ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ରେ ଲୋକଭିଡ଼, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ ୦୩/୦୬: କିଛି ଦିନ ତଳେ ମାଉଣ୍ଟ ଏଭରେଷ୍ଟରେ ପର୍ବତାରୋହୀଙ୍କର ଭୟଙ୍କର ଭିଡ଼ର ଫଟୋ ଭାଇରାଲ୍‌ ହୋଇଥିଲା । ସେହି ଫଟୋକୁ ଦେଖିଲେ ତାହା କୌଣସି ମାମୁଲି ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ବିଶ୍ୱର ସବୁଠୁ ଉଚ୍ଚ ପର୍ବତ ଶିଖର ମାଉଣ୍ଟ ଏଭରେଷ୍ଟ ବୋଲି କହିବା କଷ୍ଟକର । ଏବେ ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ ‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ର ସ୍ଥିତି ବି ସେହିଭଳି ହୋଇପଡି଼ଛି । ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସରେ ନିକଟରେ ଜଣେ ବ୍ୟବହାରକାରୀ ଏ ସଂପର୍କିତ ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ସେଥିରେ ‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ରେ ଲୋକଙ୍କର ଅସମ୍ଭବ ଭିଡ଼କୁ ଦେଖିବାକୁ ମିଳୁଛି । ସେଠାରେ ପାଦ ପକାଇବାକୁ ବି ଜାଗା ନାହିଁ । ଲୋକମାନେ ପରସ୍ପରର ସହାୟତା ନେଇ ଶିଡି଼ରେ ଆଗକୁ ବଢ଼ୁଥିବା ଦେଖାଯାଉଛି । ସେଠାରେ ଗହଳି ଏମିତି ରହିଛି ଯେ, ଯଦି କୌଣସି କାରଣରୁ ଜଣେ କେହି ପଛକୁ ଫେରିବାକୁ ଚାହାନ୍ତି ତା’ହେଲେ ଫେରିବା କଷ୍ଟକର । ଏଭଳିସ୍ଥିତିରେ ଦଳାଚକଟା ହୋଇଯିବାର ବହୁ ଆଶଙ୍କା ଥିବା ସେ ଲେଖିଛନ୍ତି । ସେହି ଭିଡିଓ ଭାଇରାଲ୍‌ ହେବାପରେ ଅନେକ ବ୍ୟବହାରକାରୀ ସେଥିନେଇ ପ୍ରତିକ୍ରିୟା ରଖିଛନ୍ତି । କେହି କେହି ତାକୁ ମୁମ୍ବାଇର ଲୋକାଲ୍‌ ଷ୍ଟେସନ୍‌ ସହିତ ତୁଳନା କରିଛନ୍ତି ।




‘ଦ ଗ୍ରେଟ୍‌ ୱାଲ୍‌ ଅଫ୍‌ ଚାଇନା’ ଚୀନ୍‌ର ଏକ ଲୋକପ୍ରିୟ ଭ୍ରମଣସ୍ଥାନ । ଏହାର ମୋଟ ଲମ୍ବ ହେଉଛି ୨୧,୧୯୬ କିମି । ବିଶେଷକରି ଫିଟ୍‌ ଲୋକେ ଓ ଟ୍ରେକିଂର ଆନନ୍ଦ ନେବାକୁ ଚାହୁଁଥିବା ଲୋକମାନେ ସେଠାକୁ ଯିବାକୁ ପସନ୍ଦ କରିଥାନ୍ତି । ପ୍ରତିଦିନ ସକାଳ ୯ଟାରୁ ଅପରାହ୍ନ ୪.୩୦ ଯାଏ ଏହା ଆଗନ୍ତୁକମାନଙ୍କ ଲାଗି ଖୋଲା ରହିଥାଏ । ପ୍ରତି ବର୍ଷ ୧୦ ନିୟୁତରୁ ଅଧିକ ଲୋକେ ଏହି ସ୍ଥାନ ପରିଦର୍ଶନ କରିଥାନ୍ତି । ପ୍ରାଚୀନ ଚୀନ୍‌ର ଉତ୍ତରପଟୁ ହେଉଥିବା ବିଦେଶୀ ଶତ୍ରୁଙ୍କ ଆକ୍ରମଣରୁ ଦେଶକୁ ରକ୍ଷା କରିବା ଏହି ପ୍ରାଚୀର ନିର୍ମାଣର ଉଦ୍ଦେଶ୍ୟ ଥିଲା । ତାକୁ ନିର୍ମାଣ କରିବାକୁ ପ୍ରାୟ ୨୦୦୦ ବର୍ଷ ସମୟ ଲାଗିଥିଲା । ପରେ ତାହା ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ପାଲଟିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.