ନୂଆଦିଲ୍ଲୀ,୧୪/୧୧: ପାରିବାରିକ ବିବାଦର କେନ୍ଦ୍ର ପାଲଟିଥିବା ଦେଶର ବଡ଼ କର୍ପୋରେଟ୍ ହାଉସ୍ 'ରେମଣ୍ଡ୍ ଫ୍ୟାମିଲି'ର ଆଉ ଏକ ବିବାଦ ଏବେ ଘରର ଚାରି କାନ୍ଥ ଭିତରୁ ବାହାରି ରାଜରାସ୍ତାରେ ପହଞ୍ଚିଛି। ଏହାପୂର୍ବରୁ ରେମଣ୍ଡର ପ୍ରତିଷ୍ଠାତା ବିଜୟପତ ସିଙ୍ଗାନିଆ ଏବଂ ତାଙ୍କ ପୁଅମାନଙ୍କ ସହ ବିବାଦ ଗଣମାଧ୍ୟମର ହେଡଲାଇନ ରହିଆସିଛି। ସଦ୍ୟତମ ବିବାଦ ହେଉଛି କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଗୌତମ ସିଙ୍ଗାନିଆଙ୍କ ଠାରୁ ତାଙ୍କ ପତ୍ନୀ ନୱାଜ ମୋଦୀ ଏବେ ଅଲଗା ହେବାକୁ ଯାଉଛନ୍ତି।
ଗୌତମ ସିଙ୍ଗାନିଆ ଏବଂ ନୱାଜ ମୋଦୀଙ୍କ ବିବାହକୁ ୩୨ ବର୍ଷ ବିତିଯାଇଛି। ତାଙ୍କର ଦୁଇଟି ଝିଅ ରହିଛନ୍ତି ନିହାରିକା ଏବଂ ନୀଶା। ତାଙ୍କ ପତ୍ନୀଙ୍କଠାରୁ ଅଲଗା ହେବା ବିଷୟରେ ଗୌତମ ସିଙ୍ଘାନିଆ ଟ୍ୱିଟରରେ ଏକ ଲମ୍ବା ପୋଷ୍ଟ ସେୟାର କରିଛନ୍ତି। ନୱାଜ ମୋଦୀଙ୍କ ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ରେମଣ୍ଡ ପରିବାରର ବାସଭବନ 'ଜେ.କେ ଗ୍ରାମ' ବାହାରେ ଏକ ଧାରଣାରେ ବସିଥିବାର ନଜର ଆସିଛନ୍ତି।
ସାମାଜିକ ଗଣମାଧ୍ୟମରେ କ'ଣ ଲେଖିଛନ୍ତି ଗୌତମ?
ରେମଣ୍ଡର ଏମ୍ଡି ଗୌତମ ସିଙ୍ଘାନିଆ ଏକ ଅତ୍ୟନ୍ତ ଭାବପ୍ରବଣ ପୋଷ୍ଟ ସେୟାର କରି ଲେଖିଛନ୍ତି, “ଚଳିତ ବର୍ଷର ଦିପାବଳୀ ଗତ କିଛି ବର୍ଷ ଭଳି ନଥିଲା। ଆମେ ୩୨ ବର୍ଷ ସ୍ୱାମୀ ଏବଂ ସ୍ତ୍ରୀ ଭାବେ ଏକାଠି ରହୁଥିଲୁ, ପିତାମାତା ହୋଇଥିଲୁ ଏବଂ ସବୁବେଳେ ପରସ୍ପରରର ସାହସ ପାଲଟିଥିଲୁ। ଆମେ ପ୍ରତିବଦ୍ଧତା ଏବଂ ବିଶ୍ୱାସ ସହିତ ଜୀବନରେ ଆଗକୁ ବଢ଼ିଥିଲୁ ଏବଂ ଏହାରି ଭିତରେ ଆମର ଦୁଇ ଝିଅ ଜନ୍ମ ହୋଇଥିଲେ।
କିନ୍ତୁ ନିକଟ ଅତୀତରେ ଏହିପରି ଅନେକ ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଯଦ୍ଦ୍ବାରା ଆମକୁ ନେଇ ଅନେକ ଅପପ୍ରଚାର ଏବଂ ଗୁଜବ ଜନ୍ମ ହେଲା। ବର୍ତ୍ତମାନ ନୱାଜ ଏବଂ ମୁଁ ସ୍ଥିର କରିଛୁ ଯେ ଆମେ ଆମ ଜୀବନରେ ଅଲଗା ବାଟ ଦେଖିବୁ। ଆମେ ଅଲଗା ରହିବୁ ସତ କିନ୍ତୁ ହୀରେ ପରି ଆମ ଝିଅମାନଙ୍କ ପାଇଁ ଯାହା ଭଲ ହେବ, ତାହା ଆମେ କରିବୁ। ଆଶାକରେ, ଆପଣ ଏହି ବ୍ୟକ୍ତିଗତ ନିଷ୍ପତ୍ତିକୁ ସମ୍ମାନ ଜଣାଇବେ। ଏହି କଠିନ ସମୟରେ, ଆମେ ଆପଣଙ୍କର ଏବଂ ପରିବାରର ସମସ୍ତ ପ୍ରାର୍ଥନା ଆବଶ୍ୟକ କରୁ। "
ପଢ଼ନ୍ତୁ: ସୈନିକଙ୍କୁ ସାକ୍ଷାତ କଲେ ନେତାନ୍ୟାହ୍ୟୁ; କହିଲେ,'ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିବ ଇସ୍ରାଏଲ'
ସୂଚନାଥାଉକି ଗୌତମ ସିଙ୍ଘାନିଆଙ୍କ ପତ୍ନୀ ନୱାଜ ମୋଦୀଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ସିଙ୍ଗାନିଆ ପରିବାର ପକ୍ଷରୁ ପ୍ରଥମେ ତାଙ୍କୁ ପାର୍ଟିରେ ନିମନ୍ତ୍ରଣ କରିବା ସହିତ ସେମାନଙ୍କୁ ‘ଜେ.କେ ଗ୍ରାମ’ର ଫାଟକ ବାହାରେ ପ୍ରାୟ ୩ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା ଏବଂ ପରେ ସେମାନଙ୍କୁ ପ୍ରବେଶ ପାଇଁ ମନା କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ରେମଣ୍ଡ ପରିବାରର ଏହି ବିବାଦର ଅନ୍ତ କେବେ ହେଊଛି, ତାକୁ ହିଁ ଅପେକ୍ଷା।
You can also read:
ଆଜି ଶିଶୁ ଦିବସ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଜୟନ୍ତୀ