ବ୍ରହ୍ମପୁର, ୨୨/୦୮ : ଜୁନ୍ ମାସରେ ଭୁବନେଶ୍ୱରରେ ଡ୍ରେନ୍ରେ ଭାସିଯାଇ ଜଣେ ଶିଶୁର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା । ଏହି ଘଟଣା ପରେ ମୁକୁଳା ଡ୍ରେନ୍ ଢାଙ୍କିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶ ଦେଇଥିଲା । ମାତ୍ର ଘଟଣାର ଦୁଇ ମାସ ପରେ ବ୍ରହ୍ମପୁର ସହରରେ ଘଟିଛି ଏକାଭଳି ଘଟଣା। ଯାହାକି ଆଲୋଡ଼ନ ଖେଳାଇ ଦେଇଛି। ବୁଧବାର ସନ୍ଧ୍ୟା ପ୍ରାୟ ୮ଟାରେ ଲକ୍ଷ୍ମୀନୃସିଂହ ସାହି ନିକଟ ଡ୍ରେନ୍ରେ ଭାସିଯାଇ ଜଣେ ୧୧ ବର୍ଷର ଛାତ୍ର ସାଇରାମ ପାତ୍ରର ମୃତ୍ୟୁ ହୋଇଛି। ଏମିତି ଏକ ଅଘଟଣକୁ ସହରବାସୀ ବିଶ୍ୱାସ କରିପାରୁନାହାନ୍ତି।
ବୁଧବାର ସନ୍ଧ୍ୟାରେ ଆକସ୍ମିକ ଭାବେ ପ୍ରବଳ ବର୍ଷା ହୋଇଥିଲା । ଦୀର୍ଘ ଦୁଇ ଘଣ୍ଟାର ବର୍ଷା ଯୋଗୁଁ ଡ୍ରେନ୍ ଉଛୁଳିବା ସହ ପାଣି ରାସ୍ତାରେ ଭାସିଥିଲା । ଲକ୍ଷ୍ମୀନୃସିଂହ ସାହି ୧୨ନଂ ଲେନ୍ର ଶିବା ପାତ୍ରଙ୍କ ପୁଅ ସାଇରାମ ସନ୍ଧ୍ୟାରେ ଟ୍ୟୁସନ୍ ଯାଇଥିଲେ । ଟ୍ୟୁସନ୍ରୁ ଫେରି ଘରେ ପହଞ୍ଚି ବହି ବ୍ୟାଗ୍ ରଖିଥିଲେ ଏବଂ ସନ୍ଧ୍ୟା ୮ଟାରେ ସାଇକେଲ୍ ନେଇ ପୁଣି ବାହାରକୁ ଚାଲି ଯାଇଥିଲେ । ବର୍ଷା ହେଉଥିବାରୁ ଘର ଲୋକ ସାଇରାମଙ୍କୁ ବାହାରକୁ ଯିବାକୁ ମନା କରିଥିଲେ । ମାତ୍ର ସାଇରାମ ନଶୁଣି ଚାଲି ଯାଇଥିଲେ । ଲକ୍ଷ୍ମୀନୃସିଂହ ସାହି ୧୧ନଂ ଲାଇନ୍ ଓ ୧୨ନଂ ଲାଇନ୍କୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ୱ ନାଳକୁ ସାଇକେଲ୍ ସହ ଖସି ପଡ଼ିଥିଲେ ସାଇରାମ । ପାଖରେ ଥିବା କିଛି ଲୋକ ଉଦ୍ଧାର ପାଇଁ ତତ୍କ୍ଷଣାତ ପହଞ୍ଚି ଉଦ୍ୟମ କରିଥିଲେ । ଏପରିକି ଜଣେ ବ୍ୟକ୍ତି ସାଇରାମଙ୍କ ହାତକୁ ଧରି ସାରିଥିଲେ । ଓଦା ହାତ ଯୋଗୁଁ ହାତରୁ ଖସି ନାଳରେ ଭାସିଯାଇଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ ଲକ୍ଷ୍ମୀନୃସିଂହ ସାହିରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ପରେ ଦୁଇଟି ଜେସିବି ଉଦ୍ଧାର କାମରେ ଲାଗିଥିଲେ । ବିଏମ୍ସି କମିସନର୍ ଭବାନୀ ପ୍ରସାଦ ମିଶ୍ର, ଡେପୁଟି କମିଶନର୍ ଆଶୀର୍ବାଦ ପରିଡ଼ା, କର୍ପୋରେଟର୍ ଆପ୍ପା ରାଓ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ସମସ୍ତ ଉଦ୍ୟମ ସତ୍ତ୍ଵେ ଦୀର୍ଘ ୫ ଘଣ୍ଟା ପରେ ବିଳମ୍ବିତ ରାତି ପ୍ରାୟ ୧ଟା ୧୫ରେ ସାଇରାମଙ୍କ ମୃତଦେହ ଖସିପଡ଼ିଥିବା ସ୍ଥାନଠାରୁ ୫୦୦ ମିଟର ଦୂରରୁ ମିଳିଥିଲା ।
ତେବେ ଏଭଳି ଘଟଣା ପ୍ରଥମ ନୁହେଁ। ପ୍ରତିବର୍ଷ ଡ୍ରେନ୍ରେ ଭାସିଯାଇ ଏଭଳି ବହୁ ନୀରିହ ଲୋକଙ୍କ ଜୀବନ ଯାଉଛି। ପ୍ରଶାସନିକ ଅବହେଳା ଯୋଗୁଁ ମୁକୁଳା ଡ୍ରେନ୍ ଆଁ କରି ବସିଛି। ଡ୍ରେନେଜ୍ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ସତ, ହେଲେ ଫଳ ଶୂନ। ଅନ୍ୟ ସହର କଥା ଛାଡ଼ ମୁକୁଳା ଡ୍ରେନ୍ ପାଇଁ ଦୁର୍ନାମ ମୁଣ୍ଡାଇଛି ସ୍ମାର୍ଟ ସିଟି ଭୁବନେଶ୍ଵର। କେତେବେଳେ ବିଦେଶୀ ନାଗରିକ ଡ୍ରେନ୍ରେ ଖସି ଗଲେଣି ତ କେତେବେଳେ ଡ୍ରେନ୍ରେ ଖସି କାହାର ଗୋଡହାତ ଭାଙ୍ଗିଗଲାଣି।
ମୁକୁଳା ଡ୍ରେନ୍ରେ ଯାଇଥିବା ଜୀବନ
୨୦୨୪ ଜୁନ୍ ୧୮ : ଭୁବନେଶ୍ଵର ୟୁନିଟ୍-୮ ମସଜିଦ କଲୋନୀ ଅଞ୍ଚଳର ଏସ୍.କେ.ରାଜେଶ ନାମକ ଜଣେ ୮ ବର୍ଷୀୟ ନାବାଳକଙ୍କ ମୃତ୍ୟୁ।
୨୦୨୧ ସେପ୍ଟେମ୍ବର ୧୯: ଶତାବ୍ଦୀ ନଗର ଦେଇ ଯାଇଥିବା ଡ୍ରେନ୍ ନମ୍ବର -୮ (ଏ)ରେ ବରମୁଣ୍ଡା ଢ଼ିପସାହିର ଜ୍ୟୋତିପ୍ରକାଶ ବେହେରା ନାମକ ଜଣେ ନାବାଳକ ଭାସିଯାଇ ମୃତ ।
୨୦୧୯: ଏକାମ୍ର ଭିଲ୍ଲା ରାସ୍ତାରେ ଖୋଲା ଡ୍ରେନ୍ରେ ପଡ଼ି ୬୫ ବର୍ଷୀୟା ମହିଳା ମୃତ ।
୨୦୧୮ ଅଗଷ୍ଟ: ୟୁନିଟ୍-୪ର ପିଚୁପଡ଼ିଆ ବସ୍ତିର ବାସିନ୍ଦା ହରି ପଟ୍ଟନାୟକ ଖୋଲା ଡ୍ରେନ୍ରେ ପଡ଼ି ପ୍ରାଣ ହରାଇଥିଲେ।
୨୦୧୭: ପ୍ରବଳ ବର୍ଷାରେ ଉଛୁଳା ଡ୍ରେନ୍ରେ ପଡ଼ି ଚନ୍ଦ୍ରଶେଖରପୁର ଅଞ୍ଚଳର ଦୁଇ ବ୍ୟକ୍ତିଙ୍କ ମୃତ୍ୟୁ।
୨୦୧୫: ନୂଆପଲ୍ଲୀର ମମ୍ତାଜ ଅଲ୍ଲୀ ହାଇସ୍କୁଲ୍ ନିକଟରେ ଡ୍ରେନ୍ରେ ଭାସିଯାଇ ୯ ବର୍ଷର ବାଳକଙ୍କ ମୃତ୍ୟୁ।