ପ୍ରମୂଖ ଖବର

ଟି-୨୦ ବିଶ୍ବକପ୍‌ ଲାଗି ଅଷ୍ଟ୍ରେଲିଆ ଟିମ୍ ଘୋଷଣା: ସ୍ମିଥ ଓ ମ୍ୟାକଗର୍କ ଆଉଟ୍‌, ୧୮ ମାସ ପରେ ଦଳକୁ ଫେରିଲେ ଏହି ୨ ପ୍ଲେୟର

Image Courtesy: navbharattimes

ମେଲବର୍ଣ୍ଣ: ଟି-୨୦ ବିଶ୍ବକପ୍‌ ୨୦୨୪ ଲାଗି ଟିମ୍‌ ଘୋଷଣା କରିଛି ଅଷ୍ଟ୍ରେଲିଆ । ୧୫ ଖେଳାଳିଙ୍କୁ ନେଇ ଅଷ୍ଟ୍ରେଲିଆ ଟିମ୍ ଘୋଷଣା କରିଥିବା ବେଳେ ଏଥିରେ ଦୁଇ ଜଣ ବରିଷ୍ଠ ଖେଳାଳିଙ୍କୁ ସାମିଲ କରାଯାଇ ନାହିଁ । ମିଚେଲ ମାର୍ଶଙ୍କ ନେତୃତ୍ବାଧୀନ ଏହି ଟିମ୍‌ରେ ଷ୍ଟିଭ୍‌ ସ୍ମିଥଙ୍କୁ ସ୍ଥାନ ମିଳିନାହିଁ । ତେବେ ଏହା ପୂର୍ବରୁ ମିଚେଲ ମାର୍ଶ ଟି-୨୦ ବିଶ୍ବକପ୍‌ ଟିମ୍‌ର ଅଧିନାୟକ ରହିବେ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ଘୋଷଣା କରିଥିଲା । ସେପଟେ କ୍ୟାମେରନ୍ ଗ୍ରୀନଙ୍କୁ ଦଳରେ ସାମିଲ କରାଯାଇଛି । ସେ ଅଷ୍ଟ୍ରେଲିଆ ପାଇଁ ନଭେମ୍ବର ୨୦୨୨ରେ ଟି-୨୦ ମ୍ୟାଚ୍‌ ଖେଳିଥିଲେ । ପ୍ରାୟ ୧୮ ମାସ ବାହାରେ ରହିବା ପରେ ଗ୍ରୀନ୍‌ଙ୍କ ଉପରେ ଚୟନକର୍ତ୍ତା ଭରସା କରିଛନ୍ତି । ୨୦୨୧ରେ ଟି-୨୦ ବିଶ୍ବକପ୍ ବିଜୟୀ ଅଷ୍ଟ୍ରେଲିଆ ଟିମ୍‌ରେ ଷ୍ଟିଭ୍‌ ସ୍ମିଥଙ୍କ ବ୍ୟତୀତ ଫ୍ରେଜର ମ୍ୟାକଗର୍କଙ୍କୁ ସାମିଲ କରାଯାଇ ନାହିଁ । 

କ୍ୟାମେରନ୍‌ ଗ୍ରୀନଙ୍କ କଥା କହିଲେ ସେ, ଅଷ୍ଟ୍ରେଲିଆ ଲାଗି ୮ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ବେଳେ ୧୩୯ ରନ୍ ଏବଂ ୫ ଟି ଓ୍ବିକେଟ ନେଇଛନ୍ତି । ଗ୍ରୀନଙ୍କ ଭଳି ଆଷ୍ଟନ ଏଗର ମଧ୍ୟ ଶେଷ ଥର ପାଇଁ ୨୦୨୨ରେ ଟି-୨୦ ବିଶ୍ବକପ୍‌ ଖେଳିଥିଲେ ।  ସେପଟେ ମ୍ୟାକଗର୍କ ବିଗବାସ୍‌ ଏବଂ ଆଇପିଏଲରେ ବହୁତ ଭଲ ପ୍ରଦର୍ଶନ କରୁଛନ୍ତି । ସେହିଭଳି ସ୍ମିଥ ୨୦୧୪ରୁ ପ୍ରତି ଟି-୨୦ ବିଶ୍ବକପ୍‌ରେ ଟିମ୍ ସହ ରହିଆସିଥିଲେ । ତଥାପି ଦୁଇ ପ୍ଲେୟରଙ୍କୁ ସୁଯୋଗ ମିଳିନାହିଁ । ତେବେ ବୋଲିଂ କ୍ଷେତ୍ରରେ ଅଷ୍ଟ୍ରେଲିଆ ସେମିତି କିଛି ବଡ଼ ପରିବର୍ତ୍ତନ କରିନାହିଁ । ଷ୍ଟାର୍କ, କମିନ୍ସ ଏବଂ ହେଜଲଉଡଙ୍କ ସମେତ ଆଦାମ ଜାମ୍ପାଙ୍କୁ ଟିମ୍‌ରେ ସାମିଲ କରାଯାଇଛି । ଏହା ସହିତ ନାଥନ ଏଲିସଙ୍କୁ ଟିମ୍‌ରେ ସ୍ଥାନ ଦିଆଯାଇଛି । 

ଗ୍ରୁପ୍‌ ବିରେ ଥିବା ଅଷ୍ଟ୍ରେଲିଆ ଟିମ୍ ଓମାନ ବିପକ୍ଷରେ ଜୁନ୍‌ ୫ରେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ । ଏହା ପରେ ଜୁନ୍ ୮ରେ ଇଂଲଣ୍ଡ ଏବଂ ଜୁନ୍ ୧୧ରେ ନାମ୍ବିୟାକୁ ଭେଟିବ ମିଚେଲ ମାର୍ଶଙ୍କ ଟିମ୍‌ ।  ସେହିଭଳି ଜୁନ୍‌ ୧୫ରେ ଅଷ୍ଟ୍ରେଲିଆ ଟିମ୍ ନିଜର ଶେଷ ଗ୍ରୁପ୍‌ ମ୍ୟାଚ୍‌ ସ୍କଟଲ୍ୟାଣ୍ଡ ସହ ଖେଳିବ । ଏହା ପୂର୍ବରୁ ୨୦୨୨ରେ ନିଜ ଦେଶରେ ଆୟୋଜିତ ଟି-୨୦ ବିଶ୍ବକପ୍‌ରେ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା ଅଷ୍ଟ୍ରେଲିଆ ଟିମ୍‌ ।

ଟି-୨୦ ବିଶ୍ବକପ୍‌ ଲାଗି ଅଷ୍ଟ୍ରେଲିଆ ଟିମ୍‌

ମିଚେଲ ମାର୍ଶ (ଅଧିନାୟକ), ଆଷ୍ଟନ ଏଗର, ପ୍ୟାଟ କମିନ୍ସ, ଟିମ୍‌ ଡେଭିଡ୍‌, ନାଥନ ଏଲିସ୍‌, କ୍ୟାମେରୁନ ଗ୍ରୀନ୍‌, ଜୋସ୍‌ ବଟଲର, ଟ୍ରେଭିସ ହେଡ୍‌, ଜୋସ୍‌ ଇଂଲିଶ, ଗ୍ଲେନ୍ ମ୍ୟାକ୍ସଓ୍ବେଲ୍‌, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ୍‌, ମ୍ୟାଥ୍ୟୁ ହେଡ୍‌, ଡେଭିଡ ଓ୍ବାର୍ଣ୍ଣର ଏବଂ ଆଦାମ ଜାମ୍ପା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.