ନୂଆଦିଲ୍ଲୀ,୦୯/୦୮: ମଧ୍ୟ ପ୍ରାଚ୍ୟର କେତେକ ଅଞ୍ଚଳରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ ତୁରନ୍ତ ପ୍ରଭାବ ସ୍ବରୁପ ଇସ୍ରାଏଲର ତେଲ ଅଭିବକୁ ଏହାର ବିମାନ ଉଡ଼ାଣକୁ ସ୍ଥଗିତ ରଖିଛି। ଆଗାମୀ ନୋଟିସ ପର୍ଯ୍ୟନ୍ତ ଏହି ସେବାଗୁଡିକ ସ୍ଥଗିତ ରହିବ ବୋଲି ଏୟାରଲାଇନ୍ସ କହିଛି। ଏୟାର ଇଣ୍ଡିଆ କହିଛି ଯେ 'ସେଠାକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ବିମାନ ସେବା ପକ୍ଷରୁ ତେଲ ଆଭିବ ଯିବାକୁ ଥିବା ଯାତ୍ରୀ ଏବଂ ସେଠାରୁ ଫେରିବାକୁ ଟିକେଟ୍ ନିଶ୍ଚିତ ହୋଇଥିବା ଯାତ୍ରୀମାନଙ୍କୁ ଫେରସ୍ତ ମଧ୍ୟ ପ୍ରଦାନ କରିଛି।
ବିମାନ ସେବା ପକ୍ଷରୁ କୁହାଯାଇଛି ଯେ, ଆମର ଅତିଥି ଏବଂ କର୍ମଚାରୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ଅଟେ। ଅଧିକ ସୂଚନା ପାଇଁ ଏୟାର ଇଣ୍ଡିଆ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଜାରି କରିଛି। ଯାତ୍ରୀମାନେ ୦୧୧-୬୯୩୨୯୩୩୩ / ୦୧୧-୬୯୩୨୯୯୯୯ କୁ କଲ କରି ଅଧିକ ସୂଚନା ପାଇପାରିବେ। ଟାଟା ଗ୍ରୁପ୍ ମାଲିକାନା କମ୍ପାନୀ ଏହା ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀରୁ ତେଲ ଅଭିବ ପର୍ଯ୍ୟନ୍ତ ଅଗଷ୍ଟ ୮ ପର୍ଯ୍ୟନ୍ତ ଏହାର ସେବାକୁ ସ୍ଥଗିତ ରଖିଥିଲା।
ହମାସ୍ ମୁଖ୍ୟଙ୍କ ମୃତ୍ୟୁ ପରଠାରୁ ସେଠାକାର ସ୍ଥିତି ଚିନ୍ତାଜନକ:
ଇରାନରେ ହମାସ ମୁଖ୍ୟ ଇସ୍ମାଇଲ ହାନିଆଙ୍କ ମୃତ୍ୟୁ ପରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଏହାରି ଭିତରେ ଆମେରିକାର ଗଣମାଧ୍ୟମ ଏକ୍ସିଓସ ଦାବି କରିଛି ଯେ ଆମେରିକା ଏବଂ ଇସ୍ରାଏଲର ଅଧିକାରୀଙ୍କ ଅନୁଯାୟୀ ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ। ଇରାନର ଆକ୍ରମଣର ମୁକାବିଲା ପାଇଁ ଇସ୍ରାଏଲକୁ ସାହାଯ୍ୟ କରିବା ପାଇଁ ଆମେରିକାର ସେଣ୍ଟ୍ରାଲ କମାଣ୍ଡ ଫୋର୍ସ ମୁଖ୍ୟ ଜେନେରାଲ ମାଇକେଲ କୁରେଲା ମଧ୍ୟ ତେଲ ଆଭିବରେ ପହଞ୍ଚିଥିଲେ। ଏଥି ସହିତ, ବିପଦକୁ ଦୃଷ୍ଟିରେ ରଖି ଆମେରିକା ମଧ୍ୟପ୍ରାଚ୍ୟରେ ଅସ୍ତ୍ରଶସ୍ତ୍ର ନିୟୋଜନ ବୃଦ୍ଧି କରିଛି। ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ଅନୁଯାୟୀ, ମଧ୍ୟପ୍ରାଚ୍ୟ ଏବଂ ଇସ୍ରାଏଲରେ ନିୟୋଜିତ ଆମେରିକୀୟ ସୈନ୍ୟମାନଙ୍କୁ ସୁରକ୍ଷା ଦେବା ପାଇଁ ନୂତନ ଯୁଦ୍ଧ ବିମାନ, ବିଧ୍ବଂସକ ଏବଂ ଏୟାରକ୍ରାଫ୍ଟ କ୍ୟାରିୟର ପଠାଇଛି।