ପ୍ରମୁଖ ଖବର
  • କଟକ; ବର୍ଷା ପ୍ରିୟଦର୍ଶିନୀ ନିର୍ଯାତନା ମାମଲା,ଅନୁଭବ ମାହାନ୍ତିଙ୍କ ନାରେ NBW ଜାରି
  • ||
  • ନୀଳଗିରିରେ ଶକ୍ତି ଦେଖାଇ ବିରୋଧୀଙ୍କୁ ଚୁପ କରାଇଲେ ସୁକାନ୍ତ। ୨୫ ହଜାର ସମର୍ଥକ ଗହଣରେ କଲେ ପ୍ରାର୍ଥୀପତ୍ର ଦାଖଲ।
  • ||
  • ପ୍ରକାଶ ପାଇଲା CBSE ପରୀକ୍ଷା ଫଳ
  • ||
  • ସିୟୁଇଟି-ୟୁଜି ଆଡମିଟ୍‌ କାର୍ଡ ୱେବ୍‌ସାଇଟ୍‌ରେ ଉପଲବ୍ଧ, ମେ ୧୫ରୁ ୨୪ ତାରିଖ ଯାଏ ଚାଲିବ ପରୀକ୍ଷା
  • ||
  • ମାଲକାନଗିରିରେ ୩ ବୁଥ୍‌ରେ କାମକରୁନି ଇଭିଏମ୍‌, ଭୋଟ ଦେବାକୁ ଅପେକ୍ଷା କରିଛନ୍ତି ଶତାଧିକ ମତଦାତା
  • ||
  • ମନି ଲଣ୍ଡରିଂ ମାମଲାରେ ଇଡି ଗିରଫଦାରିକୁ ଚାଲେଞ୍ଜ; ଆଜି ସୁପ୍ରିମ୍କୋର୍ଟରେ ହେମନ୍ତଙ୍କ ପିଟିସନର ଶୁଣାଣି
  • ||
  • ଭୋଟ ଦେଉଛି ଓଡ଼ିଶା, ପ୍ରଥମ ପର୍ଯ୍ୟାୟରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ମତଦାନ
  • ||
  • ଆଇପିଏଲ ମହାସମର, ସଂଧ୍ୟାରେ କୋଲକାତା -ଗୁଜରାଟ ଲଢ଼େଇ, ପ୍ଲେ-ଅଫ୍ ଲକ୍ଷ୍ୟରେ ଟାଇଟନ୍ସ
  • ||
  • ଦେଶରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟିଂ ଆରମ୍ଭ , ୯୬ ଆସନରେ ୧୭୧୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ୨୩ରେ ଆସୁଛି ଲଘୁଚାପ, ଏଥର ଶୀଘ୍ର ଆସିବ ମୌସୁମୀ: ଆଜି ଭୋଟ୍‌ ହେଉଥିବା ଅଞ୍ଚଳରେ କମ୍‌ ତାତି
  • ||

ବିଜେପିର ଓଡ଼ିଶା ଦଖଲ ରଣନୀତି: ଭରସା କେନ୍ଦ୍ରୀୟ ନେତା, ୩୦ କେନ୍ଦ୍ରୀୟ ନେତାଙ୍କୁ ୩୦ ଜିଲ୍ଲା ଦାୟିତ୍ୱ

ଭୁବନେଶ୍ୱର,୨୮/୦୪: ଜଣେ ନୁହଁ କି ଦି’ ଜଣ, ୩୦ ଜିଲ୍ଲା ଦାୟିତ୍ୱରେ ରହିବେ ୩୦ ଅଭିଜ୍ଞ ବିଜେପି ନେତା । ବିଜେପିର ପ୍ରଚାର ଅଭିଯାନରୁ ବୁଥ୍‌ ପରିଚାଳନା, ୱାରରୁମ୍‌ କୌଶଳରୁ ସମାବେଶ ଓ ରୋଡ୍‌ ସୋ- ସବୁକିଛି ଏହି କେନ୍ଦ୍ରୀୟ ନେତାମାନେ ପରିଚାଳନା କରିବେ। ତାଙ୍କ ନିର୍ଦ୍ଦେଶ ଓ ପରାମର୍ଶରେ ଭୋଟ ଯୁଦ୍ଧ ଲଢ଼ିବ ରାଜ୍ୟ ବିଜେପି । କଳେ ବଳେ କୌଶଳେ ଭୋଟରଙ୍କ ମନଜିଣି ଦଳ ଓଡ଼ିଶା ଦଖଲ କରିବ । ଶାସନ ଗାଦିରେ ବସିବ ।

ଏମିତି ବ୍ଲୁପ୍ରିଣ୍ଟ କରିଛି ରାଜ୍ୟ ବିଜେପି । ରାଜ୍ୟରେ ୨୫ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରିବାକୁ ହାଇକମାଣ୍ଡ ତ୍ରିପୁରା ଓ ଆସାମ ଫର୍ମୁଲା ଆପଣାଇବାକୁ ସ୍ଥିର କରିଛନ୍ତି । ଏଥିପାଇଁ ଦଳ ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱସର୍ମା, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ବିପ୍ଳବ କୁମାର ଦେବଙ୍କୁ ମଡେଲ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦେଇଛି । ଶ୍ରୀ ଦେବ ଓଡ଼ିଶାରେ ପହଞ୍ଚି ‘ୱାରରୁମ୍‌’ରେ କାମ ଆରମ୍ଭ କରିଛନ୍ତି । ଆଗକୁ ବିଶ୍ୱସର୍ମା ଆସିବେ । ନିର୍ବାଚନ ପରିଚାଳନାରେ ମୁଖ୍ୟ ଭାବେ ଦାୟିତ୍ୱରେ ରହିବେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ । 

ତ୍ରିପୁରାରେ ଆମର ଭୋଟ ହାର ୧.୪ ପ୍ରତିଶତ ଥିଲା, ଆସାମରେ ୪ ପ୍ରତିଶତ । ଆମେ ସେଠି ଶାସନକୁ ଆସିଲୁ । ଏଠି ଆମ ସପକ୍ଷରେ ୩୨% ଭୋଟ ଅଛି, ଓଡ଼ିଶା ଦଖଲ କରିପାରି ନାହିଁ କାହିଁକି? ନିଷ୍ଠାର ସହ ଲାଗିପଡ଼, ନିଶ୍ଚୟ ସରକାର ଗଢ଼ିବା ଓଡ଼ିଶାରେ ।  

ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଏମିତି ବିଜୟ ମନ୍ତ୍ର ଫୁଙ୍କି ଦିଲ୍ଲୀ ଫେରିଲେ କେନ୍ଦ୍ରମନ୍ତ୍ରୀ ଅମିତ୍‌ ଶାହ । ଏହାପରେ ବିଜେପି କ୍ୟାମ୍ପରେ ନାହିଁ ନଥିବା ଉତ୍ସାହ । ବିଜେପି ପଦାଧିକାରୀ ଓ ନେତାଙ୍କ ଆତ୍ମବିଶ୍ୱାସରେ ଲାଗିଛି ଡେଣା । ବିଜେପି ଚାଣକ୍ୟ ନୂଆଦିଲ୍ଲୀ ଫେରିବା ପରେ ହଠାତ୍‌ ‘ରକେଟ୍‌ ସ୍ପିଡ୍‌’ରେ ବିଜେପିର ଭୋଟ ରଣକୌଶଳ ବଦଳିଛି । 

ଆଜି ଆସି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ବିପ୍ଳବ । ଦଳର କୋର୍‌ କମିଟି ସହ ସେ ବୈଠକ କରିବା ପରେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରୁଦ୍ଧଦ୍ୱାର ମନ୍ତ୍ରଣା କରିଛନ୍ତି । ଶ୍ରୀ ଦେବ ‘ତ୍ରିପୁରା ମଡେଲ’ ସଂପର୍କରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଅବଗତ କରାଇଛନ୍ତି । 

ବିଜେଡି ସରକାର ବିରୋଧରେ ଥିବା ଅସନ୍ତୋଷକୁ ଅସ୍ତ୍ର କରି କେମିତି ପଦ୍ମ ସପକ୍ଷରେ ଭୋଟ ଭିଡ଼ି ହେବ ତା’ର କୌଶଳ ‘ଭୋଟ ପାଠଶାଳା’ରେ ବତାଇଛନ୍ତି । ଆଗକୁ ତ୍ରିପୁରା ଫର୍ମୁଲାର ଗୋଟିଏ ପରେ ଗୋଟିଏ ମନ୍ତ୍ର ଦେବେ ଶ୍ରୀ ଦେବ । ୫ ଲୋକସଭାର ପ୍ରଭାରୀ ଦାୟିତ୍ୱ ତୁଲାଇବା ସହ ଭୋଟ ସରିବା ଯାଏ ସେ ଓଡ଼ିଶାରେ ଡେରା ପକାଇବେ ବୋଲି ବିଜେପି ସୂତ୍ରରୁ ମିଳିଛି ସୂଚନା ।

ଆସାମ ମୁଖ୍ୟମନ୍ତ୍ରୀ ଆଗକୁ ଓଡ଼ିଶା ଗସ୍ତରେ ଆସି ଦଳୀୟ ନେତା ଓ କର୍ମକର୍ତ୍ତାଙ୍କ ମଧ୍ୟରେ  ଜୋସ୍‌ ଭରିବେ । ଯେଉଁ ଆସନଗୁଡ଼ିକରେ ଦଳ ପାଇଁ ଅଡୁଆ ପରିସ୍ଥିତି ଅଛି ହେମନ୍ତ ସେଠାକୁ ଯାଇ ସଂକଟ ମୋଚନ କରିବେ ।

ହେମନ୍ତଙ୍କ ଅଭିଜ୍ଞତା ଓ ବିଜୟ କୌଶଳର ପୂର୍ଣ୍ଣ ବିନିଯୋଗ କରିବ ଦଳ । ଇତିମଧ୍ୟରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ସହ ହେମନ୍ତ ଦୁଇଥର ଓଡ଼ିଶାର ସ୍ଥିତି ନେଇ ବୈଠକ କରି ସାରିଛନ୍ତି । ବିଜେଡି ବିରୋଧରେ କ’ଣ ସବୁ ଅସନ୍ତୋଷ ରହିଛି ତା’କୁ ସେ ଅନୁଧ୍ୟାନ କରି ତୋମାରଙ୍କୁ କିଛି ଟିପସ୍‌ ଦେଇଛନ୍ତି ।

ଶାହ ଆସି ବିଜେଡି ସରକାରକୁ କାଠଗଡ଼ାରେ ଛିଡ଼ା କରାଇ ଜୋରଦାର ଆକ୍ରମଣ କରିଛନ୍ତି । ଶାହଙ୍କ ଗସ୍ତ ବିଜେପି ଶିବିରରେ ବଳ ଭରିଛି । ଦଳ ସ୍ଥିର କରିଛି ଆସନ୍ତା ସପ୍ତାହ ବେଳକୁ ୩୦ କେନ୍ଦ୍ରୀୟ ନେତାଙ୍କୁ ଦଳ ୩୦ ଜିଲ୍ଲା ଦାୟିତ୍ୱ  ଦେବ । ଯେଉଁ ନେତାମାନଙ୍କର ନିର୍ବାଚନ ପରିଚାଳନା ଅଭିଜ୍ଞତା ରହିଛି ସେଭଳି ନେତାଙ୍କୁ ଚୟନ କରି ଦଳ ଓଡ଼ିଶା ପଠାଇବ । ସେମାନେ ଜିଲ୍ଲାୱାରୀ ଡେରା ପକାଇବେ । ଭୋଟ ପରିଚାଳନାରେ ରିମୋଟ୍‌ ଧରିବେ । 

ଆସନ୍ତାକାଲି ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଭୋଟଭିକ୍ଷା ପାଇଁ ଆସୁଛନ୍ତି । ନଡ୍ଡା ଜନସମାବେଶ ପରେ ପ୍ରଥମ ଦଫାରେ ହେବାକୁ ଥିବା ୪ ଲୋକସଭା ଓ ବିଧାନସଭା ପ୍ରାର୍ଥୀ ଏବଂ ପଦାଧିକାରୀଙ୍କୁ ଭେଟି ମନ୍ତ୍ର ଦେବେ । ମନୋବଳ ବଢ଼ାଇବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି । ଆଗକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଚାରରେ ଆସିବା ପରେ ପଦ୍ମ ଦଳ ଅଧିକ ଆକ୍ରମଣାତ୍ମକ ଢଙ୍ଗରେ ବିଜେଡିର ମୁଖା ଖୋଲିବାକୁ ନିଷ୍ପତ୍ତି ନେଇଛି ।

ବିଜେପି ହାଇକମାଣ୍ଡଙ୍କ ହିସାବ କହୁଛି, ଆଗରୁ ପ୍ରତି ବୁଥ୍‌ରେ ୫୦% ଭୋଟ ଅଭିଯାନ ଦଳ ଆରମ୍ଭ କରିଛି । ଓଡ଼ିଶାରେ ଶାସନ ଡୋରି ଧରିବାକୁ ଦଳକୁ ୪୧/୪୨ ପ୍ରତିଶତ ଭୋଟ ଆବଶ୍ୟକ । ୨୦୧୯ରେ ଦଳକୁ ୩୨% ଭୋଟ ମିଳିଥିଲା । ୨୦୧୪ ତୁଳନାରେ ୧୪% ଅଧିକ ଭୋଟ ଦଳ ଖାତାକୁ ଆସିଥିଲା । ବିଜେଡି ବିରୋଧରେ ପ୍ରବଳ ଜନ ଅସନ୍ତୋଷ ସହ ସରକାର ବିରୋଧୀ ହାୱା ବହୁଛି । ମୋଦି ଗ୍ୟାରେଣ୍ଟିକୁ ଓଡ଼ିଶାବାସୀ ପସନ୍ଦ କରୁଛନ୍ତି । ତେଣୁ ଆଉ ୯ ପ୍ରତିଶତ ଭୋଟ ହାତେଇବାକୁ ଦଳ ପାଇଁ ବଡ଼ କାମ ନୁହଁ । କେବଳ ଠିକଣା ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚିବା ଓ ଭୋଟ ପରିଚାଳନା ଉପରେ ଦଳ ଫୋକସ୍‌ କରୁଛି ।

ରାଜ୍ୟରେ ୪ ପର୍ଯ୍ୟାୟ ଭୋଟ ହେବ । ଶେଷ ଦୁଇ ପର୍ଯ୍ୟାୟ ବେଳକୁ ବହୁ କେନ୍ଦ୍ରୀୟ ନେତାଙ୍କର ନିଜ ରାଜ୍ୟରେ ଭୋଟ ସରିଯାଇଥିବ । ଏ ଦୁଇ ପର୍ଯ୍ୟାୟରେ ୧୨ ଲୋକସଭା ସହ ୮୪ ବିଧାନସଭା ଭୋଟ ବାକି ଥିବ । ବିଜେପି କେନ୍ଦ୍ରୀୟ ନେତାଙ୍କୁ ବହୁ ସଂଖ୍ୟାରେ ଠୁଳ କରିବ । ସରକାର ବିରୋଧୀ ପ୍ରସଙ୍ଗକୁ ଧରି ଶାଣିତ ଆକ୍ରମଣ କରି ବିଜେଡି ହାତରୁ ଶାସନ ଡୋରି ଛଡ଼ାଇ ନେବାକୁ ବିଜେପି ତିଆରି କରିଛି ବ୍ଳୁପ୍ରିଣ୍ଟ ।

  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.