ମୁମ୍ୱାଇ, ୧୦।୯: ବଲିଉଡ୍ର କିଙ୍ଗ୍ ଖାନ୍ ଶାହରୁଖ ଖାନ୍ । ବଲିଉଡ୍ ସମେତ ନିଜ ଫ୍ୟାନ୍ସଙ୍କ ହୃଦୟରେ ରାଜ୍ କରନ୍ତି ଶାହରୁଖ୍ । ନିକଟରେ ତାଙ୍କ ଅଭିନୀତ ସିନେମା ଜୱାନ୍ ସେପ୍ଟେମ୍ୱର ୭ରେ ରିଲିଜ୍ ହୋଇଛି । ଏହାକୁ ନେଇ କିଙ୍ଗ୍ ଖାନ୍ ଏବେ ବେଶ୍ ଚର୍ଚ୍ଚାରେ । ତେଣୁ ସେ ସୋସିଆଲ ମିଡିଆରେ ଲଗାତାର ନିଜ ଫ୍ୟାନ୍ସଙ୍କ ସହ ଯୋଡ଼ିହୋଇ ରହିଛନ୍ତି । ସେହିପରି ଦେଶ ଓ ବିଦେଶରେ ଶାହରୁଖ୍ ଖାନ୍ଙ୍କର ଅଛନ୍ତି ଲକ୍ଷ ଲକ୍ଷ ପ୍ରଶଂସକ । ଏହି ସିନେମା ଦେଖିବା ପାଇଁ ଆଗୁଆ ଟିକେଟ୍ ବୁକ୍ କରିଥିଲେ ତାଙ୍କ ପ୍ରଶଂସକ । ଏହି କ୍ରମରେ ଶାହରୁଖ୍ ଖାନ୍ଙ୍କ ଜଣେ ବଡ଼ ପ୍ରଶଂସକଙ୍କ ଏଭଳି କାର୍ଯ୍ୟ ଦେଖି ସମସ୍ତେ ଚକିତ ।
ଜୱାନ୍ ସିନେମା ଦେଖିବା ପାଇଁ ଜଣେ ବ୍ୟକ୍ତି ପୂରା ହଲ୍ ବୁକ୍ କରିଛନ୍ତି । ଯାହାକି ଏବେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଏହି ବ୍ୟକ୍ତିଙ୍କ ନାଁ ବେଦାନ୍ତ ରାଠୋଡ଼ ବୋଲି ଜଣାପଡ଼ିଛନ୍ତି । ବେଦାନ୍ତ ଏଭଳି କାର୍ଯ୍ୟ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି କଥା ସେ ତାଙ୍କ ଟ୍ୱିଟର୍ ଆକାଉଣ୍ଟରେ ଜଣାଇଛନ୍ତି । ଏଥିରେ ସେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ମୁଣ୍ଡ ଓ ହାତରେ ସେ ଟିକେଟ୍ ଗୁଡ଼େଇ ହୋଇ ବସି ରହିଥିବାର ଦେଖାଯାଉଛି । ଜୱାନ୍ ଫିଲ୍ମ ପାଇଁ ସେ ପୂରା ହଲ୍ ବୁକ୍ କରିଥିବା ଏହି ଫଟୋରେ ଲେଖିଛନ୍ତି ।
ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ନିଜର ୩୬ଟି ପ୍ରେମିକା, ୭୨ ଜଣ ପୂର୍ବତନ ପ୍ରେମିକା ଏବଂ ୮୦ ସାଙ୍ଗସାଥୀଙ୍କ ସହ ମିଶି ସିନେମା ଦେଖିବାକୁ ଯାଇଥିଲେ । ଯେଉଁଥିରେ ସେ ତାଙ୍କର ଏହି ପୋଷ୍ଟକୁ ଶାହରୁଖ୍ ଖାନ୍ଙ୍କୁ ଟ୍ୟାଗ୍ କରିଛନ୍ତି । ଶାହରୁଖ୍ ଖାନ୍ ମଧ୍ୟ ଏଥିରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଏଥିରେ ସେ ଲେଖିଛନ୍ତି ବାଃ ତୁମେ ଯୌବନର ଖୁବ୍ ମଜା ନେଉଛ । ଅନ୍ୟପଟେ ଏହାକୁ ନେଇ ଅନେକ ୟୁଜର୍ସ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ବେଦାନ୍ତ ନିଜ ଟ୍ୱିଟର୍ ପ୍ରୋଫାଇଲ୍ରେ ମଧ୍ୟ ଶାହରୁଖ୍ ଖାନ୍ଙ୍କ ଫଟୋ ରଖିଛନ୍ତି । ଶାହରୁଖ୍ ଖାନ୍ଙ୍କ ଅଭିନୀତ ଫିଲ୍ମ ଜୱାନ୍ ଗତକାଲି ସିନେମା ହଲ୍ରେ ରିଲିଜ୍ ହୋଇଥିବା ବେଳେ ଏଥିରେ ବିଜୟ ସେତୁପତି ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।