ଭୁବନେଶ୍ୱର ୨୩/୦୮: ରାଜଧାନୀରେ ସୁଡ଼ଙ୍ଗ ଭିତରେ ଚାଲିଥିଲା ମଦ କାରବାର। ଘର ଭିତରେ ସୁଡ଼ଙ୍ଗର ସିକ୍ରେଟ୍ ଚମ୍ବରରେ ମଦ ରଖି ଚାଲିଥିଲେ ଅଭିଯୁକ୍ତ । ସିକ୍ରେଟ ଚାମ୍ବର ଭିତରେ ତିଆରି ହେଉଥିଲା ଦେଶୀ ମଦ। ଅବକାରୀ ବିଭାଗ ଓ ପୋଲିସ ଚଢ଼ାଉ ବେଳେ ମଦ ପୋଚ ଦେଖି ଚକିତ ହେଇଗଲା ଟିମ୍। ଏଭଳି ଘଟଣା ବିରବାସା ବସ୍ତିରେ ରହୁଥିବା କରୁଣାକର କିସ୍କୋ ଘରେ ଦେଖିବାକୁ ମିଳିଛି।
ସୂଚନା ମୁତାବିକ, ଭୁବନେଶ୍ବର ସବୁଆଡେ ଉଭୟ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ମଦ ରେଡ୍ ଜୋରଦାର ହୋଇଛି। ଏନେଇ ଆଜି ମୈତ୍ରୀ ବିହାର ଥାନା ଅନ୍ତର୍ଗତ ବିରବାସା ବସ୍ତିରେ ରେଡ୍ କରିଥିଲା ପୋଲିସ। ବସ୍ତିରେ ରହୁଥିବା କରୁଣାକର କିସ୍କୋ ଘର ଭିତରେ ଘର ଆଉ ତା ଭିତରେ ସିକ୍ରେଟ୍ ଚାମ୍ବର୍ କରି ଦେଶୀ ମଦ ତିଆରି ଓ ବେପାର କରୁଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କ ଘରେ ଥିବା ପୋଚ ନଷ୍ଟ କରିବା ସହ ତାହା ଠାରୁ ମଦ ରାନ୍ଧିବା ଉପକରଣ ଜବତ କରାଯାଇଛି। ଅଭିଯୁକ୍ତକୁ ଅଟକ ରଖିଛି ପୋଲିସ। ଏହି ମାମଲାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି।