ଚନ୍ଦାହାଣ୍ଡି,୨୭/୮ : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ପାନାବେଡା ଯାଦବ ସମାଜ ଦ୍ୱାରା ଭଗବାନ ଶ୍ରୀ କୃଷ୍ଣଙ୍କ ଜନ୍ମାଷ୍ଟମୀ ଏବଂ ନନ୍ଦ ଉତ୍ସବ ପାଳନ ହୋଇଯାଇଛି l ନନ୍ଦ ଉତ୍ସବ ପାଳନ ଫଳରେ ପାନାବେଡ଼ା ଅଞ୍ଚଳରେ ରହିଥିବା ଯାଦବ ସମାଜର କୌଶଲିଆ, ମଗଧା ଏବଂ ଝରିଆ ସମ୍ପ୍ରଦାୟ ମଧ୍ୟରେ ଏକତା ମନୋଭାବ ସୃଷ୍ଟି ହେବା ସହ ଏକ ନିବିଡ଼ ଭାଇ ଚାରା ସ୍ଥାପନ ହୋଇପାରୁଛି l ପାନାବେଡା ଯାଦବ ସମାଜର ସଭାପତି ଜଗଦୀଶ ଗୌଡ଼ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ଯେ, ପ୍ରଶାସନ ଜନ୍ମାଷ୍ଟମୀକୁ ଗୋଟିଏ ଦିନ ସରକାରୀ ଛୁଟି ଘୋଷଣା କରୁଛି l ଜନ୍ମାଷ୍ଟମୀ ସହ ନନ୍ଦ ଉତ୍ସବକୁ ମିଶାଇ ଦୁଇ ଦିନ ସରକାରୀ ଛୁଟି ଘୋଷଣା କରିବାକୁ l ପାନାବେଡା ମଗଧା ଗୌଡ଼ ସମାଜର ଜଗଦୀଶ ଗୌଡ଼, କୌଶଲ୍ୟା ସମାଜର ମସ୍ତୁରାମ ବଗର୍ତ୍ତୀ ଏବଂ ଝରିଆ ଗୌଡ଼ ସମାଜର ସଭାପତି ନିମାଇଁ ଚରଣ ପାଣ୍ଡେ ପ୍ରଶାସନକୁ ଏହି ନିବେଦନ କରିଛନ୍ତି l
ସେହିଭଳି ଚନ୍ଦାହାଣ୍ଡି ବ୍ଲକରେ ମାଲଗାଁ, ଫଟକି, ଲୁଧୁଆପଡା ଝରାବାହାଲ ଏବଂ ଅନକାବେଡା ପଞ୍ଚାୟତର ନୂଆପଡାଠାରେ ଯାଦବ ସମ୍ପ୍ରଦାୟର ଲୋକମାନେ ଜନ୍ମାଷ୍ଟମୀ ପାଳନ କରିଛନ୍ତି । ପ୍ରଥମ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତିକୁ ବାସୁଦେବ ବେଶରେ ଚିତ୍ରିତ ହୋଇ ଟୋକେଇରେ ପାରମ୍ପରିକ ବାଦ୍ୟ ସଂକୀର୍ତ୍ତନର ତାଳେତାଳେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ମଣ୍ଡପରେ ସ୍ଥାପନ କରିଥିଲେ l ମଙ୍ଗଳବାର ଯାଦବ ସମାଜର ଛୋଟଛୋଟ ଶିଶୁଙ୍କ ସମେତ ଯୁବକ ମାନେ ଶ୍ରୀକୃଷ୍ଣ ବଳରାମ ଏବଂ ଗୋପାଳ ବେଶରେ ସୁସଜ୍ଜିତ ହୋଇ ନନ୍ଦ ଉତ୍ସବ ପାଳନ କରିଥିଲେ । ଏହାସହ ଯାଦବ ସମାଜର ମହିଳା ଏବଂ ପୁରୁଷମାନେ ଭଗବାନଙ୍କୁ ଦୋଳି ଝୁଲାଇବା ସହ ନଗର ପରିଭ୍ରମଣ କରିଥିଲେ । ଏଥିରେ ଭୋଦେବ ବାଗ, ବାସୁଦେବ ଗୌଡ଼, ତିଳକ ସିଂ ପୋଡ଼, ସୁବାସ ପାଣ୍ଡେ, ମଧୁସିଂ ପାଣ୍ଡେ, କାମେନୀ ରଞ୍ଜନ ପାଣ୍ଡେ, ଅଭିରାମ ପାଣ୍ଡେ, ବାଳଜୁ ନାଗ ପ୍ରମୁଖ ଯାଦବ ସମାଜର ସଦସ୍ୟମାନେ ସହଯୋଗ କରିଥିଲେ l