କଟକ,୦୫/୧୧: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ଗଞ୍ଜାମର କ୍ରିଷ୍ଣା ପଣ୍ଡା (୫୫)ଙ୍କର ମତ୍ୟୁ ଘଟିଥିଲା । କ୍ରିଷ୍ଣା ପାର୍ଥିବ ଶରୀର ଛାଡ଼ି ଆରପାରିକୁ ଚାଲିଯାଇଛନ୍ତି ସତ, କିନ୍ତୁ ବଞ୍ଚାଇ ଦେଇଯାଇଛନ୍ତି ଦୁଇଟି ଅମୂଲ୍ୟ ଜୀବନ । ତାଙ୍କର ଦୁଇଟି ଯାକ କିଡ୍ନୀ ଅନ୍ୟକୁ ନୂଆ ଜୀବନ ଦେଇଛି । ଜୀବନ ଯୁଦ୍ଧରେ କ୍ରିଷ୍ଣା ନିଜେ ହାରିଯାଇଥିଲେ ବି ବାଲେଶ୍ୱରର ସମାପିକା ମହାନ୍ତି (୨୩) ଓ ଭୁବନେଶ୍ୱରେ ରହୁଥିବା ଚିତ୍ତ ମହାନ୍ତି (୩୬)ଙ୍କୁ ଜୀବନ ଦାନ ଦେଇଛନ୍ତି । ଏସ୍ସିବି ଡାକ୍ତରଖାନାର ମୂତ୍ର ଶଲ୍ୟ (ୟୁରୋଲୋଜି) ବିଭାଗରେ ସମାପିକା ଓ ଚିତ୍ତଙ୍କର ଶରୀରରେ କାଡାଭରିକ୍ କିଡନୀ ପ୍ରତିରୋପଣ (ଟ୍ରାନ୍ସପ୍ଲାଣ୍ଟ୍) କରାଯାଇଛି । ଏକ ଲମ୍ବା ପ୍ରକ୍ରିୟା ମଧ୍ୟରେ ସମ୍ପୃକ୍ତ ଦୁଇ କିଡ୍ନୀ ଫେଲ୍ୟୁଅର ରୋଗୀଙ୍କ ଶରୀରରେ ସଫଳତାର ସହ କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍ କରାଯାଇଥିବା ଡାକ୍ତର କହିଛନ୍ତି ।
ସୂଚନାଯୋଗ୍ୟ, ବାଲେଶ୍ୱରର ସମାପିକା ଓ ଭୁବନେଶ୍ୱର ଖଣ୍ଡଗିରିର ଚିତ୍ତ ମହାନ୍ତିଙ୍କ ଶରୀରରେ କିଡ୍ନୀ ଖରାପ ଥିଲା । ପ୍ରତିରୋପଣ ପାଇଁ ପରିବାରରେ ରକ୍ତ ସମ୍ପର୍କୀୟଙ୍କ ସହିତ ସେମାନଙ୍କର ଗ୍ରୁପ୍ ମ୍ୟାଚିଙ୍ଗ୍ ହେଉନଥିଲା । ଫଳରେ ସମାପିକା ଏବଂ ଚିତ୍ତ ବହୁ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇ ଜୀବନ ବିତାଉଥିଲେ । ବଞ୍ଚିବା ପାଇଁ ସେମାନଙ୍କ ମନରେ ବହୁ ଆଶା ଥିଲେ ମଧ୍ୟ କିଡ୍ନୀ ପ୍ରତିରୋପଣ ସମ୍ଭବ ହେଉନଥିବାରୁ ଆଶଙ୍କାରେ ରହୁଥିଲେ । ତଥାପି କିଡ୍ନୀ ପାଇବା ପାଇଁ ସେ ମନରେ ଆଶା ଓ ଭରସା ନେଇ ଷ୍ଟେଟ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟେସନ୍ ଅର୍ଗାନାଇଜେସନ୍ (ସୋଟୋ)ରେ ନିଜ ନାମ ପଞ୍ଜୀକରଣ କରାଇଥିଲେ । ତେବେ ଏହି ଦୁଇ ରୋଗୀଙ୍କର କିଡ୍ନୀ ପ୍ରତିରୋପଣ ସୁବିଧା ମିଳିପାରୁନଥିଲେ ମଧ୍ୟ ସେମାନେ ନିୟମିତ ବ୍ୟବଧାନରେ ଏସ୍ସିବି ନେଫ୍ରୋଲୋଜି ବିଭାଗ ଆସି ଡାଏଲିସିସ୍ କରାଉଥିଲେ । ଏପରି ଦୀର୍ଘ ଦିନ ହେଲା ଡାକ୍ତରୀ ଚିକିତ୍ସା ବ୍ୟବସ୍ଥାରେ ରହି ବଞ୍ଚିବା ପାଇଁ ସଂଗ୍ରାମ କରିଆସୁଥିବା ସମାପିକା ଏବଂ ଚିତ୍ତଙ୍କ ଡାକ ଭଗବାନ ବିଳମ୍ବରେ ହେଉପଛେ ଶୁଣିଛନ୍ତି ବୋଲି ପରିବାର ଲୋକେ କହିଛନ୍ତି । ମହିଳା ଜଣକ ନିଜେ ଆରପାରିକୁ ଚାଲିଗଲେ ସତ, ହେଲେ ଆମ ପରିବାର ପାଇଁ ସେ ସବୁବେଳେ ଅମର ଓ ସ୍ମୃତି ହୋଇ ରହିଗଲେ ବୋଲି ଦୁଇ ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଦୁର୍ଘଟଣାରେ ଗୁରୁତର ଆହତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଗତ ୧ ତାରିଖରୁ ଚିକିତ୍ସିତ ହୋଇଆସୁଥିବା ଗଞ୍ଜାମ ବ୍ରହ୍ମପୁର ଅଞ୍ଚଳର କ୍ରିଷ୍ଣାଙ୍କ ଶାରୀରିକ ଅବସ୍ଥାରେ କୌଣସି ଉନ୍ନତି ନଆସିଥିଲା । ସ୍ୱାସ୍ଥ୍ୟବସ୍ଥାରେ ବେଳକୁବେଳ ଅବନତି ଆସିଥିଲା । ତେବେ ଏଠାରେ ଡାକ୍ତର ତାଙ୍କର ବ୍ରେନ୍ ଡେଡ୍ ଘୋଷଣା କରିବା ପରେ ପରିବାର ଲୋକେ ମୃତ ମହିଳାଙ୍କର କିଡ୍ନୀ ଦାନ ପାଇଁ ରାଜି ହୋଇଥିଲେ । ଅଙ୍ଗଦାନ ପାଇଁ ପରିବାର ଲୋକଙ୍କ ଘୋଷଣା ପରେ ସୋଟୋକୁ ଅବଗତ କରାଯାଇଥିଲା । କାଡାଭରିକ୍ ଟ୍ରାନ୍ସପ୍ଲାଣ୍ଟ୍ ପାଇଁ ସୋଟୋ ନ୍ୟାସନାଲ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟେସନ୍ ଅର୍ଗାନାଇଜେସନ୍(ନୋଟୋ) ର ଅନୁମତି ନିଆଯାଇଥିଲା । ନୋଟୋ ଏବଂ ସୋଟୋର ଅନୁମୋଦନ କ୍ରମେ ଡାକ୍ତରୀ ଟିମ୍ ମୃତ ମହିଳାଙ୍କ ଶରୀରରୁ ଦୁଇଟି ଯାକ କିଡ୍ନୀକୁ କଢ଼ାଯାଇଥିଲା । କିଡ୍ନୀକୁ ଗ୍ରୀନ୍ କରିଡ଼ରେ ଭୁବନେଶ୍ୱରରୁ ଏସ୍ସିବି ଡାକ୍ତରଖାନାକୁ ଅଣାଯାଇଥିଲା । ସନ୍ଧ୍ୟାରେ ମୂତ୍ର ଶଲ୍ୟ (ୟୁରୋଲୋଜି) ବିଭାଗରେ ଦୁଇଟି ଯାକ କିଡ୍ନୀ ପହଞ୍ଚିଥିଲେ ହେଁ କାଡାଭରିକ୍ ପ୍ରତିରୋପଣ ପାଇଁ ବହୁ ବିଳମ୍ବ ହୋଇଥିଲା । ଏହି ଟ୍ରାନ୍ସପ୍ଲାଣ୍ଟ ଟିମ୍ରେ ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ସମୀର ସ୍ୱାଇଁ, ଡାକ୍ତର ସବ୍ୟସାଚୀ ପଣ୍ଡା, ନେଫ୍ରୋଲୋଜି ବିଭାଗ ବିଶେଷଜ୍ଞ ଡା. ଅରୁଣା ଆଚାର୍ଯ୍ୟ ଓ ଆନାସ୍ଥେସିଆ ବିଭାଗ ପକ୍ଷରୁ ଡା. ସୁସଜ୍ଜିତ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।