହିଛି ପୂର୍ବତନ ବାଚସ୍ପତି ଚିନ୍ତାମଣି ଦ୍ୟାନସାମନ୍ତରାୟଙ୍କ ପରିବାର । ପଞ୍ଚାୟତ ନିର୍ବାଚନରେ ରାଜ ପରିବାରକୁ ଟକ୍କର ଦେଇଥିବା ଚିନ୍ତାମଣିଙ୍କ ପରିବାର ଏବେ ସାଧାରଣ ନିର୍ବାଚନକୁ ଟାର୍ଗେଟ୍‌ରେ ରଖିଛି । ଏହି ନିର୍ବାଚନମଣ୍ଡଳୀରେ ରାଜପରିବାରର ଉତ୍ତରାଧିକାରୀ କେତେ ସଫଳ ହେବେ ତାହା ଭବିଷ୍ୟତରେ ଜଣାପଡ଼ିବ । 

ତୃତୀୟରେ ରହିଛନ୍ତି ଧରାକୋଟ ରାଣୀ ନନ୍ଦିନୀ ଦେବୀ । ତାଙ୍କର ସ୍ୱାମୀ କିଶୋର ଚନ୍ଦ୍ର ସିଂହଦେଓ ବିଜେପିରେ ଥିଲେ । ସେ ୨୦୦୯ରେ ବିଜେପି ଟିକଟରୁ ସାନଖେମୁଣ୍ଡି ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ସ୍ୱାମୀଙ୍କ ଅକାଳ ବିୟୋଗ ପରେ ପତ୍ନୀ ନନ୍ଦିନୀ ଦେବୀ ବିଜେଡିରେ ଯୋଗ ଦେଇଥିଲେ । ୨୦୧୪ରେ ସେ ବିଜେଡି ଟିକଟରୁ ସାନଖେମୁଣ୍ଡି ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୧୯ରେ କଂଗ୍ରେସ ଏଠାରେ ବାଜି ମାରି ନେଇଥିଲେ । ବିଭିନ୍ନ କାରଣରୁ ୨୦୧୯ ନିର୍ବାଚନରେ ରାଣୀ ପରାଜୟ ହୋଇଥିଲେ । ପରବର୍ତ୍ତୀ ସମୟରେ ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ଝିଅ ସୁଲକ୍ଷଣା ଗୀତାଞ୍ଜଳିଙ୍କୁ ରାଜନୀତିରେ ଦେଖିବାକୁ ମିଳିଥିଲା । ସେ ବିଜେଡିରୁ ଟିକଟ ପାଇ ନିର୍ବାଚନ ଲଢ଼ିଥିଲେ ଏବଂ ଧରାକୋଟ ବ୍ଲକ୍‌ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଛନ୍ତି । ରାଣୀଙ୍କ ସହ ତାଙ୍କୁ ଏବେ ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ନିର୍ବାଚନରେ ତାଙ୍କୁ ବିଧାୟିକା ପ୍ରାର୍ଥୀ ପାଇଁ ପ୍ରୋଜେକ୍ଟ କରାଯାଉଥିବା ମଧ୍ୟ ଜିଲ୍ଲାରେ ଆଲୋଚନା ହେଉଛି । ଗଞ୍ଜାମ ଜିଲ୍ଲାରେ ଏହି ତିନି ରାଣୀ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଅଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.