ମଧୁବନୀ: ଜିଲ୍ଲାପାଳଙ୍କ କାର ତଳେ ଚାପି ହୋଇ ୩ ଜଣ ନିରୀହ ଲୋକଙ୍କ ଜୀବନ ଚାଲିଯାଇଛି । ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ବିହାରର ମଧେପୁରା ଜିଲ୍ଲାପାଳ ବିଜୟ ପ୍ରକାଶ ମୀନାଙ୍କ କାର ମଧୁବନୀ ଜିଲ୍ଲା ଜାତୀୟ ରାଜପଥ ୫୭ ଉପରେ ୪ ଜଣଙ୍କୁ ଧକ୍କା ଦେଇ ଡିଭାଇଡରରେ ପିଟି ହୋଇଥିଲା । ତେବେ ମଧୁବନୀ ଏସପି ସୁଶିଲ କୁମାରଙ୍କ କହିବା ଅନୁଯାୟୀ, ଦୁର୍ଘଟଣା ସମୟରେ ଜିଲ୍ଲାପାଳ କାରରେ ଥିଲେ କି ନାହିଁ ଜଣାପଡ଼ି ନାହିଁ ।
ସେପଟେ କାରରେ ଥିବା ଯାତ୍ରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ, ଜିଲ୍ଲାପାଳଙ୍କ କାର ତୀବ୍ର ଗତିରେ ଯାଉଥିବା ବେଳେ ରାସ୍ତା ପାର ହେଉଥିବା କିଛି ଲୋକଙ୍କୁ ବଞ୍ଚାଇବାକୁ ଯାଇ ବ୍ରେକ ଦେଇଥିଲା । ହେଲେ ନିୟନ୍ତ୍ରଣ ହରାଇ କାରଟି ଅନ୍ୟ ୪ ଜଣଙ୍କୁ ଧକ୍କା ଦେଇଥିଲା । ଏସପିଙ୍କ ଅନୁସାରେ, ମୃତକମାନେ ହେଲେ ସ୍ଥାନୀୟ ବାସିନ୍ଦା ଗୁଡ଼ିୟା ଦେବୀ (୨୯) ଏବଂ ତାଙ୍କ ଝିଅ ଆରତୀ କୁମାରୀ (୧୦) । ଏହା ସହ ରାଜସ୍ଥାନ ବାସିନ୍ଦା ତଥା ରାଜମାର୍ଗ ନିର୍ମାଣ କର୍ମଚାରୀ ଅଶୋକ ସିଂହ ଏବଂ ରାଜୁ ସିଂହଙ୍କୁ ମଧ୍ୟ ଜିଲ୍ଲାପାଳଙ୍କ କାର ଧକ୍କା ଦେଇଛି ।
ଅନ୍ୟପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାଜପଥ ଅବରୋଧ କରିଥିଲେ । ହେଲେ ପୋଲିସ ବୁଝାସୁଝା କରିବା ପରେ ଉତ୍ତ୍ୟକ୍ତ ଲୋକେ ଆନ୍ଦୋଳନରୁ ଓହରିବା ସହ ଯାତାୟତ ସ୍ବଭାବିକ ହୋଇଛି । ଏହା ସହ ଏକ ମାମଲା ରୁଜୁ ହୋଇଥିବା ବେଳେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ସେପଟେ ମଧେପୁରା ଜିଲ୍ଲା ପ୍ରଶାସନ ଏହି ଦୁର୍ଘଟଣା ସଂପର୍କରେ କିଛି କହିବାକୁ ମନା କରିଥିବା ବେଳେ ଜିଲ୍ଲାପାଳ ଦୁର୍ଘଟଣା ସମୟରେ କେଉଁଠି ଥିଲେ ସେନେଇ ସ୍ପଷ୍ଟ ହୋଇପାରି ନାହିଁ ।