ଛତ୍ରପୁର/ଗଞ୍ଜାମ,୦୪/୦୮: ଅନ୍ଧକୁ ବସାଇ କାନ୍ଧରେ, ଛୋଟା ଚାଲଇ ଧୀରେ ଧୀରେ... ଏଇ ପଦଟି ଲୋକମୁଖରେ ବେଶ୍ ପ୍ରଚଳିତ । ବିଶେଷ କରି ତ୍ରିନାଥ ମେଳାରେ ଏହା ବେଶ୍ ଶୁଣିବାକୁ ମିଳୁଥିଲା । କିନ୍ତୁ ଏହାକୁ ବାସ୍ତବ ରୂପ ଦେଇଛନ୍ତି ଗଞ୍ଜାମ ବ୍ଲକ୍ ପାଳିବନ୍ଧ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମର ଦୁଇ ଭିନ୍ନକ୍ଷମ ବନ୍ଧୁ ଟୁନା ପ୍ରଧାନ ଓ ନିବାସୀ ପ୍ରଧାନ । ଅବିବାହିତ ଟୁନାଙ୍କ ବୟସ ୨୬, ପିଲାବେଳୁ ପୋଲିଓ ରୋଗାକ୍ରାନ୍ତ ହୋଇ ଗୋଡ଼ ଦୁଇଟି ଅକର୍ମଣ୍ୟ ପାଲଟି ଯାଇଛି । ସେହିପରି ୨୭ ବର୍ଷୀୟ ନିବାସୀ ପ୍ରଧାନ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି । ତାଙ୍କର କନ୍ୟା ସନ୍ତାନଟିଏ ଅଛି । ଦୁହେଁ ପିଲାବେଳୁ ବେଶ୍ ଭଲ ସାଙ୍ଗ, ସବୁ କଥାରେ ମିଶି କରି କାମ କରନ୍ତି । ଦୁହିଁଙ୍କ ବନ୍ଧୁତ୍ୱ ଏବେ ବି ଅଞ୍ଚଳରେ ଚର୍ଚ୍ଚିତ ଅଟେ ।
ଦୁଇ ବନ୍ଧୁ ଫାଷ୍ଟ ଫୁଡ୍ ବ୍ୟବସାୟ ଚଳାଉଥିଲେ । ଋଣ ଆଣି ୨୦୨୦ରୁ ୨୦୨୨ ମସିହା ପର୍ଯ୍ୟନ୍ତ ଗାଁରୁ ଜାତୀୟ ରାଜପଥ ପ୍ରାୟ ୫ କିମି ଟ୍ରାଇ ସାଇକେଲରେ ଆସି ଏହି ବ୍ୟବସାୟ କରୁଥିଲେ । ଭଲ ରୋଜଗାର ହେଉଥିଲା । ଅଧିକା ବ୍ୟବସାୟ ପାଇଁ ସେମାନେ ଗଞ୍ଜାମ ଏନ୍ଏସି ନିକଟ ପୁଇଁତୋଳା ଗ୍ରାମ ପାଖକୁ ଚାଲି ଆସିଥିଲେ । ଟ୍ରାଇ ସାଇକେଲରେ ଦୂରତା ପାର କରି ସହର ନିକଟକୁ ଆସନ୍ତି, ବ୍ୟବସାୟ କରନ୍ତି, ପୁଣି ରାତିରେ ମିଶି ଫେରନ୍ତି । ଦେଖିବାରୁ ନଥିବାରୁ ନିବାସୀ ତିନିଚକିଆ ସାଇକେଲ୍ ପଛପଟେ ବସନ୍ତି, ଆଉ ଚାଲି ପାରୁ ନଥିବାରୁ ଟୁନା ସାଙ୍ଗରେ ସାଇକେଲ୍ ଆଗପଟେ ବସି ତାକୁ ଚଲାଇ ଯାଆନ୍ତି । ପାରିବାରିକ ହେଉ କି ବ୍ୟବସାୟିକ କାର୍ଯ୍ୟ, ବ୍ୟକ୍ତିଗତ ହେଉ କି ସାମାଜିକ ଆବଶ୍ୟକତା, ଦୁହିଁଙ୍କୁ ସବୁଠି ଏକାଠି ଦେଖିବାକୁ ମିଳୁଥିଲା ।
ତେବେ ଏହା ଭିତରେ କିଛି ସମସ୍ୟା ହେବାରୁ ଦୁହେଁ ବ୍ୟବସାୟରୁ ଅଲଗା ହୋଇ ରହିଛନ୍ତି । କିନ୍ତୁ ମନ ଅଲଗା ହୋଇନି, ବରଂ ଏକ ମନ ଏକ ପ୍ରାଣ ହୋଇ ଚଳିବାକୁ ସୁଯୋଗ ଖୋଜୁଛନ୍ତି ଦୃଷ୍ଟିଶକ୍ତି ବାଧିତ ନିବାସୀ ଓ ଚଳତ୍ଶକ୍ତି ବାଧିତ ଟୁନା । ବର୍ତ୍ତମାନ ଟୁନା ଗାଁରେ ନିଜ ଘରେ ପରିବା ଦୋକାନ କରିଛନ୍ତି । ନିବାସୀଙ୍କ ସ୍ତ୍ରୀ ମୁଲ ଖଟିଲେ ପରିବାର ଚଳେ । ଦୁହେଁ ୧୨୦୦ ଟଙ୍କା ଲେଖାଏଁ ଭିନ୍ନକ୍ଷମ ଭତ୍ତା ପାଉଛନ୍ତି । ଅନ୍ତୋଦ୍ୟୟ ଯୋଜନାରେ ସାମିଲ କରିବା ପାଇଁ ପ୍ରଶାସନକୁ ଆବେଦନ କରିଛନ୍ତି । ତେବେ ଦୁଇ ସାଙ୍ଗଙ୍କ ଇଚ୍ଛା ଗଞ୍ଜାମ ସହରରେ ସରକାର ଯଦି ନିଃଶୁଳ୍କରେ ଦୋକାନ ଘରଟିଏ ଯୋଗାଇ ଦିଅନ୍ତେ ତେବେ ସେମାନେ ପୁଣି ଫାଷ୍ଟ ଫୁଡ୍ ଦୋକାନ କରିଥାନ୍ତେ । ଜୀବନ ସାଙ୍ଗକୁ ଜୀବିକା ମିଶିକରି ଚଳାଇଥାନ୍ତେ ।