ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଫୋକସ୍‌ରେ ତଲସରା: ଆସନ ବଜାୟ ଲକ୍ଷ୍ୟରେ ବିଜେପି, ପ୍ରଥମ ବିଜୟକୁ ଚାହିଁଛି ବିଜେଡି, କଂଗ୍ରେସରୁ ହକି ତାରକା ପ୍ରବୋଧ

ରାଉରକେଲା,୦୮/୦୨: ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀ ଉପରେ ଏବେ ସବୁ ରାଜନୈତିକ ଦଳର ଫୋକସ୍‌ । କଂଗ୍ରେସ ତଳସରା ଅଞ୍ଚଳର ଦୁଇ ଜଣଙ୍କୁ ଦଳରେ ନେଇ ପ୍ରକାରାନ୍ତରେ ‘ନେତା ଶିକାର’ କ୍ଷେତ୍ରରେ ଆଗୁଆ ରହିଥିବା ବେଳେ ବିଜେପି ମଧ୍ୟ ପଛରେ ନ ପଡ଼ି ବିଜେଡିରୁ ଜଣକୁ ଟାଣି ସାରିଛି । 

ବିଜେଡି ଗଠନ ହେବା ପରଠାରୁ ସୁନ୍ଦରଗଡ଼ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀରୁ ତଳସରାରୁ ବିଜେଡି ଥରେ ହେଲେ ଜିଣି ପାରିନାହିଁ । ପ୍ରତି ଥର ନିର୍ବାଚନ ବେଳେ ବିଜେଡି ସମସ୍ତ ରଣକୌଶଳ ପ୍ରୟୋଗ କରୁଥିଲେ ବିଜୟୀ ହୋଇପାରୁନି । ୨୦୦୦ରୁ ୨୦୦୯ ଯାଏଁ ବିଜେଡି-ବିଜେପି ମେଣ୍ଟ ଥିବାରୁ ତଳସରାରୁ ବିଜେପି ପ୍ରାର୍ଥୀ ଦେଉଥିଲା । ୨୦୦୪ର ବିଧାୟକ ଗଜାଧର ମାଝୀଙ୍କ ବିୟୋଗ ପରେ ଉପ ନିର୍ବାଚନରେ କଂଗ୍ରେସ ଜିଣିଥିଲା । 

ତଳସରାରୁ ବିଧାୟକ ଲକ୍ଷ୍ୟ ରଖି ମୋଟା ଅଙ୍କର ଚାକିରି ଛାଡ଼ି ଆସିଥିବା ହକି ତାରକା ପ୍ରବୋଧ ତିର୍କୀଙ୍କୁ ଦଳରେ ଆପଣେଇ ପ୍ରଥମେ କଂଗ୍ରେସ ସମସ୍ତଙ୍କୁ ଚକିତ କରିଥିଲା । ଏହା ପରେ ତଳସରାର ପ୍ରାକ୍ତନ ଜନତା ଦଳ ବିଧାୟକ ରଣଜିତ ଭିତିରିଆଙ୍କୁ କଂଗ୍ରେସ କୋଳେଇ ନେଲା । ଏଭଳି ପରିସ୍ଥିତି ଦେଖି ବିଜେପି ଚୁପ୍‌ ରହିନଥିଲା । ୨୦୧୪ରେ ଟିକେଟ ଆଶାରେ ଉଦ୍ୟମ ଚଳାଇଥିବା ଓ ଟିକେଟ ପାଇବାରେ ବିଫଳ ହେବା ପରେ ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ଭିତିରିଆଙ୍କୁ ବିଜେପି ଦଳକୁ ଫେରାଇ ଆଣିଲା । ଏଭଳି ପଦକ୍ଷେପ ମାଧ୍ୟମରେ କଂଗ୍ରେସ ଓ ବିଜେପିରେ  ପ୍ରସ୍ତୁତି ଚାଲିଥିବା ବେଳେ ବିଜେଡି ନିଜ ନିଜ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ନେଇ ପ୍ରସ୍ତୁତି ଚଳାଇଛି । 

ବିଜେଡି ତଳସରାରେ ଏକାକୀ ନିର୍ବାଚନ ଲଢ଼ିବା ପରଠୁଁ ଦୁଇଟି ଯାକ ନିର୍ବାଚନରେ ପ୍ରାର୍ଥୀ ବଦଳ କରିଥିବାରୁ ଆଗାମୀ ପାଳିରେ କିଏ ଟିକେଟ ପାଇବ, ସେ ନେଇ କେହି କିଛି ଆକଳନ କରିପାରୁନାହାନ୍ତି । ୨୦୧୪ରେ ବିନୟ ଟପ୍ପୋ, ୨୦୧୯ରେ ଷ୍ଟିଫେନ୍‌ ସୋରେନ ନିର୍ବାଚନ ଲଢ଼ିଥିବା ବେଳେ ଆଗାମୀ ନିର୍ବାଚନ ପାଇଁ ପୂର୍ବତନ ବିଧାୟକ ଡାକ୍ତର ପ୍ରଫୁଲ୍ଲ ମାଝୀ, ଅମୀୟ ପ୍ରଧାନ, ବିନୟ ଟପ୍ପୋଙ୍କ ନାମ ପ୍ରମୁଖ ଭାବେ ଚର୍ଚ୍ଚାରେ ରହିଛି । ଡାକ୍ତର ମାଝୀ ବିଜେଡିରେ ୨୦୧୯ ପୂର୍ବରୁ ଯୋଗ ଦେଇଥିଲେ ମଧ୍ୟ ତାଙ୍କୁ ବିଜେଡି ଟିକେଟ ଦେଇନଥିଲା। ଲଢ଼ି ହାରିଥିଲେ ଯୁବ ନେତା ଷ୍ଟିଫେନ୍‌ । ହେଲେ ଷ୍ଟିଫେନ୍‌ ଏବେ ବିଶେଷ ସକ୍ରିୟ ନାହାନ୍ତି । 

ଡାକ୍ତର ପ୍ରଫୁଲ୍ଲ ମାଝୀ ଉଭୟ ଲୋକସଭା କିମ୍ବା ବିଧାନସଭା ନିର୍ବାଚନ ପାଇଁ ପ୍ରତ୍ୟାଶୀ ଥିବା ନେଇ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ଥିବାବେଳେ ସେ ନିଜେ କହୁଛନ୍ତି, ବିଜେଡି ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ । ସେହିପରି ବିନୟ ଟପ୍ପୋ ସୁନ୍ଦରଗଡ଼ ବିକାଶ ପରିଷଦର ଅଧ୍ୟକ୍ଷ ଥିବାରୁ ଟିକେଟ ସମ୍ଭାବନା ଅଧିକ । ଡାକ୍ତର ମାଝୀ କଂଗ୍ରେସ ଟିକେଟରେ ତିନିଥର ଲଗାତାର ବିଧାୟକ ହେବାପରେ ତଳସରା ଆସନକୁ ବିଜେପି ୨୦୧୯ରେ ତାଙ୍କଠାରୁ ଛଡ଼େଇ ନେଇଛି । ସେହିପରି ପ୍ରାକ୍ତନ ମନ୍ତ୍ରୀ ଗଙ୍ଗାଧର ପ୍ରଧାନଙ୍କ ପୁଅ ଅମୀୟ ପ୍ରଧାନ ବିଜେଡି ଟିକେଟ ପାଇଁ ଜଣେ ଟାଣୁଆ ପ୍ରତ୍ୟାଶୀ । 

ଏବେ ବିଜେପିରୁ ବିଧାୟକ ରହିଛନ୍ତି ଭବାନୀ ଶଙ୍କର ଭୋଇ । ବିଜେପିରୁ ଭବାନୀଙ୍କ ବ୍ୟତୀତ ସୁରେନ୍ଦ୍ର ଭିତିରିଆ ଏକ ପ୍ରମୁଖ ପ୍ରତ୍ୟାଶୀ ତଥା ଦାବିଦାର ରହିଛନ୍ତି । ସେହିପରି କଂଗ୍ରେସରୁ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ତଥା ଗତପାଳିରେ ସୁନ୍ଦରଗଡ଼ ସଦର ଆସନରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ଅମିତା ବିଶ୍ୱାଳଙ୍କ ନାମ ରହିଛି। ତାଙ୍କ ବ୍ୟତୀତ ପ୍ରାକ୍ତନ ବିଧାୟକ ରଞ୍ଜିତ ଭିତିରିଆଙ୍କ ଭାଇ ଦେବେନ୍ଦ୍ର ଭିତିରିଆ ମଧ୍ୟ ସକ୍ରିୟ ହୋଇ ଅଞ୍ଚଳରେ ବୁଲାବୁଲି କରୁଛନ୍ତି । କଂଗ୍ରେସର ଯୁବନେତା ଆଲବର୍ଟ କିଣ୍ଡୋ ମଧ୍ୟ ପ୍ରତ୍ୟାଶୀ । ହକିତାରକା ପ୍ରବୋଧ ତିର୍କୀ, ଜଗବନ୍ଧୁ ଭୋଇଙ୍କ ନାମ ମଧ୍ୟ କଂଗ୍ରେସ ପ୍ରତ୍ୟାଶୀ ତାଲିକାରେ ଥିବା ବେଳେ ମହିଳାଙ୍କ ପାଇଁ ଆସନ ସଂରକ୍ଷିତ ହେଲେ ଏକାଧିକବାର ପଞ୍ଚାୟତ ନିର୍ବାଚନରେ ଜିଣିଥିବା ନେତ୍ରୀ ଗୋରେଟି ଖେସ୍‌ ଟିକେଟ୍‌ ପାଇବା ନେଇ ଆଶାବାଦୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.