ବଣାଇ,୧୮/୦୯: କିଏ କେବେ ଦେଖିଛ କି କଳାକାର କାନ୍ଦିବାର ! କିନ୍ତୁ କଳାକାରଟିଏ ଅଭିନୟରେ ମିଛ ଲୁହ ନୁହେଁ ବରଂ ବାପା ମୃତ୍ୟୁ ଖବର ପାଇ ମନରେ କୋହକୁ ଚାପି ଦେଇ ଦର୍ଶକଙ୍କ ପାଇଁ ନିଜ ଅଭିନୟ ଜାରି ରଖିଲେ ଜଣେ ଆଗ ଧାଡ଼ିର ଯାତ୍ରା ଅଭିନେତ୍ରୀ ଟିକିନା । ମଙ୍ଗଳବାର ରାତିରେ କୋଇଡା ପଡିଆ ଠାରେ ସ୍ୱପ୍ନମହଲ ଯାତ୍ରା କ୍ୟାମ୍ପରେ ଏମିତି ଏକ ଘଟଣା ଘଟିଛି ।
ମଞ୍ଚରେ ପ୍ରଥମ ଥର ପାଇଁ ମଞ୍ଚସ୍ଥ ହେଉଥାଏ ନୁଆ ନାଟକ "ଚକା ଆଖି ମୋ ଶେଷ ସାକ୍ଷୀ" । ପ୍ରଥମ ଥର ପାଇଁ ନାଟ୍ୟକାର, ନିର୍ଦ୍ଦେଶକ, ଲେଖକଙ୍କ ଉପସ୍ଥିତି ସମେତ ଶହ ଶହ ଦର୍ଶକ ଆଗରେ ଚାଲିଥାଏ ନାଟକ । ମୁଖ୍ୟ ଭୂମିକାରେ ଥାଆନ୍ତି ଅଭିନେତ୍ରୀ ଟିକିନା ସ୍ୱାଇଁ । ଠିକ୍ ଦୁଇଟି ସିନ୍ ପରେ ସାଥୀ କଳାକାର ମୁନା ଓ ମୁଖ୍ୟ ଭିଲିଆନ୍ ଭୁମିକାରେ ଥିବା ତାଙ୍କ ସ୍ୱାମୀ ସୁଭେନ୍ଦୁ ଚୌଧୁରୀ ପାଖକୁ ନିଆଳିରୁ ଭାଇଙ୍କ କଲ୍ ଆସିଲା । ଏହି କଲ୍ରେ ଭାଇ ବାପା ଚାଲିଯିବା ନେଇ ଖବର ଦେଇଥିଲେ । ଧର୍ମ ସଙ୍କଟରେ ପଡିରହି ଜ୍ୱାଇଁ ଟିକିନାଙ୍କୁ ନ କହିବାକୁ ସମସ୍ତଙ୍କୁ କହିଥିଲେ । ନାଟକ ଜାରି ରହିବା ଆବଶ୍ୟକ, କାରଣ ଟିକିନା ନାଟକର ମୁଖ୍ୟ ନାୟିକା ଥିଲେ ।
ହେଲେ କିଛି ସମୟ ପରେ ଟିକିନା ଏ ବିଷୟରେ ଜାଣି ପାରିଥିଲେ । ହେଲେ ଦର୍ଶକଙ୍କ ଆଗରେ ଅଧା ନାଟକ ଛାଡି ଥାଆନ୍ତେ କେମିତି । ମନରେ କୋହକୁ ଚାପି ଛଳ ଛଳ ଆଖିରେ ସମ୍ପୁର୍ଣ୍ଣ କଲେ ନାଟକ । ହେଲେ ନାଟକରେ ଅଭିନୟ ଲୁହ ସ୍ଥାନରେ ଥିଲା ସତସତିକା ଲୁହ । ଏହାକୁ ନେଇ ନାଟକ ନିର୍ଦ୍ଦେଶକ, ନାଟ୍ୟକାର, ସାଥୀ କଳାକାର ଦୁଖ ପ୍ରକାଶ ସହ କହିଥିଲେ ଏ ହେଉଛି କଳାକାର ମାନଙ୍କ ଜୀବନ ।