ଝାରସୁଗୁଡ଼ା, ୨୮/୦୮: କୁକୁଡ଼ା ବ୍ୟବସାୟକୁ ନେଇ ସମ୍ପର୍କୀୟ ଭାଇର ହତ୍ୟା । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କଲା ଝାରସୁଗୁଡା ସଦର ପୋଲିସ । ଗିରଫ ଅଭିଯୁକ୍ତଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଗୋଟିଏ ହାରିଅର କାର, ଦୁଇଟି ବନ୍ଧୁକ ସହ ୧୮ ରାଉଣ୍ଡ ଗୁଳି, ଗୋଟିଏ ସ୍କୁଟି ,ରକ୍ତଭିଜା କପଡା ଜବତ କରାଯାଇଛି ।ମୃତକ ଜଣକ ଶାହାଜାହାନ ଖାନ ବୋଲି ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ମୁଖ୍ୟ ଅଭିଯୁକ୍ତ ଇମ୍ରାନ ଖାନ ନିଜ ସହଯୋଗୀଙ୍କ ସହ ହତ୍ୟା କରିଥିଲା।
ସୂଚନା ଅନୁଯାୟୀ, ପୂର୍ବ ଶତୃତାକୁ ନେଇ ହତ୍ୟା । ଶାହାଜାହାନ ଖାନ ଏବଂ ଇମ୍ରାନ ଖାନଙ୍କ ମଧ୍ୟରେ କୁକୁଡ଼ା ବ୍ୟବସାୟକୁ ନେଇ ଅନେକ ସମୟରେ କଳହ ଲାଗି ରହିଥିଲା । ଏହାର ପ୍ରତିଶୋଧ ନେବାକୁ ଯାଇ ଏହି ହତ୍ୟାକାଣ୍ଡ କରିଛି ଶାହାଜାହାନଙ୍କ ସମ୍ପର୍କୀୟ ଭାଇ ଇମ୍ରାନ । ଅଗଷ୍ଟ ୨୮ ତାରିଖ ଅର୍ଥାତ ଗତ ସୋମବାର ରାତିରେ ବେହେରାପାଟ ଛକରେ ଶାହାଜାହାନ ଖାନଙ୍କୁ ପ୍ରଥମେ ଗୁଳି କରି ହତ୍ୟା କରିଥିଲେ । ପରେ ଇମ୍ରାନ ଖାନ ଏବଂ ତାଙ୍କ ସହଯୋଗୀ ଶାହାଜାହାନଙ୍କ ମୃତଦେହକୁ କାର୍ ଯୋଗେ ନେଇ ରଂପେଲା ବ୍ରିଜ ଉପରୁ ମହାନଦୀ ଭିତରକୁ ଫିଙ୍ଗି ଦେଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଏଥି ସହିତ ଅଗ୍ନିଶମ ବାହିନୀକୁ ମଧ୍ୟ ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲା । ଅଗ୍ନିଶମ ବାହିନୀ ଛାନ୍ଭିନ୍ ଜାରି ରଖିଥିବା ବେଳେ ମଙ୍ଗଳବାର ମହାନଦୀ ଭିତରୁ ଶାହାଜାହାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ପରେ ବୁଧବାର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି ।